ଅଯୋଧ୍ୟା -ବାରଣାସୀ ତୀର୍ଥଯାତ୍ରାରେ କେନ୍ଦ୍ରାପଡ଼ାର ୧୦୮ ବରିଷ୍ଠ ନାଗରିକ

କେନ୍ଦ୍ରାପଡ଼ା, ୦୯/୦୯/୨୦୨୫(ଓଡ଼ିଶା ସମାଚାର)- ଓଡିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ଅଯୋଧ୍ୟା -ବାରଣାସୀ ଅଭିମୁଖେ କେନ୍ଦ୍ରାପଡ଼ା ଜିଲାର ୧୦୮ ଜଣ ବରିଷ୍ଠ ନାଗରିକଙ୍କ ସମେତ ୪ ଜଣ ଏସକର୍ଟ ଅଫିସର ତୀର୍ଥଯାତ୍ରାରେ ବାହାରିଛନ୍ତି । ଆଳି ବ୍ଲକ ରୁ ଜଣେ, ଗରଦପୁର ଏବଂ ପଟ୍ଟାମୁଣ୍ଡାଇ ବ୍ଲକରୁ ୩ ଜଣ ଲେଖାଁଏ, ରାଜନଗରରୁ ୪ ଜଣ, ରାଜକନିକାରୁ ୫ ଜଣ, ଡେରାବିଶରୁ ୧୭ ଜଣ, ମାର୍ଶାଘାଇରୁ ୧୮ ଜଣ, ମହାକାଳପଡ଼ାରୁ ୨୦ ଜଣ ଏବଂ କେନ୍ଦ୍ରାପଡ଼ାରୁ ୩୭ ଜଣ ଯାତ୍ରା କରିଛନ୍ତି ।

ସେଥିମଧ୍ୟରୁ ୬୬ ଜଣ ପୁରୁଷ ଏବଂ ୪୨ ଜଣ ମହିଳା ଅଛନ୍ତି । ସମସ୍ତ ବରିଷ୍ଠ ନାଗରିକଙ୍କ ପଞ୍ଜିକରଣ ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ଅପରାହ୍ନରେ ତିନୋଟି ସ୍ୱତନ୍ତ୍ର ବସ ଯୋଗେ ଜିଲାପାଳଙ୍କ କାର୍ଯ୍ୟାଳୟରୁ ସେମାନେ ଯାତ୍ରା ଆରମ୍ଭ କରିଥିଲେ । ଜିଲାପାଳ ରଘୁରାମ ଆର. ଆୟାର ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଜିଲା ସଂସ୍କୃତି ତଥା ପର୍ଯ୍ୟଟନ ଅଧିକାରୀ ତ୍ରିଭୁବନ ଜୟସିଂ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ବରିଷ୍ଠ ନାଗରିକମାନେ ଆଜି ଭୁବନେଶ୍ୱରରେ ରହଣି କରି ଆସନ୍ତା କାଲି ପୂର୍ବାହ୍ନ୧୧ ଟାରେ ଏକ ସ୍ୱତନ୍ତ୍ର ଟ୍ରେନଯୋଗ ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରିବେ । ସେହି ଟ୍ରେନକୁ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଏହି ଯୋଜନାର ଶୁଭାରମ୍ଭ କରିବେ । ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡ଼ା ସମେତ ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ଢେଙ୍କାନାଳ ଜିଲାର ମୋଟ ୭୭୫ ଜଣ ବରିଷ୍ଠ ନାଗରିକ ଏବଂ ୨୫ ଜଣ ଏସ୍କର୍ଟ ଅଫିସର ଯାତ୍ରା କରିବେ । ଆସନ୍ତା କାଲି ଅର୍ଥାତ ୧୦ ତାରିଖ ଠାରୁ ୧୫ ସେପ୍େଟମ୍ବର ପର୍ଯ୍ୟନ୍ତ ତୀର୍ଥଯାତ୍ରା ପରିଭ୍ରମଣ କରିବେ ।

Leave a Reply

Your email address will not be published. Required fields are marked *