ଯାଜପୁର, ୦୧/୦୩/୨୦୨୪ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଜିଲା ସ୍ତରୀୟ “ଆନ୍ତର୍ଜାତୀୟ ହ୍ୱିଲ ଚେୟାର” ଦିବସ ୨୦୨୪ ଯାଜପୁର ସ୍ଥିତ କୁସୁମା ଠାରେ ପାଳନର ଆୟୋଜନ କରାଯାଇ ଥିଲା । ଏହି ପରିପ୍ରେକ୍ଷୀରେ ଭିନ୍ନକ୍ଷମ ମାନଙ୍କ ଦ୍ୱାରା ଏକ ରାଲି ମାନସା ପୋଲ ନିକଟସ୍ଥ ରାମ ମନ୍ଦିର ନିକଟରୁ ବାହାରି କୁସୁମା ଠାରେ ପହଂଚି ଥିଲା । ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ଘ.୮.୪୫ ମିନିଟ ସମୟରେ ରାମ ମନ୍ଦିର ଠାରେ ସବୁଜ ପତାକା ଦେଖାଇ ସଚେତନତା ରାଲିର ଶୁଭାରମ୍ଭ କରିଥିଲେ । ଦିବସ ଉପଲକ୍ଷେ କୁସୁମା ଠାରେ ଏକ ସାଧାରଣ ସଭା ଏବଂ ଭିନ୍ନକ୍ଷମ ଊପକରଣ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉକ୍ତ ସାଧାରଣ ସଭାରେ ମୁଖ୍ୟ ଅତିଥି ଉପ-ଜିଲାପାଳ ଶ୍ରୀ ଅଂଶୁମାନ ଶତପଥୀ, ସମ୍ମାନିତ ଅତିଥି ଭାବେ ଏଡିଏମଓ, ପିଏଚ୍ ଶ୍ରୀ ସୁଧାଂଶୁ ଶେଖର ବଳ, ଜିଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସବିତା ଚ୍ୟାଉ ପଟ୍ଟନାୟକ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶ୍ରୀ ଶଶିଧର ସିଂହ, ଭିନ୍ନକ୍ଷମ ତଥା ସମାଜସେବୀ ଶ୍ରୀ ମଣ୍ଟୁ ଦାସ ଯୋଗ ଦେଇ ଦିବସର ଉଦ୍ଧେଶ୍ୟ ଓ ଆଭିମୁଖ୍ୟ ସମ୍ୱନ୍ଧରେ ବକ୍ତବ୍ୟ ରଖି ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କ ପ୍ରତିଭା ଲୋକ ଲୋଚନକୁ ଆଣିବା ସହ ସେମାନଙ୍କୁ ଅହରହ ସକ୍ଷମର ପ୍ରେରଣା ଦେବାକୁ ଆହ୍ୱାନ ଦେଇଥିଲେ ।
ଏହି ଦିବସ ଉପଲକ୍ଷେ ପୂର୍ବଦିନ ଧର୍ମଶାଳା ମହାବିଦ୍ୟାଳୟ, ଜାରକା ଠାରେ ହ୍ୱିଲ ଚେୟାର ବ୍ୟବହାର କରୁଥିବା ଦିବ୍ୟାଙ୍ଗ ମାନଙ୍କ ଦ୍ୱାରା କ୍ରିକେଟ, ଭଲିବଲ୍ ଓ ବାସ୍କେଟ୍ ବଲ ଖେଳର ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ଙ୍କୁ ଟ୍ରପିଂ ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ସେହିପରି ବୈଦ୍ୟରାଜପୁର ନୋଡାଲ ୟୁପି ସ୍କୁଲରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରଚନା ଓ ବକ୍ତୃତା ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ଚୟନ କରାଯାଇଥିଲା । ଏହି ବୈଠକରେ ଅତିଥି ମାନଙ୍କ ଦ୍ୱାରା ପ୍ରଥମ, ଦି୍ୱତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫିି ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଦିବ୍ୟାଙ୍କ ଭାଇ ଭଉଣୀ ମାନେ ମଧ୍ୟ ହ୍ୱିଲ ଚେୟାର ନାଚ ଓ ଗୀତ ପରିବେଷଣ କରିଥିଲେ । ଏଥି ନିମନ୍ତେ କୃତି ଦିବ୍ୟାଙ୍ଗ ମାନଙ୍କୁ ମଧ୍ୟ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ଟ୍ରପିଂ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ସଭା ଶେଷରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗ୍ରୁପର କଳାକାର ମାନଙ୍କ ଦ୍ୱାରା ଆକର୍ଷଣୀୟ ସଚେତନତାଧର୍ମୀ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା ।
ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବିନ୍ଦ୍ର ନାଥ ବେହେରା ଙ୍କ ପୌରହିତ୍ୟରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ଓ ସଂଚାଳନ କରାଯାଇଥିବା ବେଳେ ଶେଷରେ ଅତିଥି ମାନଙ୍କୁ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ ।
ଆଜିର ବୈଠକରେ ଜିଲା ସଦର ମହକୁମାର ଚିକିତ୍ସାଧିକାରୀମାନେ ଉପସ୍ଥିତ ରହି ଦିବ୍ୟାଙ୍ଗ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସାଧାରଣ ସଭାରେ ଭିନ୍ନକ୍ଷମ ହିତାଧିକାରୀ ମାନଙ୍କୁ ୮ ଗୋଟି ହ୍ୱିଲ ଚେୟାର ଅତିଥିମାନେ ବଣ୍ଟନ କରିଥିଲେ ।
ସେହିପରି ଦିବସ ପାଳନରେ ଡିଡିଆର୍ସି, ଭଦ୍ରକର ସଦସ୍ୟମାନେ ଉପସ୍ଥିତ ରହି ଅର୍ଥୋମିଟିକ୍ ଓ ପ୍ରୋଥେମିଟିକ୍ ର ମାପ ଗ୍ରହଣ କରିଥିଲେ । ଯାଜପୁରର ଏସଆଇଇପି କାର୍ଯ୍ୟାଳୟର ସମସ୍ତ କର୍ମକର୍ତାମାନେ ଉପସ୍ଥିତ ରହି ଥେରାପି କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ ।