ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ

#      ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ୧୦୦ ଦିନ ଭିତରେ କାର୍ଯ୍ୟାନ୍ୱୟନ ପ୍ରକଳ୍ପଗୁଡ଼ିକର ସମୀକ୍ଷା

#       ପରବର୍ତ୍ତୀ ୧୦୦ ଦିନ ମଧ୍ୟରେ କାର୍ଯ୍ୟାନ୍ୱୟନ କରାଯିବାକୁ ଥିବା ପ୍ରକଳ୍ପ ଚିହ୍ନଟ ଓ ସମୀକ୍ଷା

#        ନିର୍ମାଣ କାର୍ଯ୍ୟର ଗୁଣବତ୍ତା/ମାନ ଉପରେ ଗୁରୁତ୍ୱ ଦେବା ପାଇଁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୭/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ଓସ୍ୱାନ୍‌ ହଲ୍‌ରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଶ୍ରୀ ସିଂହ ରାଜ୍ୟର ସମସ୍ତ ଗ୍ରାମ୍ୟ ଉନ୍ନୟନ ଡିଭିଜନ୍‌ର କାର୍ଯ୍ୟର ସମୀକ୍ଷା କରିଥିଲେ । ସମସ୍ତ ସର୍କଲ ଓ ଡିଭିଜନ୍‌ର ବିଭାଗୀୟ ଅଧିକାରୀମାନେ ଆଭାସି ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ସାମିଲ ହୋଇ ନିର୍ମାଣାଧିନ ଥିବା ସମସ୍ତ ପ୍ରକଳ୍ପର ସ୍ଥିତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦିଗଗୁଡ଼ିକ ବିଷୟରେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ ।

          ସମୀକ୍ଷା ବୈଠକରେ ପ୍ରାରମ୍ଭରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ୧୦୦ ଦିନ ମଧ୍ୟରେ କାର୍ଯ୍ୟନ୍ୱୟନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଉକ୍ତ ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦିଗଗୁଡ଼ିକର ସମୀକ୍ଷା କରାଯାଇଥିଲା । ଏହା ପାରେ ଆଗାମୀ ୧୦୦ ଦିନ ମଧ୍ୟରେ କେଉଁ ସମସ୍ତ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ହେବ ସେ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଉକ୍ତ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ସିଂହ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରତିଟି ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ସହ ନିର୍ମାଣର ଗୁଣବତ୍ତା ଉପରେ ଗୁରୁତ୍ୱ ଦେବା ପାଇଁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ ।

          ଏଥି ସହିତ ଶତପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ବାକି ରହିଥିବା ଟେଣ୍ଡର ପ୍ରକ୍ରିୟା ଯଦି କିଛି ରହିଥାଏ ତା’କୁ ଶେଷ କରିବାକୁ କହିଥିଲେ । ସେହିପରି ବିଜୁ ସେତୁ ଯୋଜନା ଅଧିନରେ ବିଭିନ୍ନ ଜିଲ୍ଲାରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିବା ସହ ଆପ୍ରୋଚ ରୋଡଗୁଡିକୁ ଯଥା ସମୟରେ ସାରିବାକୁ ବୈଠକରେ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା । ନିର୍ବାହୀ ଯନ୍ତ୍ରୀମାନେ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବା ସମୟରେ କେଉଁ ଯୋଜନା ଏବଂ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେଇପାରୁଛି ସେଗୁଡିକୁ ଅନୁଧ୍ୟାନପୂର୍ବକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୨୧-୨୨ ଆର୍ଥିକ ବର୍ଷ ପୂର୍ବରୁ ବାକି ରହିଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ବୁଝିବା ସହ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆ ଯାଇଥିବା ସମସ୍ତ ପ୍ରକଳ୍ପଗୁଡିକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଗଲା । ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧିନରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସାରିବା ସହିତ ୨୦୨୧-୨୨ ପୂର୍ବରୁ ଚାଲୁ ରହିଥିବା ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଜରୁରୀ ବୋଲି ଶ୍ରୀ ସିଂହ  କହିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧିନରେ ସମ୍ପୂର୍ଣ୍ଣ ହୋଇଥିବା ରାସ୍ତାଗୁଡିକର ନିୟମିତ ଓ ସାମୟିକ ରକ୍ଷଣାବେକ୍ଷଣ ନିମନ୍ତେ ସମ୍ପୃକ୍ତ ସଂସ୍ଥାଗୁଡିକ ସହିତ ବୁଝାମଣା କରି କାର୍ଯ୍ୟ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ । ପ୍ରକଳ୍ପ କାର୍ଯ୍ୟ ସମୟରେ ଜମି ଅଧିଗ୍ରହଣରେ ଉପୁଜୁ ଥିବା ସମସ୍ୟା, ବିଶେଷ କରି ଜଙ୍ଗଲ ଜମିଗୁଡିକ ପାଇଁ ଔପଚାରିକତା ସମ୍ପୂର୍ଣ୍ଣ କରି ବିଭାଗକୁ ଜଣାଇବାକୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ ।

       ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପଚାରି ବୁଝିଥିଲେ ।

          ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ଶୁଭଙ୍କର ମହାପାତ୍ର, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଦର୍ଶନ ପରିଡ଼ାଙ୍କ ସମେତ ସମସ୍ତ ବରିଷ୍ଠ ପଦାଧିକାରୀ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *