କଟକ, ୬/୯/୨୦୨୫ ( ଓଡ଼ିଶା ସମାଚାର) ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବାଙ୍କୀ ଥାନା ଅଧୀନ ସୁବର୍ଣ୍ଣପୁର ଆଉଟ ପୋଷ୍ଟର ଏସଆଇ ପ୍ରସନ୍ନ କୁମାର ମୋହାଲି।
ଭିଜିଲାନ୍ସ ନିର୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏକ ଇଟା ଫ୍ୟାକ୍ଟ୍ରିକୁ କିଛି ଦୁର୍ବୃତ୍ତ ପୋଡି ଦେଇଥିଲେ। ଏ ନେଇ ଇଟା ଫ୍ୟାକ୍ଟ୍ରି ମାଲିକ ଥାନାରେ ଏତଲା ଦେଇଥିଲେ। ବୀମା ପାଇଁ ଆବେଦନ କରିବା ପାଇଁ ପୂର୍ବରୁ ପଞ୍ଜିକୃତ ମାମଲାର ଏଫଆଇଆର କପି ଦେବା ପାଇଁ ଏସଆଇ ପ୍ରସନ୍ନଙ୍କୁ ଅଭିଯୋଗକାରୀ କହିଥିଲେ। ଏଥିପାଇଁ ଏସଆଇ ପ୍ରସନ୍ନ କୁମାର ମୋହାଲି ଅଭିଯୋଗକାରୀଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଶନିବାର ପ୍ରସନ୍ନ ଅଭିଯୋଗକାରୀଙ୍କ ଠାରୁ ୨୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲା। ପ୍ରସନ୍ନଙ୍କ ନିକଟରୁ ୨୦ ହଜାର ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରିଛି।
ଏ ସମ୍ପର୍କରେ କଟକ ଭିଜିଲାନ୍ସ ପକ୍ଷରୁ ୨୭/୫.୯.୨୦୨୫ ରେ ଏକ ମାମଲା ରୁଜୁ ହୋଇଛି । ଏସଆଇ ପ୍ରସନ୍ନ ଙ୍କ ସୁବର୍ଣ୍ଣପୁର ଆଉଟ ପୋଷ୍ଟ ରେ ଥିବା ବାସ ସ୍ଥାନ, ପାଟକୁରା ଥାନା ଅନ୍ତର୍ଗତ ବେହୁଳ ଗ୍ରାମରେ ଥିବା ଘର ଏବଂ ତାଙ୍କ ଅଫିସ ରେ ଏକ କାଳିନ ଚଢ଼ାଉ କରାଯାଇଛି । ଏସଆଇ ପ୍ରସନ୍ନ କୁମାର ମୋହାଲି ଙ୍କୁ ଗିରଫ କରାଯାଇଛି ।
