ଦିଗପହଣ୍ଡି, ୦୧/୦୬/୨୦୨୬ (ଓଡ଼ିଶା ସମାଚାର)- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଥୁରା ଗ୍ରାମ ପୋଖରୀ ନିକଟରେ କେହି ଶିକାରୀ ବନ୍ୟଜନ୍ତୁ ଶିକାର ପାଇଁ ହାତ ବୋମା ଖଞ୍ଜିଥିଲେ। ଉକ୍ତ ବୋମାଟିକୁ ଚକଡ଼ି ଦେବାରୁ ବିସ୍ଫୋରଣରେ ଘୁଷୁରୀ ଚରାଇବାକୁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ନୂଆ ମଳାଭଞ୍ଜା ଗ୍ରାମ ମେନ୍ ରୋଡ଼ ବନ୍ଧସାହିର ଜି.ରାଜା(୨୮)। ଗତ କାଲି ରବିବାର ସକାଳ ପ୍ରାୟ ୧୦ ଟାରେ ଜି.ରାଜା ତାଙ୍କ ଘୁଷୁରୀ ପଲକୁ ଚରାଇବାକୁ ମଥୁରା ଗାଁ ନିକଟ ପୋଖରୀ ସଂଲଗ୍ନ ଚାଷଜମିକୁ ଯାଇଥିଲେ। ସେଠାରେ ସେ ଘୁଷୁରୀ ଚରାଉଥିବା ବେଳେ ଜମିରେ ପଡ଼ିଥିବା ବୋମାକୁ ଚକଡି ଦେବାରୁ ବିସ୍ଫୋରଣ ହୋଇଥିଲା।
ରାଜାଙ୍କ ଗୋଡ଼,ଜଙ୍ଘ ଓ ଅଣ୍ଟା ତଳକୁ ଭୀଷଣ ଆଘାତ ଲାଗିଥିଲା। ଖବର ପାଇ ପରିବାର ଲୋକେ ସ୍ଥାନୀୟ କିଛି ବ୍ୟକ୍ତିଙ୍କ ସହାୟତାରେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅପରାହ୍ନ ପ୍ରାୟ ୪ ଟାରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ରାଜାଙ୍କ ବାପା ଜି.କ୍ରିଷ୍ଣା ଆଜି ସୋମବାର ସକାଳେ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ପୋଲିସ ମକଦ୍ଦମା ରୁଜୁକରି ତଦନ୍ତ ଚଳାଇଛନ୍ତି। ଆଜି ମଧ୍ୟାହ୍ନରେ ଦିଗପହଣ୍ଡି ପୋଲିସ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲ।
