ଭୁବନେଶ୍ୱର,୧୮/୦୯/୨୦୨୫(ଓଡ଼ିଶା ସମାଚାର)-ଆଜି ଗୁରୁବାର ୧୭ତମ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହୋଇଛି। ସ୍ୱଳ୍ପ କାଳିନ ମୌସୁମୀ ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ଗୃହ କାର୍ୟ୍ୟ ଆରମ୍ଭ ହେବା ପରେ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ, ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ, ପ୍ରସନ୍ନ କୁମାର ପଟ୍ଟନାୟକ, କରେନ୍ଦ୍ର ମାଝୀ, ନିରଞ୍ଜନ ହେମ୍ବ୍ରମ, ପ୍ରଫୁଲ୍ଲ କୁମାର ଭଞ୍ଜ, ମହମ୍ମଦ ରଫିକଙ୍କ ବିୟୋଗରେ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ।
ଏହାସହ ଓଡ଼ିଶା ପୁଲିସର ଲୋକନାଥ ଶବର ଏବଂ ଲକ୍ଷ୍ମଣ ମାଝୀଙ୍କ ବିୟୋଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିବା ପରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ବିଧାନସଭାରେ ଶୋକ ପ୍ରସ୍ତାବ ନେଇ ନିଜ ନିଜର ମତ ରଖିଥିଲେ । ଗୃହରେ ୧ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ପରେ ବାଚସ୍ପତି ସୁରମା ପାଢୀ ବିଧାନସଭାର ଗୃହ କାର୍ୟ୍ୟ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି। ଆଜିଠାରୁ ଆରମ୍ଭ ହୋଇଥିବା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ୨୬ତାରିଖ ଯାଏଁ ଚାଲିବ । ଏହି ଅଧିବେଶନରେ ମୋଟ ୭ଟି କାର୍ୟ୍ୟ ଦିବସ ରହିଛି ।
