ପୂର୍ବତନ ପୋଲିସ ଅଫିସର ଡ଼କ୍ଟର ସୁମନ ଦତ୍ତ ସମ୍ମାନିତ

କଟକ,୦୧/୦୪/୨୦୨୪ (ଓଡ଼ିଶା ସମାଚାର)- ଓଡିଶା ପୋଲିସର ୮୯ତମ ପ୍ରତିଷ୍ଠା ଦିବସ ଏପ୍ରିଲ ଏକ ତାରିଖ ଦିନ କଟକର ଷଷ୍ଠ ବାଟାଲିୟନର ପ୍ୟାରେଡ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରାଉରକେଲାର ବିଶିଷ୍ଟ ସମାଜସେବୀ,ସଂଗଠକ,ବରିଷ୍ଠ କବି ଓ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଡ଼କ୍ଟର ସୁମନ ଦତ୍ତଙ୍କୁ ଓଡିଶା ପୋଲିସ ତରଫରୁ ସମ୍ମାନିତ କରାଯାଇଥିଲା । ଓଡିଶା ପୋଲିସର ମହାନିର୍ଦେଶକ ଶ୍ରୀ ଅରୁଣ ଷଡ଼ଙ୍ଗୀ ପୁଷ୍ପଗୁଚ୍ଛ ଓ ମହାନିର୍ଦେଶକ ଡିସ୍କ ଦେଇ ସୁମନ ଦତ୍ତଙ୍କୁ ସମ୍ମାନିତ କରିବା ସହ ଏଇଭଳି ସମାଜ ପ୍ରତି ପ୍ରତିବଦ୍ଧତା ଜାରି ରଖିବାକୁ ଉପଦେଶ ଦେଇଥିଲେ । ଶ୍ରୀ ଷଡ଼ଙ୍ଗୀ ଅନୁଷ୍ଠିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଓଡିଶା ପୋଲିସର ପରମ୍ପରା ବିଷୟରେ ଅବଗତ କରାଇବା ସହ ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପୋଲିସ ଅଧିକାରୀ, ଥାନା ଓ ବିଭିନ୍ନ ବିଭାଗକୁ ମଧ୍ୟ ସମ୍ମାନିତ କରିଥିଲେ । ଶ୍ରୀ ସୁମନ ଦତ୍ତ ଦୀର୍ଘ ଅଡତିରିଶ ବର୍ଷ ପୋଲିସର ବିଭିନ୍ନ ବିଭାଗରେ ଚାକିରୀ କରି ୨୦୧୩ ମସିହାରେ ଅବସର ଗ୍ରହଣ କଲାପରେ ଅଦ୍ୟାବଧି ନିଜକୁ ସମାଜସେବା କ୍ଷେତ୍ରରେ ନିୟୋଜିତ କରିଛନ୍ତି । ତାଙ୍କର କାର୍ୟ୍ୟକାଳ ଭିତରେ ସେ ତାଳଚେର ଠାରେ ରୁଚା ପତ୍ରିକା, ବଣାଇଁଗଡ଼ ଠାରେ ସୁଲଗ୍ନା ପତ୍ରିକା, ରାୟଗଡା ଠାରେ ପଞ୍ଚାବଟୀ ପତ୍ରିକା, କୁଆଁରମୁଣ୍ଡା ଠାରେ ନାଗରା ପତ୍ରିକାର ଶୁଭାରମ୍ଭ କରିବା ସହ ସମ୍ପାଦନା କରିଛନ୍ତି । ସେହିଭଳି ସମାଜରେ ଭାତୃଭାବ ଓ କଳାର ପ୍ରଚାର ପାଇଁ ରାଜଗାଙ୍ଗପୁର ମହୋତ୍ସବ, ବୀରମିତ୍ରପୁର ମହୋତ୍ସବ, କେନ୍ଦୁଝର ଗୋନାସିକା ଉତ୍ସବ, ବଣାଇଁଗଡ଼ର ଖଣ୍ଡାଧାର ମହୋତ୍ସବ ଆଦିର ସୃଷ୍ଟି କରାଇଛନ୍ତି କ୍ଷ ସୁନ୍ଦରଗଡ଼ ଭଳି ଉପାନ୍ତ ଆଦିବାସୀ ବହୁଳ ଜିଲ୍ଲାରେ ବିଭିନ୍ନ ପ୍ରକାର ସାମାଜିକ କାର୍ୟ୍ୟକ୍ରମମାନ ହାତକୁ ନେଇ ବେଶ ପ୍ରଶଂସିତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ଉପାନ୍ତ ଅଂଚଳ କିଞ୍ଜିରିକେଲା ମହାବିଦ୍ୟାଳୟ ତାଙ୍କ ପ୍ରଚେଷ୍ଟାରେ ହୋଇଥିଲା । ବର୍ତମାନ ସେ ରାଉରକେଲା ଆଇନ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନର ସଭାପତି, ହମିରପୁର ଉନ୍ନୟନ ପରିଷଦର ସଭାପତି, ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନର ସାଧାରଣ ସମ୍ପାଦକ, ରାଉରକେଲା ବିକାଶ ମଞ୍ଚର ଆବାହକ ଥାଇ ରାଉରକେଲାର ଉନ୍ନତି ପାଇଁ ଚେଷ୍ଟିତ । ଏଇଭଳି ବହୁତ ଅନୁଷ୍ଠାନର ସ୍ରଷ୍ଟା ଓ ଜଡିତ । ତାଙ୍କର ଲେଖନୀରୁ ବହୁତ ସଂଖ୍ୟକ ନାଟକ,ଗଳ୍ପ, କବିତା ଓ ରମ୍ୟ ରଚନା ମଧ୍ୟ ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରୁଛି କ୍ଷ ସେ ବିଭିନ୍ନ ସାମାଜିକ, ଶିକ୍ଷା, ସାଂସ୍କୃତିକ ଅନୁଷ୍ଠାନର କର୍ଣ୍ଣଧାର । ବହୁମୁଖୀ ପ୍ରତିଭାର ଅଧିକାରୀ ଶ୍ରୀ ଦତ୍ତ ମଧ୍ୟ ସମ୍ମାନ ସୂଚକ ଡ଼କ୍ଟରେଟ ଉପାଧିରେ ସମ୍ମାନିତ ହୋଇଛନ୍ତି । ଶ୍ରୀ ଦତ୍ତଙ୍କ ଏଇଭଳି ସମ୍ମାନିତ ହୋଇଥିବାରୁ ରାଉରକେଲାର ବୁଦ୍ଧିଜୀବୀ ମାନଙ୍କ ମହଲରେ ଆନନ୍ଦ ଖେଳିଯାଇଛି ।

Leave a Reply

Your email address will not be published. Required fields are marked *