କଟକ,୦୧/୧୦/୨୦୨୫(ଓଡ଼ିଶା ସମାଚାର)- କଟକରେ ଜମୁଛି ପୂଜାର ମାହୋଲ । ମନ ମୋହୁଛି ସୁଉଚ୍ଚ ତୋରଣ । ରଙ୍ଗୀନ ଆଲୋକ ମାଳା ରେ ଆଖି ଖୋସି ହୋଇ ଯାଉଛି । ଦଶହରା ବଜାର ଭିଡ଼ ଧୀରେ ଧୀରେ ଘନେଇ ଆସୁଛି । ମଂଗଳବାର ମହାଷ୍ଟମୀ ଥିବାରୁ ସକାଳୁ ବଜାରରେ ଲୋକମାନଙ୍କର ଭିଡ଼ ଆରମ୍ଭ ହୋଇଯାଇଥିଲା । ଅନୁକୂଳ ପାଗ ଯୋଗୁ ଅପରାହ୍ନରେ ମଣ୍ଡପରେ ମା’ଙ୍କ ଦର୍ଶନ ପାଇଁ ଦର୍ଶକଙ୍କ ଭିଡ଼ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଥିଲା । ବିଶେଷ ବିଭିନ୍ନ ଦୁର୍ଗା ମଣ୍ଡପରେ ମହିଳାମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା ।
ଶାଢ଼ି ଛୁଆଁ ଓ ବ୍ରତ ପିନ୍ଧା ପାଇଁ ମହିଳାମାନଙ୍କର ବେଶ ଗହଳି ଲାଗି ରହିଥିଲା । ଏହାଛଡ଼ା ମଂଗଳବାର ଶକ୍ତିୀଠଗୁଡ଼ିକରେ ଦିନତମାମ ପୂଜାର୍ଚ୍ଚନା ଚାଲିଥିଲା । ଏହାପରେ ସନ୍ଧିୂଜା କରାଯାଇ ଶକ୍ତିପୀଠ ଗୁଡ଼ିକରେ କୁଷାଣ୍ଡ ବା ପାଣିକଖାରୁ ବଳି ଉତ୍ସର୍ଗ କରାଯାଇଥିଲା । ଏହି ରୀତିନୀତି ଭିତରେ ଧରାପୃଷ୍ଠରୁ ଅଷ୍ଟମୀର ବିଦାୟ ଓ ମହାନବମୀର ପ୍ରବେଶ ହୋଇଥିଲା । ମହାନବମୀ ଅବସରରେ ମଣ୍ଡପଗୁଡ଼ିକରେ ଚଣ୍ଡୀପାଠ, ହୋମ ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଘଂଟ, ଶଙ୍ଖ ଓ ହୁଳହୁଳି ଧ୍ୱନିରେ ସଂପ୍ରତି ସହରର ପରିବେଶ ପ୍ରକମ୍ପିତ ହେଉଛି । ରୌପ୍ୟନଗରୀ କଟକରେ ଏଥର ଦଶହରାରେ ୩୬ଟି ପୂଜା ମଣ୍ଡପରେ ଚାନ୍ଦିମେଢ଼ ଶୋଭା ପାଉଛି । ଏଥି ସହିତ ୧୧ଟି ମଣ୍ଡପରେ ମା’ ଦୁର୍ଗାଙ୍କ ସମେତ ପାଶ୍ୱର୍ଦେବାଦେବୀ ସୁନା ମୁକୁଟ ଓ ସୁନା ଚମ୍ପାହାର ପରିଧାନ କରିଛନ୍ତି ।
ଏହାଛଡ଼ା ପୂର୍ବରୁ ତେଲେଙ୍ଗା ବଜାର ପୂଜା କମିଟି ପିତଳମେଢ଼ କରିଥିବା ବେଳେ ଚଳିତ ବର୍ଷ ବା¶ି ସାହି-କୁମ୍ଭାର ସାହିର ଶ୍ରୀ ଆଖଣ୍ଡଳମଣି ପୂଜା କମିଟି ପକ୍ଷରୁ ନୂତନ ପିତଳ ମେଢ଼ ନିର୍ମାଣ କରାଯାଇଛି । ସେହିପରି ରାଉସାପାଟଣା ପୂଜା କମିଟି କାଠ ମେଢ଼ ତିଆରି କରିଥିବା ବେଳେ ରାଉସାପାଟଣା ଦୁର୍ଗା-କାଳିଙ୍କର କାଚ ମେଢ଼ ନିର୍ମିତ ହୋଇଛି । ସହରର ବିଭିନ୍ନ ମଣ୍ଡପରେ ଆଖିଖୋସି ହେଲା ଭଳି ଲାଇଟ ଗେଟ ନିର୍ମାଣ କରାଯାଇଛି । ସନ୍ଧ୍ୟା ସମୟରେ ବିଭିନ୍ନ ପ୍ରକାର ଆଲୋକମାଳାରେ ରୌପ୍ୟ ନଗରୀ ଝଲସି ଉଠୁଚି । ପୂଜା କମିଟି ଗୁଡ଼ିକ ପକ୍ଷରୁ ବିଭିନ୍ନ ପ୍ରକାରର ଥିମ୍ କୁ ନେଇ ଲାଇଟ ଗେଟ ତୋରଣ ନିର୍ମାଣ କରାଯାଇଛି । କେଉଁଠି ଖାଲି ଲାଇଟ ଗେଟର ତୋରଣ ନିର୍ମାଣ ହୋଇଥିବାବେଳେ, ଆଉ କେଉଁଠି ଥି୍ରଡ଼ି ଲାଇଟର ଆକର୍ଷଣ ମଧ୍ୟ ଦେଖିବାକୁ ମିଳିଛି । ଚଳିତ ବର୍ଷ ମାଲଗୋଦାମ ପୂଜା କମିଟି ପକ୍ଷରୁ ‘ଲାଲକିଲ୍ଲା’, ହରିପୁର-ଦୋଳମୁଣ୍ଡାଇ ପୂଜା କମିଟି ପକ୍ଷରୁ ‘ଚାଇନା ଟେମ୍ପୁଲ’, ଚାନ୍ଦିନୀ ଚୌକ ପୂଜା କମିଟି ପକ୍ଷରୁ ‘କେଦାରନାଥ‘ ଲାଇଟଗେଟ ନିର୍ମାଣ କରାଯାଇଛି ।
ଏହାଛଡ଼ା ବିଡ଼ାନାସୀ ପୂଜା କମିଟି ପକ୍ଷରୁ ନିର୍ମାଣ କରାଯାଇଥିବା ୫୦୦ ଫୁଟ ଲମ୍ବର ୨ଟି ଲାଇଟ ଟନେଲ ମୁଖ୍ୟ ଆକର୍ଷଣ ପାଲଟିଛି । ସନ୍ଧ୍ୟାବେଳେ ଲୋକମାନେ ପରିବାର ଓ ସାଙ୍ଗସାଥି ମାନଙ୍କ ସହିତ ମିଶି ଲାଇଟ ଗେଟ ଓ ସୁଉଚ୍ଚ ତୋରଣର ମଜା ଉଠାଉଛନ୍ତି । ଏଥି ସହିତ ଲୋକମାନେ ଫଟୋ ଓ ଭିଡ଼ିଓ କରି ନିଜର ସୋସିଆଲ ମିଡ଼ିଆ ରେ ପୋଷ୍ଟ କରୁଛନ୍ତି । ସନ୍ଧ୍ୟାଠାରୁ ବିଭିନ୍ନ ପୂଜା ମଣ୍ଡପରେ ଲୋକଙ୍କର ପ୍ରବଳ ଜନଗହଳି ପରିଲକ୍ଷିତ ହେଉଛି । ଏପରିକି ବିଳମ୍ବିତ ରାତିଯାଏ ମଣ୍ଡପରେ ଲୋକଙ୍କ ଗହଳି ଲାଗି ରହୁଛି । ଆଶ୍ୱିନର ସନ୍ଧ୍ୟାରେ ରଂଗୀନ ଆଲୋକର ସାଜସଜ୍ଜା ସହିତ ମେଲୋଡ଼ିର ମୂର୍ଚ୍ଛନା ଦର୍ଶକଙ୍କୁ ବିମୋହିତ କରୁଛି ।
