ପାଗା ୨୭/୦୨/୨୦୨୬ (ଓଡ଼ିଶା ସମାଚାର)-ଜଗତପୁର ଥାନା ପାଗା ଫାଣ୍ଡି ଅଧିନ ରେ ମହାଜନ ପୁର ପଞ୍ଚାୟତ ମହାଜନ ପୁର ନାୟକ ସାହିରେ ଗତ ଗୁରୁବାର ଦିନ ହୋଇଥିବା ବାଣ ବିସ୍ଫୋରଣ ପରେ ଜବତ୍ କରାଇଥିବା ୭ରୁ ୮ଲକ୍ଷ ଟଙ୍କା ର ବାଣ ଗୁଡ଼ିକ ଆଜି ବୋମା ନିଷ୍କ୍ରିୟକାରୀ ଦଳ, ଅଗ୍ନିଶମ ବାହିନୀ ଓ ଜଗତ ପୁର ପୋଲିସ୍ ଙ୍କ ସହାୟତାରେ ବାରବୋଡିଆ ନଦୀ ପଠାରେ ଏକ ନିର୍ଜନ ସ୍ଥାନରେ ନିଷ୍କ୍ରିୟ କରାଯାଇ ବାଲିରେ ପୋତା ଯାଇଛି।
ସୂଚନା ଅନୁସାରେ ଜନୈକ ବ୍ୟକ୍ତିଙ୍କ ଘରେ ବାଣ ବିସ୍ଫୋରଣ ରେ ୩ ଜଣ ଙ୍କ ମୃତ୍ୟୁ ବରଣ ଘଟି ଥିଲା । ତେବେ ପୁଲିସ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବା ସମୟରେ ଦୋଳଯାତ୍ରା କୁ ଦୃଷ୍ଟିରେ ରଖି ସଂପୃକ୍ତ ବ୍ୟକ୍ତି ଘରେ ଏବଂ ବିଲ ମଝିରେ ଥିବା ଏକ ସ୍ୱଳ୍ପ ଜଙ୍ଗଲିଆ ସ୍ଥାନରେ ବିପୁଳ ପରିମାଣର ତିଆରି ବାଣ ଓ ବାଣରେ ବ୍ୟବହୃତ ଅନ୍ୟାନ୍ୟ ବିସ୍ପୋରକ ସାମଗ୍ରୀ ମହଜୁଦ ରଖିଥିବା ସମ୍ପର୍କରେ ଜାଣିବାକୁ ପାଇଥିଲା। ତେବେ ବାଣ ବିସ୍ଫୋରଣ ର କାରଣ ସମ୍ପର୍କରେ ଏ ଯାଏ ସଠିକ୍ ସୂଚନା ମିଳିପାରି ନାହିଁ।
ପ୍ରାପ୍ତ ସୂଚନା ମୁତାବକ,ଜଗତପୁର ଥାନା ମହାଜନ ପୁର ପଞ୍ଚାୟତ ନାୟକ ସାହିର ଗୋବିନ୍ଦ ନାୟକ ଓରଫ ଠୁରିଆଙ୍କ ଘରେ ହୋଲି ପାଇଁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବାଣ ପ୍ରସ୍ତୁତ କରାଯାଉଥିଲା। ପୂର୍ବରୁ ତାଙ୍କ ଘରେ ବିପୁଳ ପରିମାଣର ବାଣ ଗଛିତ ଥିବା ବେଳେ ଆହୁରି ଅଧିକ ପରିମାଣରେ ବାଣ ପ୍ରସ୍ତୁତ କରାଯାଇ ମହଜୁଦ କରାଯାଉଥିଲା। ଦୁର୍ଭାଗ୍ୟ ବଶତଃ ଗୁରୁବାର ଦିନ ଗୋବିନ୍ଦ ସାହୁ ଘରେ ନଥିବା ବେଳେ ତାଙ୍କ ଘରେ ଏକ ପ୍ରଚଣ୍ଡ ଶଦ୍ଦ କରି ବାଣ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ତାହାର ପ୍ରଭାବରେ ଘରର ଛାତ ଓ ସିଡି ପାହାଚ ଭାଙ୍ଗିଯାଇଥିଲା। ଏହି ବିସ୍ଫୋରଣରେ ଗୋବିନ୍ଦଙ୍କ ପତ୍ନୀ ସୁଧାଂଶୁବାଳା,ବୋହୂ ପ୍ରଭାତୀ ଓ ୩ ବର୍ଷୀୟା ନାବାଳିକା ସ୍ମୀତପ୍ରଜ୍ଞା ଙ୍କ ର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ ହୋଇଥିଲା।
ପରବର୍ତ୍ତୀ ସମୟରେ ପୁଲିସ ବାଣ ବ୍ୟବସାୟୀ ଗୋବିନ୍ଦ ନାୟକଙ୍କୁ ପଚରାଉଚରା କରିବା ସହ ଘଟଣାର ଅଧିକ ତଥ୍ୟ ଜାଣିବା ପାଇଁ ଖୋଳତାଡ ଜାରି ରଖିଥିଲା। ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଗାଁ ରେ ଅଧିକାଂଶ ଲୋକ ବାଣ ତିଆରି କରି ବ୍ୟବସାୟ କରିବା ସହ ପରିବାର ପ୍ରତିପୋଷଣ କରିଥାନ୍ତି। ପୂର୍ବରୁ ଅନେକ ଥର ଏହି ଗାଁ ରେ ପୋଲିସ ଅଚାନକ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ର ବାଣ ଜବତ୍ କରିବା ସହ ଏକାଧିକ ବାଣ ବ୍ୟବସାୟୀ ଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ପ୍ରଶାସନ ବାରମ୍ବାର ଏହି ବେଆଇନ ବାଣ ତିଆରି ଉପରେ ରୋକ୍ ଲଗାଇବା ରେ ବିଫଳ ହେଉଛି। ତେବେ ଏହି ବିସ୍ଫୋରଣ ପରେ ଜଗତପୁର ଥାନା ଅଧିନରେ ଥିବା ସମସ୍ତ ଗାଁ ମାନଙ୍କ ରେ ଆଗାମୀ ଦିନରେ ହେବାକୁ ଥିବା ବାହାଘର , ଦୋଳ ଉତ୍ସବ, ଯାନିଯାତ୍ରା ରେ ବାଣ ନ ଫୁଟାଇବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି ଏବଂ ଗୋବିନ୍ଦ ନାୟକଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି ବୋଲି ଜଗତ ପୁର ଥାନା ଅଧିକାରୀ ପ୍ରଶାନ୍ତ ସାସମଲ ସୂଚନା ଦେଇଛନ୍ତି।
