ସାଧନାପୀଠ ମାଳିହତାରେ ଗଣକବିଙ୍କ ୧୪୪ ତମ ଜୟନ୍ତୀ ଉଦଘାଟିତ

  ମାହାଙ୍ଗା,୨୬/୧୦/୨୦୨୬(ଓଡିଶା ସମାଚାର /ଅଭୟ ଜେନା )-ପ୍ରଥିତଯଶା ସାରସ୍ୱତ ସାଧକ, ମୁକୁଟ ବିହୀନ ଗୀତିନାଟ୍ୟ ସମ୍ରାଟ ଓଡ଼ିଆ ଅସ୍ମିତାର ମହାନାୟକ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ସମାରୋହ କବିଙ୍କ ସାଧନା ପୀଠ ମାଳିହତା ସ୍ଥିତ ମା’ କ୍ଷେତ୍ରପାଳିନୀଙ୍କ ପୀଠରେ ଉଦଘାଟିତ ହୋଇଯାଇଛି । ଏହି ସାରସ୍ୱତ ଉତ୍ସବକୁ ସମାଜସେବୀ ରାଜକିଶୋର ସେନାପତି ଉଦଘାଟନ କରିଥିଲେ । ପ୍ରାଧ୍ୟାପକ ଡକ୍ଟର ଗିରିଜା ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାହିତ୍ୟ ସଭାରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଡକ୍ଟର ଅଶୋକ କୁମାର ରାଉତ ଯୋଗଦେଇ ଥିଲେ । ଡକ୍ଟର ରାଉତ କହିଲେ – ପାଣି ସାହିତ୍ୟର ବିଶ୍ୱକୁ ଆଲୋକିତ କରିଛି । ମାନବୀୟ ମୂଲ୍ୟବୋଧ ହିଁ’ ଜୀବନର ସର୍ବଶ୍ରେଷ୍ଠ ଉପଲବ୍ଧ । ଗଣକବିଙ୍କ ନାଟକ ତତ୍କାଳୀନ ସମାଜରେ ବଡ଼ ପରିବର୍ତ୍ତନ ଆଣିପାରିଥିଲା ।

  ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତି କହିଲେ – ଗଣକବିଙ୍କ ସାହିତ୍ୟରେ ସମାଜର ନିମ୍ନ ବର୍ଗର ମେହେନତି ମଣିଷର ସ୍ୱର ବେଶ ଶାଣିତ । ପୁରାଣ ଓ ଇତିହାସର କଥାବସ୍ତୁ ସହିତ ସାଧାରଣ ତେଲ ଲୁଣ ଦୁନିଆଁର ବାସ୍ତବ ଚିତ୍ରକୁ ନେଇ ବୈଷ୍ଣବ ପାଣିଙ୍କ ସୃଷ୍ଟି ସମ୍ଭାର ଆଜିବି ଜନାଦୃତ ।

  ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡକ୍ଟର ଅଶୋକ କୁମାର ବାରିକ,ସମ୍ମାନିତ ଅତିଥି ଭାବେ ମେଘନାଦ ସେନାପତି ଏବଂ ସମ୍ମାନିତ ବକ୍ତାଭାବେ ସାମ୍ବାଦିକ ତାପସ କୁମାର ବିଶ୍ୱାଳ ଯୋଗଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ସନ୍ତୋଷୀ ଗ୍ରୁଫ ଅଫ ଇନଷ୍ଟିଚ୍ୟୁଟ ର ଅଧ୍ୟକ୍ଷ ସନ୍ତୋଷ କୁମାର ବଳ ଯୋଗଦେଇ ଗଣକବିଙ୍କ କୀର୍ତ୍ତି ଓ କୃତୀର ମୂଲ୍ୟାୟନ କରିଥିଲେ ।

 କ୍ଷେତ୍ରପାଳିନୀ ପାଠାଗାର ପକ୍ଷରୁ ଆୟୋଜିତ ଏହି ସାରସ୍ୱତ ସଭା ପ୍ରାରମ୍ଭରେ କଣ୍ଠଶିଳ୍ପୀ ବିଜୟ କୁମାର ବରାଳ ଓ ତାଙ୍କ ସାଥିମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଶିକ୍ଷକ ତଥା ସାରସ୍ୱତ ସଂଗଠକ ସନ୍ତୋଷ କୁମାର ଭୂୟାଁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ବିଦ୍ୟାଧର ସେନାପତି, ହୃଷିକେଶ ବେହେରା ଓ ବିଜୟରାମ ସେନାପତି ଏହି ଉତ୍ସବକୁ ପରିଚାଳନା କରିଥିଲେ । ଶେଷରେ ପ୍ରଫୁଲ୍ଲ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ  ।

  ଏହି ଅବସରରେ ଚଳିତ ବର୍ଷ ପାଇଁ କୋଠପଦା ଅଂଚଳର ବିଶିଷ୍ଟ ମଞ୍ଚ ଅଭିନେତା ଅନନ୍ତ କିଶୋର ସାହୁ ଏବଂ କାଳିଅଣ୍ଟି ଅଂଚଳର ନାରୀ ଅଭିନେତ୍ରୀ କମଳିନୀ ସେନାପତିଙ୍କୁ “ଗଣକବି ପ୍ରତିଭା ସମ୍ମାନ” ପ୍ରଦାନ କରାଯାଇଥିଲା ।କ୍ଷେତ୍ରପାଳିନୀ ବିଦ୍ୟାନିକେତନର କଳାକାର ମାନେ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ ।

କ୍ଷେତ୍ରପାଳିନୀ ପାଠାଗାର ମାଳିହତା ପକ୍ଷରୁ ଗଣକବିଙ୍କ ବିରଚିତ ଗୀତିନାଟ୍ୟ “ଲକ୍ଷଣା ପରିଣୟ” ଏବଂ ଶ୍ରୀରାମ ସାଂସ୍କୃତିକ ଯୁବ ପରିଷଦ ମଉଦା ପକ୍ଷରୁ ଗୀତିନାଟ୍ୟ “ଜରାସ୍କନ୍ଧ ବଧ ” ମଞ୍ଚସ୍ଥ ହୋଇଥିଲା ।   ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ମା’ ଶାରଳା ସାଂସ୍କୃତିକ ସଂସଦ, ମନୋହରପୁର ପରିବେଷଣ କରିଥିଲେ ଗୀତିନାଟ୍ୟ “କଳଙ୍କିନୀ” ଏବଂ ନନ୍ଦିବଟ ପାଣି ସାଂସ୍କୃତିକ ସଂସଦ, ଜଳେଶ୍ୱରପୁର ପରିବେଷଣ କରିଥିଲେ ଗଣକବିଙ୍କ ଗୀତିନାଟ୍ୟ “ରତି ପ୍ରଦ୍ୟୁମ୍ନ ଚରିତ” ।  ଶହଶହ ଦର୍ଶକ ଏହି ଗୀତିନାଟ୍ୟକୁ ଉପଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *