ଗରଦପୁର, ୧୭/୧୨/୨୦୨୪ (ଓଡ଼ିଶା ସମାଚାର)- ଆଜି ଓଷ୍ଟା ତରଫରୁ ଗରଦପୁର ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ତେଣ୍ଡାକୁଡ଼ା ସ୍ଥିତ ଫଜଲହକ୍ ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବ୍ଲକ୍ ସଭାପତି ସୁଧାକର ପରିଡ଼ା ପୌରହିତ୍ୟ କରିଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଓଷ୍ଟା ର କେନ୍ଦ୍ରାପଡ଼ା ଜିଲା ସଭାପତି ଅଶୋକ କୁମାର ପରିଡ଼ା ଓ ମୁଖ୍ୟ ବକ୍ତା ରୂପେ ଜିଲା ସମ୍ପାଦକ ଭଗବାନ ସାହୁ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବେ ଡ଼େରାବିଶ ବ୍ଲକ୍ ସମ୍ପାଦକ ଗଗନ ବିହାରୀ ସୂତାର, ଯୁଗ୍ମ ସମ୍ପାଦକ ଅଲେଖ ମହାନ୍ତି, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଜିତ ଦାସ ମଂଚାସୀନ ଥିବାବେଳେ ଫଜଲହକ୍ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଦିଲିପ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ । ସେହିପରି ବ୍ଲକ୍ ସମ୍ପାଦକ ମଳୟ କୁମାର ପାଣି ଶିଶୁ ମହୋତ୍ସବର ଆଭିମୁଖ୍ୟ “ଶିଶୁ ହସିଲେ ଦୁନିଆ ହସେ” ଶିର୍ଷକ ରେ ଆଲୋକପାତ କରିଥିଲେ ଓ ବିବରଣୀ ପାଠ କରିଥିଲେ । ବ୍ଲକ୍ ର ୨୫ ଗୋଟି ହାଇସ୍ମୁଲ ର ୧୪୮ ଜଣ ବିଦ୍ୟାର୍ଥି ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରତିଯୋଗିତାରେ ସଂଗୀତ, ଏକକ ନୃତ୍ୟ, ଏକକ ଅଭିନୟ, ସାଧାରଣ ଜ୍ଞାନ, ବୋଧ ଜ୍ଞାନ, କବିତା ଆବୃତି, ଗଳ୍ପ ଲିଖନ, କବିତା ଲିଖନ, ଚିତ୍ରାଙ୍କନ, ତର୍କ ଆଦି ପ୍ରତିଯୋଗିତା ହୋଇଥିଲା । ୧ମ , ୨ୟ ଓ ୩ୟ ସ୍ଥାନରେ ବିଜୟୀ ହୋଇଥିବା ୩୦ ଜଣ କୃତି ପ୍ରତିଯୋଗିଙ୍କୁ ଜିଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ କରାଯାଇଥିଲା । ଜିଲା ସ୍ତରୀୟ ଶିଶୁ ଉତ୍ସବ ଆଖୁଆ ଓଡ଼ଙ୍ଗ ହାଇସ୍କୁଲରେ ଡ଼ିସେମ୍ବର ୨୧ ତାରିଖରେ ଅନୁଷ୍ଠିତ ହେବ ବୋଲି ବ୍ଲକ୍ ସମ୍ପାଦକ ମଳୟ କୁମାର ପାଣି ସୂଚନା ଦେଇଥିଲେ ।
ଓଷ୍ଟା ତରଫରୁ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ୨୦୨୪ ଅନୁଷ୍ଠିତ
