ଅସ୍ତରଙ୍ଗ,୦୭/୦୯/୨୦୨୫(ଓଡ଼ିଶା ସମାଚାର)-ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ୍ ଝାଡ଼ଲିଙ୍ଗ ପଂଚାୟତ ଅଧୀନ ଶ୍ରୀଖଣ୍ଡିବେଲାରୀ ଗ୍ରାମର ତ୍ରିନାଥ ଯୁବକ ସଂଘର ଯୁବକ ମାନେ ଲଗାଉଛନ୍ତି ବିଭିନ୍ନ ପ୍ରକାର ଚାରା । ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ଏଭଳି ଗଛ ଲଗାଉଥିବା କହିଛନ୍ତି ଏହି ସଂଗଠନର ସଦସ୍ୟ । ଜଳବାୟୁ ପରିବର୍ତନ ସହ ବଢ଼ି ଚାଲିଛି ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି । ବନ୍ୟା, ବାତ୍ୟା, ମରୁଡି, ବଜ୍ରପାତ ଭଳି ପ୍ରକୃତି ତାଣ୍ଡବ ଦେଖିବାକୁ ମିଳୁଛି । ପ୍ରତିବର୍ଷ ବଜ୍ରପାତ ଜନିତ ମୃତୁ୍ୟ ସଂଖ୍ୟା ବଢ଼ି ଚାଲିଥିବା ବେଳେ ତାଳଗଛ ହିଁ ବଜ୍ରପାତ ଜନିତ ମୃତୁ୍ୟ ରୋକିପାରିବ ବୋଲି କୁହାଯାଉଛି ।
ଏହି ମହାନ ଆଦର୍ଶରେ ଝାଡ଼ଲିଙ୍ଗ ପଂଚାୟତ ସରପଂଚ ବୃନ୍ଦାବନ ନାୟକଙ୍କ ତତ୍ୱାବଧାନ ରେ ପଂଚାୟତ ଥିବା ବିଭିନ୍ନ ବିଦ୍ୟାଳୟ ରେ ବୃକ୍ଷ ରୋପଣ ପ୍ରତି ସଚେତନ କାର୍ଯ୍ୟକ୍ରମ ହେବା ସହ ଶନିବାର ଦିନ ନାନପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ତାଳ ଗଛ ରୋପଣ ସମ୍ପର୍କରେ ସଚେତନ କରାଯାଇଥିଲା । ଶ୍ରୀଖଣ୍ଡିବେଲାରୀ ଗ୍ରାମର ତ୍ରିନାଥ ଯୁବକ ସଂଘ ସଦସ୍ୟ ମାନେ ଏଯାବତ ୩ ହଜାରରୁ ଊଦ୍ଧ୍ୱର୍ ତାଳଗଛ ଲଗାଇବା ସହ ୫୦୦ରୁ ଅଧିକ ଲିମ୍ବ, ନଡ଼ିଆ ଗଛ ନିଜ ଅଂଚଳରେ ଲଗାଇଛନ୍ତି । ବଜ୍ରପାତ ଜନିତ ମୃତୁ୍ୟକୁ ରୋକିବା ପାଇଁ ସରକାର ତାଳଗଛ ଲଗାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀଖଣ୍ଡି ବେଲାରୀ ଗ୍ରାମର ତ୍ରିନାଥ ଯୁବକ ସଂଘ ତାହା କାର୍ଯ୍ୟରେ କରି ଦେଇଛି ।
ଝାଡ଼ଲିଙ୍ଗ ପଂଚାୟତ ଅଧୀନ ଶ୍ରୀଖଣ୍ଡିବେଲାରୀ ଗ୍ରାମ ନିକଟସ୍ଥ କୋଳିଖିଆ ନଦୀ ବନ୍ଦର ଉଭୟ ପାର୍ଶ୍ୱରେ ଶନିବାର ଦିନ ୫ଶହରୁ ଊଦ୍ଧ୍ୱର୍ ତାଳ ମଞ୍ଜି ରୋପଣ କରାଯାଇଥିଲା । ଯୁବକମାନେ ତାଳଗଛ ଲଗାଇ ଏହାର ରକ୍ଷଣାବେକ୍ଷଣ କରୁଛନ୍ତି । ଯାହାକୁ ନେଇ ପ୍ରଶଂସା କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ଏହି ମଞ୍ଜି ରୋପଣ କାର୍ଯ୍ୟକ୍ରମରେ ତ୍ରିନାଥ ଯୁବକ ସଂଘର ସଦସ୍ୟ ଗଣେଶ ନାୟକ, ବିଚିତ୍ରାନନ୍ଦ ମହାରଣା, ନିକୁଞ୍ଜ ପଢିୟାରୀ, ବୁଦ୍ଧେଶ୍ୱର ମହାରଣା, ବିକାଶ ମହାରଣା, ପ୍ରସନ୍ନ ବିଶ୍ୱାଳ, ଆଦିତ୍ୟ ନାୟକ ପ୍ରମୁଖ ସାମିଲ ହୋଇଥିଲେ ।
