ପୂର୍ବ ଜୋନ କନିଷ୍ଠ ଆଥଲେଟିକ ଚମ୍ପିଆନସିପ୍

ଖେଳାଳୀ ଚୟନ ପାଇଁ କେନ୍ଦ୍ରାପଡାର ୨୯ଜଣ ଯୋଗଦେଲେ
କେନ୍ଦ୍ରାପଡ଼ା, ୦୮/୦୯/୨୦୨୫(ଓଡ଼ିଶା ସମାଚାର)- ଆସନ୍ତା ୨୨ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରାଂଚିର ମୋରାବାଡି ଫୁଟବଲ ଷ୍ଟାଡିୟମରେ ୩୬ତମ ପୂର୍ବ ଜୋନ କନିଷ୍ଠ ଆଥଲେଟିକ ଚମ୍ପିଆନସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ରାଜ୍ୟ ଆଥଲେଟିକ ଆସୋସିଏସନ ଦ୍ୱାରା କଟକ ବାରବାଟି ଷ୍ଟାଡିୟମ ପୋଲିସ ପଡିଆରେ ଚଳିତମାସ ୬ରୁ ୭ତାରିଖ ଦୁଇଦିନ ଧରି ଖେଳାଳୀ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରାପଡା ଆଥଲେଟିକ ଆସୋସିଏସନ ପକ୍ଷରୁ ୧୪ରୁ ୨୦ବର୍ଷ ବୟସର ୨୯ଜଣ ଖେଳାଳୀ ଯୋଗଦେଇଥିଲେ ।

ଚୟନ ଶିବିରରେ ଲମ୍ବଡିଆଁ, ଉଚ୍ଚାଡିଆଁ, ୬୦ମିଟର, ୨ଶହ ମିଟର, ୪ଶହ ମିଟର, ୬ଶହ ମିଟର, ଏକହଜାର, ତିନିହଜାର, ୫ହଜାର ମିଟର ଦୈାଡ, ସଟପୁଟ୍ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଚୟନ ଶିବିରରେ ଯୋଗଦେବାକୁ କେନ୍ଦ୍ରାପଡାରୁ ୨୯ଜଣ ଖେଳାଳୀଙ୍କୁ ନେଇ ଆଥଲେଟିକ କୋଚ ସେକ ସୌକତ ଖାନ, ମ୍ୟାନେଜର ସୁହାନା ପରୱିନ, ଖ୍ୱାଜା ରମଜାନୀ ଓ ସେକ ଆବାସ ପ୍ରମୁଖ କଟକ ଯାଇଥିଲେ । ରାଜ୍ୟ ଆଥଲେଟିକ ଆସୋସିଏସନ ପକ୍ଷରୁ ଚୟନ ହୋଇଥିବା ଖେଳାଳୀଙ୍କ ସମ୍ପର୍କରେ ପତ୍ର ପାଇବା ପରେ ଖେଳାଳୀମାନେ ରାଂଚିର ମୋରାବାଡି ଫୁଟବଲ ଷ୍ଟାଡିୟମରେ ହେବାକୁ ଥିବା କନିଷ୍ଠ ଆଥଲେଟିକ ଚମ୍ପିଆନସିପ୍ ପ୍ରତିଯୋଗିତାରେ ଭାଗ ନେବାକୁ ଯାତ୍ରା କରିବେ ବୋଲି ଆଥଲେଟିକ ଆସୋସିଏସନ୍ ର ସାଧାରଣ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଓ ପୂର୍ବତନ ଭଲିବଲ ଖେଳାଳୀ ବିକାଶ ଖୁଂଟିଆ ପ୍ରମୁଖ କହିଛନ୍ତି ।

Leave a Reply

Your email address will not be published. Required fields are marked *