କେନ୍ଦ୍ରାପଡ଼ା, ୨୧/୦୯/୨୦୨୫(ଓଡ଼ିଶା ସମାଚାର)-ଦୁହୁରିଆସ୍ଥିତ ସମୀର ଟିଭିଏସ ପକ୍ଷରୁ ଏକ ସଡକ ସୁରକ୍ଷା ସଚେତନତା ବାଇକ ଶୋଭାଯାତ୍ରା ରବିବାର ସକାଳେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାକୁ ଆଂଚଳିକ ପରିବହନ ଅଧିକାରୀ ଲୋକନାଥ ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଉଦଘାଟନ କରିଥିଲେ । ଶୋଭାଯାତ୍ରାକାରୀ ମାନଙ୍କ ସ୍ଳୋଗାନ ଥିଲା ‘ହେଲମେଟ ପିନ୍ଧନ୍ତୁ ଜୀବନ ବଂଚାନ୍ତୁ’ ।

ସୁରକ୍ଷିତ ଗାଡି ଚାଳନା କରନ୍ତୁ ଓ ନିଜ ସମେତ ଅନ୍ୟର ଜୀବନ ବଂଚାନ୍ତୁ । ଆଜିର ବ୍ୟସ୍ତବହୁଳ ଜୀବନରେ ଦୁଇ ଚକିଆ ଯାନରେ ୨ଜଣ ଯିବା ସମୟରେ ଉଭୟ ଚାଳକ ଓ ପଛରେ ବସିଥିବା ଅନ୍ୟ ଜଣଙ୍କ ମଧ୍ୟ ହେଲମେଟ ପିନ୍ଧିବା ଆବଶ୍ୟକ ବୋଲି ସମୀର ଟିଭିଏସର ନିର୍ଦ୍ଧେଶକ ସମୀର କୁମାର ଚାନ୍ଦ ଏହି ଅବସରରେ ଉପସ୍ଥିତ ଲୋକମାନଙ୍କୁ କହିଥିଲେ । ଏହି ଶୋଭାଯାତ୍ରା ଦୁହୁରିଆ ନିକଟରୁ ବାହାରି ତିନିମୁହାଣି ଛକ ଓ ସେଠାରୁ ସହର ମଧ୍ୟ ଦେଇ ଇଛାପୁର ରଥଦାଣ୍ଡକୁ ଯାଇଥିଲା ।
ପୁନର୍ବାର ସେଠାରୁ ସହର ମଧ୍ୟ ଦେଇ ଦୁହୁରିଆରେ ପହଂଚିବା ପରେ ସେଠାରୁ ଚାନ୍ଦୋଳ ପର୍ଯ୍ୟନ୍ତ ଯାଇ ସେଠାରୁ ପୁନର୍ବାର ଦୁହୁରିଆ ଫେରି ଆସିଥିଲା । ବାଇକ ଶୋଭାଯାତ୍ରାରେ ଯାଉଥିବା ସମୀର ଟିଭିଏସର କର୍ମଚାରୀମାନେ ପଥପ୍ରାନ୍ତରେ ଅଟକି ଦୁଇଚକିଆ ଯାନ ଚାଳକ ଓ ଜନସାଧାରଣଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ବୁଝାଇ ସଚେତନ କରାଉଥିବା ଦେଖିବାକୁ ମିଳିଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ମୋଟରଯାନ ନିରୀକ୍ଷକ ସଞ୍ଜୟ କୁମାର ଟୁଡୁ, ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ପରିଡା ଅନ୍ୟତମ ଅତିଥି ଭାବେ ଯୋଗଦେଇଥିବା ବେଳେ ଶୋ ରୁମ୍ ମ୍ୟାନେଜର ଲକ୍ଷ୍ମୀକାନ୍ତ ବେହେରା, କର୍ମଚାରୀ ଦୁର୍ଯେ୍ୟାଧନ ମହାରଣା, ଅନିଜା ଜେନା, ସମ୍ପତି ବେହେରା, ଶୁଭଶ୍ରୀ ନାୟକ, କ୍ଷିତିଶ କୁମାର କର,ସୁଶାନ୍ତ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
