ଗୋମାଫିଆଙ୍କ ଆତଙ୍କରାଜ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓଡ଼ିଶାରେ ଫେଲ୍ ମାରିବ

ଭୁବନେଶ୍ୱର,୦୭/୦୯/୨୦୨୫ (ଓଡ଼ିଶା ସମାଚାର)- ଗୋ ମାଫିଆଙ୍କର ଆତଙ୍କରାଜ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କର ସମୃଦ୍ଧ ଓଡ଼ିଶା ଗଠନ ସ୍ୱପ୍ନ ଅଧାରେ ରହିଯିବ ବୋଲି ଦୁଗ୍ଧଚାଷୀମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଗ୍ରାମାଂଚଳର ଅର୍ଥନୀତିକୁ ସମୃଦ୍ଧ କରିବା ପାଇଁ ସରକାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପ୍ରଚଳନ କଲେ । ଚାଷୀମାନେ ବହୁ ଆଗ୍ରହର ସହିତ ଏହି ଯୋଜନାକୁ ସଫଳ କରିବା ପାଇଁ ଲାଗିପଡ଼ିଛନ୍ତି । ଏହି ଯୋଜନା ଅର୍ନ୍ତଭୁକ୍ତ ଜଣେ ଚାଷୀକୁ ବାହାର ରାଜ୍ୟରୁ ଉନ୍ନତ ଧରଣର ଦୁଧିଆଳି ଗାଈ ଆଣି ଦୁଗ୍ଧ ଉତ୍ପାଦନ କଲେ ଆବଶ୍ୟକ ସରକାରୀ ସବସିଡ୍ ପାଇପାରିବ ଏବଂ ତାକୁ ଅନ୍ୟାନ୍ୟ ସହାୟତା ମଧ୍ୟ ମିଳିପାରିବ ।

କିନ୍ତୁ ଦୁଃଖ ଓ ପରିତାପର କଥା ଓଡ଼ିଶାର ଏହି କାମଧେନୁ ଯୋଜନାରେ ଲାଭାନ୍ୱିତ ହେଉଥିବା ଚାଷୀମାନେ ଯେତେବେଳେ ଆନ୍ଧ୍ର, ତେଲେଙ୍ଗାନା ଆଦି ରାଜ୍ୟରୁ ଉନ୍ନତଧରଣର ଦୁଧିଆଳି ଗାଈ ଆଣି ଓଡ଼ିଶା ଆସୁଛନ୍ତି, ସମସ୍ତ କାଗଜପତ୍ର ଠିକ୍ ଥିବା ସତ୍ୱେ ଓ ସେମାନଙ୍କ ଗାଡ଼ିରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କର ଫଟୋଥିବା ବ୍ୟାନର ଲାଗିଥିବା ସତ୍ୱେ ସେମାନଙ୍କୁ ଗୋ ମାଫିଆମାନଙ୍କର ରକ୍ତାକ୍ତ ଆକ୍ରମଣର ଶିକାର ହେବାକୁ ପଡ଼ୁଛି । ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ୨୮ ତାରିଖ ରାତି ୯ଟା ବେଳେ ଆନ୍ଧ୍ରରୁ ଗାଈ ନେଇ ଆସୁଥିବା ଦୁଗ୍ଧଚାଷୀମାନଙ୍କ ଉପରେ ବରମୁଣ୍ଡା ଓଭରବି୍ରଜ୍ ଉପରେ ଗୋ-ମାଫିଆ ମାନଙ୍କର ରକ୍ତାକ୍ତ ଆକ୍ରମଣ ଏବଂ ଶନିବାର ସକାଳେ ପଳାଶୁଣି ଓଭରବ୍ରିଜ୍ ତଳେ ଆନ୍ଧ୍ରରୁ ଗାଈ ନେଇ ଆସୁଥିବା ଦୁଗ୍ଧଚାଷୀମାନଙ୍କ ଉପରେ ଗୋମାଫିଆ ମାନଙ୍କର ଆକ୍ରମଣ । ଉଭୟ ଖଣ୍ଡଗିରି ଥାନା ପୋଲିସ୍ ଅଗଷ୍ଟ ୨୮ ତାରିଖ ଦିନ ଏବଂ ମଂଚେଶ୍ୱର ଥାନା ପୋଲିସ ଦୁଗ୍ଧଚାଷୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି ।

ଗତ ସପ୍ତାହରେ ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗର ଯୋଜନା ଉପରେ ମୂଲ୍ୟାୟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୈନିକ କ୍ଷୀର ଉତ୍ପାଦନ ୬୫ଲକ୍ଷ ଲିଟରରୁ ୧୩୦ ଲକ୍ଷ ଲିଟରକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଜରିଆରେ ହିତାଧିକାରୀମାନଙ୍କୁ ସବସିଡ୍ରେ ଦୁଇଟି ଲେଖାଏ ଗାଈ ଦେଇ ଏହି ଯୋଜନାର ସଫଳ ରୂପାୟନ କିଭଳି କରାଯାଇପାରିବ, ସେ ଦିଗରେ ସବୁ ପଦକ୍ଷେପ ନେବାପାଇଁ ପ୍ରଶାସନକୁ ନିର୍ଦ୍ଧେଶ ଦେଇଛନ୍ତି । କିନ୍ତୁ ଦୁଃଖର କଥା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ହିତାଧିକାରୀମାନେ ଯେତେବେଳେ ଆନ୍ଧ୍ରପ୍ରଦେଶରୁ ଗାଈ କିଣି ଓଡ଼ିଶା ଫେରୁଛନ୍ତି, ସେତେବେଳେ ସେମାନଙ୍କୁ ଗୋମାଫିଆଙ୍କ ରକ୍ତାକ୍ତ ଆକ୍ରମଣର ଶିକାର ହେବାକୁ ପଡ଼ୁଛି ।

ଗତ ଅଗଷ୍ଟ ୨୮ ତାରିଖ ରାତିରେ ଗୋମାଫିଆଙ୍କ ରକ୍ତାକ୍ତ ଆକ୍ରମଣରେ ୪ଜଣ ଚାଷୀ ଆହତ ହୋଇଥିଲେ ଓ ୩ଟି ଗାଡ଼ି ଭଙ୍ଗାରୁଜା ହୋଇଥିଲା ଏବଂ ଗୋଟିଏ ବାଛୁରୀର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା । ସେହିଭଳି ଶନିବାର ମଧ୍ୟ ପଳାଶୁଣି ଛକରେ ଗୋ ମାଫିଆମାନଙ୍କର ଆକ୍ରମଣରେ ୪ଜଣ ଚାଷୀ ଆହତ ହୋଇଥିବା ବେଳେ ୨ଟି ଗାଡ଼ି ଭାଙ୍ଗିରୁଜି ଯାଇଥିଲା ଓ ଗୋଟିଏ କଅଁଳା ବାଚୁରୀର ମୃତୁ୍ୟ ଘଟିଥିଲା । ଦୁଗ୍ଧଚାଷୀମାନଙ୍କ ଉପରେ ଗୋ ମାଫିଆଙ୍କ ଆକ୍ରମଣର ଖବର ପାଇ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ରାଜ୍ୟ ଅଧ୍ୟକ୍ଷ ରବି ବେହେରା, ଅଲ୍ ଓଡ଼ିଶା ଗୋପାଳ ଯାଦବ ମହାସଂଘର ରାଜ୍ୟ ସଭାପତି ନାରାୟଣ ବେହେରା, ଦୁଗ୍ଧ ଉତ୍ପାଦନକାରୀ ସଂଘ, ଭୁବନେଶ୍ୱରର ରାଜ୍ୟ ସମ୍ପାଦକ ନୃସିଂହ ବେହେରା ଓ ଅଲ୍ ଓଡ଼ିଶା ଗୋପାଳ ଯାଦବ ମହାସଂଘ ସମ୍ପାଦକ ନାରାୟଣ ଡାଳୁଆ ଓ ନାରୀ ନେତ୍ରୀ ମାମିନା ବେହେରା ପ୍ରମୁଖ ମଂଚେଶ୍ୱର ଥାନାରେ ପହଂଚିମଲା ବାଛୁରୀ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶତାଧିକ ଦୁଗ୍ଧଚାଷୀମାନେ ଏକାଠି ହେବା ଦେଖି ମଂଚେଶ୍ୱର ଥାନା ପୋଲିସ୍ ଗୋମାଫିଆ ମାନଙ୍କ ବିରୁଦ୍ଧରେ ମୋକଦ୍ଧମା ରୁଜୁ କରିବା ସହିତ ମଲା ବାଛୁରୀର ପୋଷ୍ଟମର୍ଟମ ପାଇଁ ପଠାଇଥିଲେ ।

କିନ୍ତୁ ଏପର୍ଯ୍ୟନ୍ତ ପୋଲିସ୍ କୌଣସି ଆକ୍ରମଣକାରୀଙ୍କୁ ଗିରଫ ନ କରିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ବାରମ୍ବାର ଦୁଗ୍ଧଚାଷୀମାନଙ୍କ ଉପରେ ଏହିଭଳି ଆକ୍ରମଣ ହେଉଥିବା ଯୋଗୁଁ ଚାଷୀମାନେ ଆଉ ବାହାର ରାଜ୍ୟରୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗାଈ ଆଣିବାକୁ ଭୟଭୀତ ହେଉଛନ୍ତି । ଗୋ ମାଫିଆଙ୍କ ଆକ୍ରମଣକୁ ସରକାର ଓ ପୋଲିସ୍ ପ୍ରଶାସନ ଯଦି ଦୃଢ ହସ୍ତରେ ଦମନ ନ କରନ୍ତି, ତାହେଲେ ଆାଗମୀ ଦିନରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବିଫଳ ହେବାର ଆଶଙ୍କା ଦେଖାଦେଇଛି ବୋଲି ଦୁଗ୍ଧଚାଷୀମାନଙ୍କର ମତ । ତେଣୁ ସରକାର ତୁରନ୍ତ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ସଫଳ ରୂପାୟନ ପାଇଁ ମୁଖ୍ୟଶାସନ ସଚିବ, ସ୍ୱରାଷ୍ଟ୍ର ବିଭାଗ ସଚିବ, ପୋଲିସ୍ ମହାନିର୍ଦ୍ଧେଶକ ଓ ଦୁଗ୍ଧଚାଷୀମାନଙ୍କର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ କରି ଏହାର ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବା ପାଇଁ ଦୁଗ୍ଧଚାଷୀମାନେ ଦାବି କରିଛନ୍ତି ।

ହିତାଧିକାରୀମାନଙ୍କୁ ପୋଲିସ୍ ସୁରକ୍ଷା ଯୋଗାଇ ଦେବାକୁ ଏହି ସଂଘ ଗୁଡ଼ିକ ପକ୍ଷରୁ ଦାବି ହେଉଛି । ଏହାବ୍ୟତୀତ କେନ୍ଦ୍ରାପଡ଼ାର ଏକମାଣିଆଠାରେ ମୃତୁ୍ୟବରଣ କରିଥିବା ୭୩ଟି ମଇଁଷି ପାଇଁ ତୁରନ୍ତ ମଇଁଷି ପିଛା ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦୁଗ୍ଧଚାଷୀମାନେ ଦାବି କରିଛନ୍ତି । ଏହି ଆନ୍ଦୋଳନରେ ଯୁବନେତା ସଂଜୟ ବେହେରା, ଉଲ୍ଲାସ ବାହାଲିଆ, ପୀତବାସ ବେହେରା ପ୍ରମୁଖ ସଂଯୋଜନା କରିଥିଲେ । ଯଦି ତୁରନ୍ତ ରାଜ୍ୟ ସରକାର ୨୮ତାରିଖ ଆକ୍ରମଣକାରୀ ଗୋମାଫିଆ ଓ ଶନିବାରର ଆକ୍ରମଣକାରୀ ଗୋମାଫିଆଙ୍କୁ ଗିରଫ ନକରନ୍ତି ଓ ଦୁଗ୍ଧଚାଷୀମାନଙ୍କର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନ ନିଅନ୍ତି, ତାହେଲେ ଆଗାମୀ ବିଧାନସଭା ଅଧିବେଶନ ସମୟରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଦୁଗ୍ଧଚାଷୀମାନଙ୍କ ପକ୍ଷରୁ ସରକାରଙ୍କୁ ସତର୍କ କରାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *