ବର୍ଷିୟାନ ସାମ୍ବାଦିକ ଦୁଲାଲ ମିଶ୍ର ଆଉ ନାହାଁନ୍ତି

ଭୁବନେଶ୍ୱର,୧୩/୧୨/୨୦୨୫ (ଓଡ଼ିଶା ସମାଚାର)- ରାଜ୍ୟର ଏକାଧିକ ଓଡ଼ିଆ ସମ୍ବାଦପତ୍ରର ସମ୍ପାଦକ ଭାବେ କାର୍ଯ୍ୟ କରିଥିବା ବର୍ଷିୟାନ ସାମ୍ବାଦିକ ଦୁଲାଲ ମିଶ୍ର ଶନିବାର (ଆଜି) ଅପରାହ୍ନ ୩.୩୦ ମିନିଟ୍ ରେ କ୍ୟାପିଟାଲ ହସ୍ପିଟାଲରେ ପରଲୋକ ଗମନ କରିଛନ୍ତି । ମୃତୁ୍ୟ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଗତ ବର୍ଷକ ତଳେ ସ୍ୱର୍ଗତ ମିଶ୍ରଙ୍କ ପତ୍ନୀ ଶୁଭ୍ରା ମିଶ୍ରଙ୍କ ପରଲୋକ ଘଟିଥିଲା । ସ୍ୱର୍ଗତ ମିଶ୍ର ଭୁବନେଶ୍ୱରରୁ କେନ୍ଦ୍ରାପଡ଼ାସ୍ଥିତ ନିଜ ବାସଭବନ ଇଚ୍ଛାପୁରରେ ଅବସ୍ଥାନ କରୁଥିଲେ । ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ । ପୂର୍ବରୁ ହାଇଟେକ୍ ହସ୍ପିଟାଲରେ ସେ ଦୀର୍ଘ ଦେଢମାସ ଧରି ଚିକିତ୍ସିତ ହେବା ପରେ ଗତ ତିନିଦିନ ତଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେ ସେଠାରେ ରହି ଚିକିତ୍ସିତ ହେଉଥିଲେ । ଅନ୍ତିମ ସମୟରେ ତାଙ୍କର ଦୁଇପୁତ୍ର ଦେବାଶିଷ ଓ ଶୁଭାଶିଷ ଏବଂ ପୁତ୍ରବଧୂ ଉପସ୍ଥିତ ଥିଲେ ।


ସ୍ୱର୍ଗତ ମିଶ୍ରଙ୍କ ନିଜ ବାସସ୍ଥାନ କେନ୍ଦ୍ରାପଡ଼ାସ୍ଥିତ ଇଚ୍ଛାପୁର ହୋଇଥିବା ବେଳେ ସେ ଦୀର୍ଘଦିନ ଧରି କଟକ ଓ ଭୁବନେଶ୍ୱରରେ ଅବସ୍ଥାନ କରି ବିଭିନ୍ନ ଓଡ଼ିଆ ସମ୍ବାଦପତ୍ର ସହ ଜଡ଼ିତ ଥିଲେ । ଦୈନିକ ସମ୍ବାଦପତ୍ର ‘ମାତୃଭୂମି’ର କଟକ ପ୍ରତିନିଧି ଭାବେ ନିଜର ଦକ୍ଷତା ପ୍ରଦର୍ଶନ କରିବା ବେଳେ ୧୯୭୧ ମସିହା ଭାରତ-ବାଂଲାଦେଶ ଯୁଦ୍ଧର ପ୍ରତ୍ୟକ୍ଷ ବିବରଣୀର ଖବର ରଣଭୂମିରୁ ସମ୍ବାଦପତ୍ରକୁ ଦେଉଥିଲେ । ପରବର୍ତୀ ସମୟରେ ଭୁବନେଶ୍ୱରରୁ ପ୍ରକାଶିତ ଦୈନିକ ସମ୍ବାଦପତ୍ର ‘ଦିନଲିପି’ ଏବଂ ବାଲେଶ୍ୱରରୁ ପ୍ରକାଶିତ ଦୈନିକ ସମ୍ବାଦପତ୍ର ‘ଆଜିକାଲି’ର ସମ୍ପାଦକ ଓ ମୁଖ୍ୟ ସମ୍ପାଦକ ଭାବେ ଦୀର୍ଘଦିନ ଧରି ଦାୟିତ୍ୱ ସମ୍ପାଦନ କରିଥିଲେ । ସେ ଜଣେ ସଚ୍ଚୋଟ, ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକ ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ବରିଷ୍ଠ ସାମ୍ବାଦିକ ସାରଦା ପ୍ରସନ୍ନ ନନ୍ଦ, ପ୍ରଦୋଷ ପଟ୍ଟନାୟକ, ଦେବେନ୍ଦ୍ର ସୁଆର, ପ୍ରଦୁ୍ୟମ୍ନ କୁମାର ମହାନ୍ତି, ଅରବିନ୍ଦ ମିଶ୍ର ଓ ସନତ ମିଶ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ମିଶ୍ରଙ୍କ ମରଶରୀରକୁ ସତ୍ୟନଗର ଶ୍ମଶାନକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କର ଜ୍ୟେଷ୍ଠପୁତ୍ର ଦେବାଶିଷ ମିଶ୍ର ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *