ହିନ୍ଦୀ ଶିକ୍ଷକ ମହେଶ୍ୱର ସାହୁ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

କେନ୍ଦ୍ରାପଡ଼ା,୦୭/୦୯/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁର ସରସ୍ୱତୀ ସରକାରୀ ହାଇସ୍କୁଲର ହିନ୍ଦୀ ଶିକ୍ଷକ ମହେଶ୍ୱର ସାହୁଙ୍କୁ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଇଛାପୁର ଉଚ୍ଚ ବିଦ୍ୟାଳୟରେ ଜିଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲାପାଳ ରଘୁରାମ ଆର.ଆୟାର ଯୋଗଦେଇ ହିନ୍ଦୀ ଶିକ୍ଷକ ଶ୍ରୀ ସାହୁଙ୍କୁ ପୁଷ୍ପଗୁଛ, ଉତରୀୟ, ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ଶ୍ରୀ ସାହୁ ଜଣେ ଛାତ୍ରବତ୍ସଳ, କର୍ତବ୍ୟପରାୟଣ, ପରୋପକାରୀ ଓ ମେଳାପି ଶିକ୍ଷକ ଭାବେ ସାଧାରଣରେ ପରିଚିତ । ଏଥିସହିତ ସେ ବିଭିନ୍ନ ଶିକ୍ଷକ ସଂଗଠନର କର୍ମକର୍ତା ଭାବେ ମଧ୍ୟ କାର୍ଯ୍ୟନିର୍ବାହ କରିଆସୁଛନ୍ତି । ବର୍ତମାନ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ସେ ଜିଲା ହିନ୍ଦୀ ଶିକ୍ଷକ ସଂଘର ସମ୍ପାଦକ ଓ ଓଡିଶା ରାଷ୍ଟ୍ରଭାଷା ପରିଷଦ, ପୁରୀର ମଧ୍ୟ ପ୍ରଚାରକ ରୂପେ ଦୀର୍ଘ ୧୫ବର୍ଷ ହେବ କାର୍ଯ୍ୟ କରି ଆସୁଛନ୍ତି ।

ଏହାବ୍ୟତିତ ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ(ଓଷ୍ଟା)ର ଜିଲା କାର୍ଯ୍ୟକାରିଣୀ ସଦସ୍ୟ ରୂପେ କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ଯେ ଏହି ପୁରସ୍କାର ପାଇବା ତାଙ୍କର ପିତା ସ୍ୱର୍ଗତ ସନାତନ ସାହୁ ଓ ମାତା ସରସ୍ୱତୀ ସାହୁ ଏବଂ ଜ୍ୟେଷ୍ଟଭ୍ରାତା ସ୍ୱର୍ଗତ ଖଗେଶ୍ୱର ସାହୁଙ୍କ ଆଶିର୍ବାଦରୁ ହିଁ ସମ୍ଭବ ହୋଇପାରିଛି । ଏହି ପୁରସ୍କାର ପାଇଥିବାରୁ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟ ଶିକ୍ଷକ,ଶିକ୍ଷୟିତ୍ରୀ, ପରିଚାଳନା ପରିଷଦର କର୍ମକର୍ତା, ଛାତ୍ରଛାତ୍ରୀ ଓ ଅଭିଭାବକ ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତାମାନେ ଶିକ୍ଷକ ଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *