ବର୍ଷିଆନ ମଞ୍ଚ କଳାକାର ଦଧିବାବନ ଏବେ ଶଯ୍ୟାଶାୟୀ

କଟକ ୧୩/୦୯/୨୦୨୫ ( ଓଡିଶା ସମାଚାର /ଅଭୟ ଜେନା)- ଆସୁଛି କୁମାର ପୂର୍ଣ୍ଣିମା ।ମାହାଙ୍ଗାର ବିଭିନ୍ନ ଆଖଡ଼ା ଘରେ ଶେଷ ହୋଇଛି ବହିପୂଜା । ଗଣକବି ବୈଷ୍ଣବ ପାଣିଙ୍କ ଯାତ୍ରା ନାଟକକୁ ନେଇ ଦୁଲୁକିବ ସାରା ମାହାଙ୍ଗା । ପାଣି ଜୟନ୍ତୀ ମାହାଙ୍ଗାର ଗଣ ପର୍ବ ଭାବେ ବେଶ ଜଣାଶୁଣା । କିନ୍ତୁ ଏ ବର୍ଷ ମୁହଁରେ ରଙ୍ଗ ବୋଳିବେ ନାହିଁ ଜଣେ ପ୍ରସିଦ୍ଧ ମଞ୍ଚ ଅଭିନେତା । ଯିଏକି ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣା ପଡିଛି । ଓଡ଼ିଆ ଯାତ୍ରା ଜଗତର ମଉଡମଣୀ ଗଣକବି ବୈଷ୍ଣବ ପାଣିଙ୍କ ଅନେକ ଗୀତିନାଟ୍ୟର ସଫଳ ଅଭିନେତା କହିଲେ ଦଧିବାବନ ପରିଡାଙ୍କୁ ସ୍ଥାନୀୟ ଅଂଚଳର ଲୋକେ ବେଶ ଜାଣନ୍ତି ।

ଏବେ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି ଏହି ମଞ୍ଚ କଳାକାର ଜଣକ ।  ତାଙ୍କ ବୟସ ଏବେ ୮୧ ବର୍ଷ ଅତିକ୍ରମ କରିସାରିଲାଣି । ଏହି ମଞ୍ଚ ଅଭିନେତା ପିଲାଟି ଦିନୁ ଅନେକ ପୌରାଣିକ, ଐତିହାସିକ ଏବଂ ସାମାଜିକ ନାଟକରେ ଅଭିନୟ କରି ଖୁବ ପ୍ରଶଂସା ସାଉଁଟି ପାରିଥିଲେ । କେବଳ ସେତିକି ନୁହେଁ ସେ ଜଣେ ସଂକୀର୍ତ୍ତନ ପ୍ରେମୀ ମଣିଷ । ଜଣେ ସଂଗୀତକାର ଭାବେ ତାଙ୍କର ବେଶ ସୁନାମ  ରହିଛି । ଭଜନ ଜଣାଣ ଗାୟନ ଠାରୁ ଭାଗବତ ପାଠ ପ୍ରତି ତାଙ୍କର ବେଶ ରୁଚି ରହିଆସିଛି । ବିନାୟକ କ୍ଲବ ଧଉଳିଆ ଭଳି ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ସେ ଓତପ୍ରୋତ ଭାବେ ଜଡିତ ଥିଲେ ।

କଟକ ଜିଲ୍ଲା ମାହାଙ୍ଗା ବ୍ଲକର କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ଏକ ଚାଷୀ ପରିବାରରେ ଶ୍ରୀ ପରିଡାଙ୍କ ଜନ୍ମ । ପିଲାଟି ଦିନରୁ କଳା ସଂସ୍କୃତି ପ୍ରତି ତାଙ୍କର ଅହେତୁକ ଆଗ୍ରହ ଥିବାରୁ,ପରବର୍ତ୍ତୀ ସମୟରେ ସେ ଜଣେ ସଫଳ କଳାକାର ଭାବେ ନିଜକୁ ତିଆରି କରିପାରିଥିଲେ । ପାଲା, ଦାସକାଠିଆ, ଘୋଡାନାଚ ଭଳି ଓଡ଼ିଶାର ଲୋକକଳା,ଲୋକ ସଂଗୀତ ପ୍ରତି ତାଙ୍କର ବେଶ ଦୁର୍ବଳତା ଥିବାରୁ, ସେ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ଆୟୋଜିତ ଏହି ସବୁ କାର୍ଯ୍ୟକ୍ରମକୁ ରାତି ଅନିଦ୍ରା ହୋଇ ଦେଖୁଥିଲେ । ତେବେ ବର୍ଷିଆନ କଳାକାର ଦଧିବାବନ ପରିଡାଙ୍କୁ ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ବେଶ ପ୍ରସିଦ୍ଧି ଆଣି ଦେଇଛି ବୋଲି କୁହାଯାଏ ।

ଦୀର୍ଘ ଏକ ବର୍ଷ ତଳୁ ଶ୍ରୀ ପରିଡା ଅସୁସ୍ଥ ହୋଇପଡିବାରୁ ତାଙ୍କର ଚିକତ୍ସା  ଜାରିରହିଛି । ପାକସ୍ଥଳୀରେ କର୍କଟ ଭଳି ମାରାତ୍ମକ ରୋଗ ସୃଷ୍ଟି ହେବାରୁ,ସେ ଦିନକୁ ଦିନ ଗୁରୁତର ଅସୁସ୍ଥ ହୋଇପଡୁଥିବା ତା’ଙ୍କ ପରିବାର ସୂତ୍ରରୁ ସୂଚନା ମିଳିଛି । କଳାର ପୂଜାରୀ ଦଧିବାବନ ଆଉ ମୁହଁରେ ରଙ୍ଗ ବୋଳି ଦର୍ଶକ ମାନଙ୍କୁ ଅମୋଦିତ କରିବାର ସମ୍ଭାବନା କ୍ଷୀଣ । ମଞ୍ଚକୁ ଭଲପାଉଥିବା ଏବଂ କଳାକୁ ଜୀବନର ସର୍ବଶ୍ରେଷ୍ଠ ସାର୍ଥକତା ବୋଲି ବିଚାର କରିଆସୁଥିବା ଶ୍ରୀ ପରିଡା ଏବେ ବାକଶୂନ୍ୟ । ଜୀବନ ମରଣ ଭିତରେ ସାଉଣ୍ଟୁଛନ୍ତି ଅତୀତ ଦିନର ଅସୁମାରୀ ସ୍ମୁତି ।

ଏହି ମଞ୍ଚ ଅଭିନେତାଙ୍କ ଆଶୁ ଆରୋଗ୍ୟ କାମନା କରିବା ପାଇଁ ବହୁ କଳାକାର, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଏବଂ ସ୍ଥାନୀୟ ଗ୍ରାମବାସୀ ମାନେ ତା’ଙ୍କ ବାସଭବନରେ  ପହଂଚୁଛନ୍ତ ।  ଏବେବି ଦଧିବାବନ ବେଶ ଆଶାବାଦୀ, ସେ ଖୁବ ଶୀଘ୍ର ଆରୋଗ୍ୟ ହୋଇଯିବେ । ଆଖଡ଼ା ଘରେ ପହଂଚି ନୂଆ ପୀଢ଼ିର କଳାକାର ମାନଙ୍କୁ ଉତ୍ସାହିତ କରିବେ ।

Leave a Reply

Your email address will not be published. Required fields are marked *