କେନ୍ଦ୍ରାପଡ଼ା,୦୮/୦୯/୨୦୨୫(ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି ଆଦର୍ଶ ଶିକ୍ଷୟିତ୍ରୀ କାକୁଲି ମଲ୍ଲିକ । ପବିତ୍ର ଗୁରୁଦିବସ ଅବସରରେ ଇଛାପୁରସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ଅଧ୍ୟକ୍ଷତାରେ ଜିଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଜିଲାପାଳ ରଘୁନାଥ ଆର. ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡା ବ୍ଲକ ଅଧିନସ୍ତ ଓସ୍ତପୁର ଗ୍ରାମପଂଚାୟତର ବିରସ୍ୱତୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ କାକୁଲି ମଲ୍ଲିକଙ୍କୁ ସର୍ବଶ୍ରେଷ୍ଠ ପ୍ରାଥମିକ ଶିକ୍ଷୟିତ୍ରୀ ଭାବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪-୨୫ ଶିକ୍ଷାବର୍ଷ ପାଇଁ ପୁରସ୍କୃତ କରିଛନ୍ତି । ଏହି ଅବସରରେ ଶିକ୍ଷୟିତ୍ରୀ ଶ୍ରୀମତୀ ମଲ୍ଲିକଙ୍କୁ ପୁଷ୍ପଗୁଛ, ଉପଢୌକନ, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହାପୂର୍ବରୁ ଶିକ୍ଷୟିତ୍ରୀ ଶ୍ରୀମତୀ ମଲ୍ଲିକ ୨୦୧୭ମସିହାରେ ରାଜ୍ୟ ପୁରସ୍କାର ଓ ୨୦୨୩-୨୪ ଶିକ୍ଷା ବର୍ଷରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାର ମଧ୍ୟ ଗୌରବ ଅର୍ଜ୍ଜନ କରିଥିଲେ । ତାଙ୍କର ଛାତ୍ରଛାତ୍ରୀମାନଙ୍କ ପାଇଁ ଅକ୍ଳାନ୍ତ ପରିଶ୍ରମ ଓ ଭଲପାଇବା ହିଁ ତାଙ୍କୁ ସଫଳତାର ଶୀର୍ଷ ସ୍ଥାନରେ ପହଂଚାଇ ପାରିଛି ।
