ସତ୍ୟମେବ ଜୟତେ ପରିବାରର ୧୫ତମ ପ୍ରତିଷ୍ଠା ଦିବସ ଓ ବର୍ଷା ଉତ୍ସବ ପାଳିତ

ସାଲେପୁର,୧୫/୦୯/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା): ସାଲେପୁର ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସତ୍ୟମେବ ଜୟତେ ପରିବାରର ସ୍ୱନକ୍ଷତ୍ର ଦିବସ ଓ ବର୍ଷା ଉତ୍ସବ  ସାଲେପୁର ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀଧର ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ସମାଜସେବୀ ରଶ୍ମୀରଞ୍ଜନ କାନୁନଗୋ ଉତ୍ସବକୁ ଉଦଘାଟକ କରି ସଂଗଠନର ସଭ୍ୟସଭ୍ୟାମାନେ ଶୃଙ୍ଖଳିତ ହୋଇ କାର୍ଯ୍ୟ କଲେ ସଂଗଠନର ଉନ୍ନତି ହେବ ବୋଲି ପରାମର୍ଶ ଦେଇଥିଲେ।

ମୁଖ୍ୟ ଅତିଥି ଭାବରେ ହାଇଟେକ୍ ହସ୍ପିଟାଲର ହୃଦ୍ ରୋଗ ଶଲ୍ୟ ବିଶେଷଜ୍ଞ ଡ ଶ୍ୱେତାଙ୍କ ଦାସ ଯୋଗଦେଇ ମନୁଷ୍ୟ ଶରୀରରେ ହେଉଥିବା ବିଭିନ୍ନ ରୋଗକୁ କିପରି ନିରାକରଣ କରାଯାଇପାରିବ ସେ ବିଷୟରେ ପରାମର୍ଶ ଦେଇଥିଲେ। ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଆକାଶବାଣୀର ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶକ ଡ. କୃତ୍ତିବାସ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଯୁବସମାଜ ଇଚ୍ଛାଶକ୍ତି ଅଧ୍ୟବସାୟ ବଳରେ ସବୁକିଛି ସମ୍ଭବ ବୋଲି ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ସଭାପତି ପଣ୍ଡିତ ବିନୟ ଭୂଷଣ ମିଶ୍ର ବେଦମନ୍ତ୍ର ପାଠକରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସମ୍ପାଦକ ମାନସ ରଞ୍ଜନ ଦାଶ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ବିଶ୍ୱରଞ୍ଜନ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ‘ସତ୍ୟମେବ ଜୟତେ ଆଦର୍ଶ ଶିକ୍ଷକ ସମ୍ମାନ’ ଗୋବିନ୍ଦ ଚନ୍ଦ୍ର ପତିଙ୍କୁ, ‘ନେତ୍ରାନନ୍ଦ ସ୍ମାରକୀ ସମାଜସେବା ସମ୍ମାନ’ ବିପିନ୍ ବିହାରୀ ଦାସଙ୍କୁ ପ୍ରଦାନ କରାଯାଇଥିଲା। ପୂର୍ବାହ୍ନରେ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା କରାଯାଇ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ସାଲେପୁର ଅଞ୍ଚଳର ୨୦ଟି ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ମେଧାବୀ ଛାତ୍ରଛାତ୍ରୀଙ୍କୁ ଟେଷ୍ଟପେପର ବଣ୍ଟନ, ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ବର୍ଣ୍ଣବୋଧ ବଣ୍ଟନ, ଅନୁଷ୍ଠାନର ବାର୍ଷିକ ପତ୍ରିକା ‘ସତ୍ୟମେବ ଜୟତେ’ ଉନ୍ମୋଚନ ଏବଂ ଲେଖକଙ୍କୁ ସମ୍ବର୍ଦ୍ଧନା କରଯାଇଥିଲା। କାର୍ଯ୍ୟକ୍ରମରେ ଆକର୍ଷଣ ଥିଲା ସମସ୍ତଙ୍କୁ ବୃକ୍ଷବଣ୍ଟନ।

ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରିୟଦର୍ଶିନୀ ପ୍ରଧାନ, ପ୍ରଶାନ୍ତ ମହାନ୍ତି, ଚଞ୍ଚଳାରାଣୀ ବେହୁରା, ଦେବବ୍ରତ ସ୍ୱାଇଁ, ଶର୍ମିଲି ସାହୁ, ସୁନିତା ସାମଲ, ସୁଜାତା କର, ଆନନ୍ଦ କୁମାର ସେଠୀ, ଅର୍ଚ୍ଚନା ସେଠୀ, ସୁନିର୍ମଳ ସେଠୀ, ବିଭୂତି ବେହେରା, ମମତା ପଣ୍ଡା, ସଞ୍ଜୟ ଦାଶ, ପ୍ରବୀର ଚନ୍ଦ୍ର ଦାସ, ଭୁବନ ମୋହନ କର, ମୃତ୍ୟୁଞ୍ଜୟ ନନ୍ଦ, ସୌମ୍ୟରଞ୍ଜନ ଭୂୟାଁ,ସାମ୍ବାଦିକ ଜୟଦେବ ଲେଙ୍କା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *