ଭୁବନେଶ୍ୱର, ୧୨/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଶ୍ବ ଆଧୁନିକ ଶିକ୍ଷିତ ସମାଜ ଆଡ଼କୁ ଗତି କରୁଥିବା ବେଳେ, ମାନବ ଅଧିକାର ସୁରକ୍ଷା ସେତିକି କ୍ଷୁର୍ଣ୍ଣ ହେବାରେ ଲାଗିଛି।ଏଣୁ ଏ ଦିଗରେ ବିଭିନ୍ନ ଅନୁଷ୍ଠାନ ମାନେ ନିଃସ୍ବାର୍ଥ ସେବା ଯୋଗାଇଦେବା ଆବଶ୍ୟକ। କର୍ପୋରେଟ ହାଉସ, ପୋଲିସ, ଅସାମାଜିକ ବ୍ୟକ୍ତିଙ୍କ ଦ୍ଵାରା ବହୁ ସମୟରେ ନିରୀହ ନାଗରିକ ମାନେ ଶୋଷିତ, ନିର୍ଯ୍ୟାତିତ ହେଉଥିବା ବେଳେ ସରକାର, ସମ୍ବିଧାନ ତୁରନ୍ତ ନ୍ୟାୟ ଦେବା ବା ସମସ୍ୟାର ସମାଧାନ କରିବାରେ ଅହେତୁକ ବିଳମ୍ବ କରିବା ଯୋଗୁ, ନିର୍ଯ୍ୟାତିତ ମାନେ ବିଭିନ୍ନ ସମାଜସେବୀ ଅନୁଷ୍ଠାନ ଓ ଗଣମାଧ୍ୟମର ସହଯୋଗ ନେଇଥାନ୍ତି।ଏଣୁ ସମାଜସେବୀ ଅନୁଷ୍ଠାନ ମାନେ ନିସ୍ୱାର୍ଥ ପର ଭାବେ ସେବା ଯୋଗାଇଦେବା ନିମନ୍ତେ ସ୍ଥାନିୟ ବୁଦ୍ଧ ମନ୍ଦିର ସମ୍ମିଳନୀ ପ୍ରକୋଷ୍ଠରେ ବିଶ୍ବ ମାନବାଧିକାର ଦିବସ ପାଳନ ଅବସରରେ ବିଶିଷ୍ଟ ସମାଜସେବୀ ତଥା ଆନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନର ସଭାପତି ସୁଶାନ୍ତ କୁମାର ସାବତ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ସହ ଉତ୍ସବକୁ ଉଦଘାଟନ କରିଥିଲେ। ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦର ସଭାପତି ସନି ସାହା ସ୍ଵାଗତ ଭାଷଣ ଦେଇ ପ୍ରତିଷ୍ଠାନର କାର୍ଯ୍ୟକଳାପ ଉପରେ ଅବଗତ କରିବା ସହ ଜୀବନର ସୁଖଦୁଃଖ ସବୁ ପର୍ଯ୍ୟାୟରେ ଏହି ପରିଷଦ ଜନସାଧାରଣଙ୍କ ସହିତ ରହି ତାଙ୍କ ଅଧିକାର ପାଇବାରେ ସାହାଯ୍ୟ କରିବେ ବୋଲି ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଥିଲେ। ପରିଷଦର ରାଜ୍ୟ ସଭାପତି ସାଇ ପ୍ରସାଦ ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗଣତନ୍ତ୍ର ରାଷ୍ଟ୍ର ଗୁଡିକରେ ମାନବ ଅଧିକାର କ୍ଷୁର୍ଣ୍ଣ ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ବିଜେପି ବରିଷ୍ଟ ସଦସ୍ୟ ମହେଶ ମହାନ୍ତି ଓ ଜଗନ୍ନାଥ ପ୍ରଧାନ ଯୋଗଦେଇ ମାନବ ଅଧିକାର ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଶ୍ରୀମତି ସୋଭରାଣିଙ୍କ ସଂଯୋଜନାରେ ଡ. ସରୋଜ ତରାଶିଂ ଓ ଇଷ୍ଟ ଜୋନ୍ ସଭାପତି ବିଶ୍ୱନାଥ ନାହକ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଅନ୍ୟମାନଙ୍କ ମଧ୍ଯରେ ରାଜ୍ୟ ଖାଦ୍ୟ ଅଧିକାରୀ ବିଷ୍ଣୁ ନାହକ, ଅର୍ଗନାଇଜିଂ ସମ୍ପାଦକ ରାମ ଚନ୍ଦ୍ର ଚର୍ଚି, ରାଜ୍ୟ ସହସମ୍ପାଦକ ଶ୍ରୀକାନ୍ତ ଚନ୍ଦ୍ର ସାବତ, ମିହିର ବ୍ରହ୍ମା, ଯୁବ ଉପ ସଭାପତି ଅଶୋକ ବେହେରା, କ୍ରାଇମ କଣ୍ଟ୍ରୋଲ ଅଫିସର ଗୌତମ ନାହକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବହୁ କଳାକାର ଓ ସମାଜସେବୀଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଆଧୁନିକ ଶିକ୍ଷିତ ସମାଜରେ ମାନବ ଅଧିକାର କ୍ଷୁର୍ଣ୍ଣ ହେଉଛି
