ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି  ଙ୍କ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧୬/୦୯/୨୦୨୫ (ଓଡ଼ିଶା ସମାଚାର)-  ଆସନ୍ତା ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥିରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି । ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ କରିଛନ୍ତି ବାଚସ୍ପତି ସୁରମା ପାଢୀ । ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ବିଧାୟକ ଜୟନାରାୟଣ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧ ଦଳ ମୁଖ୍ୟ ସଚେତକ ପ୍ରମିଲା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡ଼ାମ୍ ଉପସ୍ଥିତ ରହିଥିଲେ।ବୈଠକରେ  ଅଧ୍ୟକ୍ଷତା କରି ବାଚସ୍ପତି ସୁରମା ପାଢ଼ୀ ସୁରୁଖୁରୁରେ ଗୃହ ଚଳାଇବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ଉଭୟ ବିରୋଧୀ ଦଳ ଓ ଶାସକ ଦଳ ପାଇଁ ଏହି ଅଧିବେଶନ ବେଶ୍ ଗୁରୁତ୍ୱ ବହନ କରୁଛି । ଆସନ୍ତାକାଲି ଉଭୟ ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକ ପୃଥକ ପୃଥକ ଭାବେ ଅନୁଷ୍ଠିତ ହେବ । ସେହିପରି କାଲି ବିଜେପି ବିଧାୟକ ଦଳର ବୈଠକ ବସିବାର ସମ୍ଭାବନା ରହିଛି ।

ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ମନ୍ତ୍ରିପରିଷଦ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସମସ୍ତ ବିଭାଗର ମନ୍ତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *