ଭୁବନେଶ୍ୱର/ନିଶ୍ଚିନ୍ତକୋଇଲି,୨୧/୦୯/୨୦୨୫ (ଓଡ଼ିଶା ସମାଚାର)- କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟରପଡ଼ା ପଂଚାୟତ ମୁରଦାବାଦ ଗ୍ରାମର ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତିଙ୍କ ଶ୍ୱଶୁର କିଶୋର ଚନ୍ଦ୍ର ମହାନ୍ତିଙ୍କ ଘରୁ ଗତ ଅଗଷ୍ଟ ୩୦ ତାରିଖରେ ଏକ ବଡ଼ ଧରଣର ଚୋରି ହୋଇଥିଲା । ୧୬ ଦିନ ପରେ ନିଶ୍ଚିନ୍ତକୋଇଲି ପୁଲିସ୍ ୩ଜଣଙ୍କୁ ଗିରଫ କରିଛି ।
ଏହାଛଡ଼ା ଏହି ଚୋରଙ୍କ ନିକଟରୁ ଚୋରା ଅଳଙ୍କାର କିଣିଥିବା ଅନ୍ୟ ଜଣଙ୍କୁ ମଧ୍ୟ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯିବା ପରେ ଏହି ୪ଜଣ ଦୁର୍ବୃତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଯୁଗଳ କିଶୋର ଦାସ ଓ ସାଲେପୁର ଏସଡିପିଓ ବିରଂଚି ନାରାୟଣ ପତି ସୂଚନା ଦେଇଛି । ଉକ୍ତ ଚୋରଙ୍କ ଠାରୁ ୨୦ ହଜାର ଟଙ୍କା, ୮୦ ଗ୍ରାମର ସୁନା ଅଳଙ୍କାର ଓ ୭୦ ଗ୍ରାମର ରୂପା ଅଳଙ୍କାର ଜବତ କରାଯାଇଛି ।
ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିବା କେନ୍ଦ୍ରାପଡ଼ା ଜିଲା ନିରିକେଇ ଥାନା ସରଦେଇପୁରର ବାବୁନା ଦାସ, ପଟ୍ଟାମୁଣ୍ଡାଇ ଥାନା ମୋହନପୁରର ଦୁଃଶା ଦାସ ଓ ଗୌରାଙ୍ଗ ଦାସଙ୍କୁ ପୁଲିସ୍ ଜେରା କରିବା ସହିତ ସୁନା ଅଳଙ୍କାର କିିଣିଥିବା କେନ୍ଦ୍ରାପଡ଼ା ଟାଉନଥାନା ବଡ଼ବଜାରର ମାରୁତି ଯାଦବଙ୍କୁ ପୁଲିସ୍ ଅଟକ ରଖି ସମସ୍ତ ତଥ୍ୟ ଜାଣିବା ପରେ କୋର୍ଟ ଚାଲାଣ କରିଥିବା ପୁଲିସ୍ ପ୍ରକାଶ କରିଛି ।
ଏହି ୩ଜଣ ପେଷାଦାର ଚୋର ହୋଇଥିବାରୁ ପୂର୍ବରୁ ବିଭିନ୍ନ ଘଟଣା ଘଟାଇଥିବା ଯୋଗୁଁ ସେମାନଙ୍କ ନାମରେ ନିଶ୍ଚିନ୍ତକୋଇଲି, ଭଦ୍ରେଶ୍ୱର, ନିରିକେଇ, ରାଜନଗର ଆଦି ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ନିଶ୍ଚିନ୍ତକୋଇଲି ଆଇଆଇସି ଶ୍ରୀ ଦାସ ଓ ସାଲେପୁର ଏସଡିପିଓ ଶ୍ରୀ ପତି ଉପସ୍ଥିତ ଥିଲେ ।
