ପ୍ରସ୍ତୁତି ଚାଲିଛି ରୋଡ୍ ମ୍ୟାପ୍, ଚାଷୀଙ୍କ ସୁବିଧାକୁ ପ୍ରାଥମିକତା
ଭୁବନେଶ୍ୱର,୦୯/୦୯/୨୦୨୫ (ଓଡ଼ିଶା ସମାଚାର)- ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଖରିଫ ୨୦୨୫-୨୬ ଋତୁରେ ଫସଲ କ୍ରୟ ନିମନ୍ତେ ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟିର ପ୍ରଥମ ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଅନୁଷ୍ଠିତ ବୈଠକରେ ଚାଷୀଙ୍କ ସୁବିଧାକୁ ପ୍ରାଥମିକତା ଦେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନିର୍ଦେଶ ଦେଇଛନ୍ତି ।
ଏଥିସହିତ ଏବେଠାରୁ ଆନ୍ତଃବିଭାଗୀୟ ସମନ୍ୱୟରେ ସ୍ଥାୟୀ ମଡେଲ ମଣ୍ଡି ପ୍ରସ୍ତୁତ କରିବାକୁ ବୈଠକରେ ନିଷ୍ପତିି ହୋଇଛି । ଆସନ୍ତା ନଭେମ୍ବର ମାସ ଶେଷ ଆଡ଼କୁ ଖରିଫ ଫସଲର ପ୍ରୋକୁ୍ୟରମେଂଟ କରିବାକୁ ସରକାର ଯୋଜନା କରିଛନ୍ତି । ତଦନୁଯାୟୀ, ରୋଡମ୍ୟାପ୍ ପ୍ରସ୍ତୁତି ଚାଲିଛି । ସରକାର ୩୧୦୦ ଟଙ୍କାରେ ଧାନ କିଣିବା କାରଣରୁ ବହୁ ଅଣଧାନ ଚାଷୀ ମଧ୍ୟ ଧାନ ଫସଲ ପାଇଁ ଆଗ୍ରହ ପ୍ରକାଶ କରି ଚଳିତ ବର୍ଷ ଧାନ ଚାଷ କରିଛନ୍ତି । ତେଣୁ ପୂର୍ବବର୍ଷ ତୁଳନାରେ ନୂଆ ଚାଷୀଙ୍କ ପଞ୍ଜିକରଣରେ ୨୯ ପ୍ରତିଶତ ବୃଦ୍ଧି ଘଟିଛି ।
ଏହାବ୍ୟତୀତ ଧାନ କ୍ରୟ ପରବର୍ତୀ ପରିଚାଳନା ପାଇଁ ଅଧିକ ସଂଖ୍ୟକ ଗୋଦାମ ନିର୍ମାଣ କରାଯିବାକୁ ନିଷ୍ପତି ନିଆଯାଇଛି । ଏସବୁ ଏଫସିଆଇ, ସମବାୟ ବିଭାଗ, ୱେର ହାଉସିଂ କର୍ପୋରେସନ ଦ୍ୱାରା କରାଯିବ । ସେହିଭଳି ଏଫସିଆଇ ଦ୍ୱାରା ନିର୍ଦିଷ୍ଟ ପରିମାଣର ଚାଉଳ ପ୍ରୋକୁ୍ୟରମେଂଟ କରାଯିବା ବାଦ୍ ବଳକା ଚାଉଳର ସୁ ପରିଚାଳନା ପାଇଁ ସରକାରଙ୍କ ତରଫରୁ ଇଥାନଲ ପ୍ଲାନ୍ଟ୍କୁ ଯୋଗାଣ, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ବିଭିନ୍ନ ଯୋଜନା ମାଧ୍ୟମରେ ମାଗଣାରେ ଚାଉଳ ବଂଟନ, ଅନ୍ୟଦେଶକୁ ରପ୍ତାନୀ ଭଳି ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରାଯାଇଛି । ଅଧିକ ସଂଖ୍ୟକ ରାଇସ୍ ମିଲ୍ ଖୋଲିବା, ପୂର୍ବରୁ ଥିବା ମିଲ୍ ଗୁଡ଼ିକୁ ଅପଗ୍ରେଡ୍ କରି ହାଇବ୍ରିଡ୍ ମିଲ୍ ରେ ପରିଣତ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଛି ।
ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା, ପ୍ରମୁଖ ଶାସନ ସଚିବ, ଅର୍ଥ ସଞ୍ଜୀବ କୁମାର ମିଶ୍ର, କୃଷି ଡ଼ ଅରବିନ୍ଦ କୁମାର ପାଢ଼ୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଞ୍ଜୟ କୁମାର ସିଂହ, କମିଶନର ତଥା ଶାସନ ସଚିବ, ସମବାୟ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ରହି ପ୍ରସ୍ତୁତି ବିଷୟରେ ନିଜର ସୁଚିନ୍ତିତ ମତାମତ ପୋଷଣ କରିଥିଲେ ।
