ଭୁବନେଶ୍ୱର,୨୦/୦୯/୨୦୨୫ ( ପିଆଇବି )- ଶୁକ୍ରବାର ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପରିସରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଅନୁଷ୍ଠିତ ହୋଇଛି । ଆଇଏମପିସିସି ଓଡ଼ିଶାରେ କାର୍ଯ୍ୟରତ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ବିଭାଗ ତଥା ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାନ ଓ କାର୍ଯ୍ୟାଳୟଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିଥାଏ । ଏହି ବୈଠକରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି)ର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଧେଶକ (ଏଡିଜି) ଅଖିଳ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
ବିଶେଷ କରି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର ଓ ପ୍ରସାର ସମ୍ପର୍କରେ ବିଚାରବିମର୍ଶ କରାଯାଇଛି । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଏଡିଜି ଶ୍ରୀ ମିଶ୍ର କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଏବଂ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଥିସହିତ ଯୋଜନା ଏବଂ କାର୍ଯ୍ୟକ୍ରମଗୁଡ଼ିକର ପ୍ରଚାର ପ୍ରସାର ନିମନ୍ତେ ସ୍ୱତନ୍ତ୍ର ରଣନୀତି ଆପଣାଇବା ଲାଗି ସେ ପରାମର୍ଶ ଦେଇଥିଲେ । ବୈଠକରେ ‘ଗେଲ’ର ଡିଜିଏମ ଏନ. ମିଶ୍ର, ବିଏସଏନଏଲ ଡିଜିଏମ ଅଲିଭା ମହାପାତ୍ର, ଏସଡିଓ ପ୍ରତାପ ଚନ୍ଦ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ଆଂଚଳିକ ନିର୍ଦେଶକ ଡା. ସୁଚିତ୍ରା ସାମଲ, ସିଏସଆଇଆର- ଆଇଏମଏମଟିର ବରିଷ୍ଠ ବୈଜ୍ଞାନିକ ଡ. ମନୀଷ କୁମାର, ପୂର୍ବତଟ ରେଳବାଇ ର ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିହାର ରଞ୍ଜନ ମହାନ୍ତି ପ୍ରମୁଖ ବହୁ ସରକାରୀ ଅଧିକାରୀ ଯୋଗ ଦେଇଥିଲେ ।
