ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଲକ୍ଷ୍ମୀପୁର ଠାରେ ଗୁରୁ ଦିବସ ପାଳିତ

ଲକ୍ଷ୍ମୀପୁର ୦୫/୦୯/୨୫(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)-ଆମ ଦେଶରେ ଗୁରୁଙ୍କୁ ସମ୍ମାନ ଦେବାର ପରମ୍ପରା ପ୍ରାଚୀନ କାଳରୁ ରହି ଆସିଛି।ହିନ୍ଦୁ ଧର୍ମ ଗ୍ରନ୍ଥରେ ଅନେକ ଗୁରୁଙ୍କ ବର୍ଣ୍ଣନା ରହିଛି। ସେଥିରେ ଗୁରୁ ଶିଷ୍ୟ ପରମ୍ପରାକୁ ଉଚ୍ଚ ସ୍ଥାନ ପ୍ରଦାନ କରାଯାଇଛି।ସେଇ ଭଳି ଆଜି ଏକ ପବିତ୍ର ଦିନଟିକୁ ସମସ୍ତ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ରୂପେ ପାଳନ କାରା ଯାଇଛି।

ଦେଶର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଦେଶ ପ୍ରତି ଅନେକ ଅବଦାନ ରହିଥିବା ବେଳେ ତାଙ୍କ ପ୍ରତି ଛାତ୍ର ମାନଙ୍କର ଖୁବ୍ ଶ୍ରଦ୍ଧା ଥିଲା।ସିଏ ପ୍ରଥମେ ଶିକ୍ଷକ ତାରୁ ରାଷ୍ଟ୍ରପତି ହେବା ପରେ ଏକ ଛାତ୍ର ପ୍ରତିନିଧି ଦଳ ତାଙ୍କୁ ସାକ୍ଷାତ କରି ତାଙ୍କ ଜନ୍ମଦିନ ଜାତୀୟ ସ୍ତରରେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ସେମାନଙ୍କ କଥା ଶୁଣି ତତ୍କାଳିନ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିବା ସହ ସିଏ ନିଜ ଜନ୍ମ ଦିନକୁ ଶିକ୍ଷକ ମାନଙ୍କ ପାଇଁ ସମ୍ମାନ ଆଣିଦେଉ ବୋଲି କହି ଗୁରୁଦିବସ ନାମରେ ନାମିତ କରିଥିଲେ। ସେହି ଦିନଠାରୁ ଆଜିର ଦିନକୁ ସାରା ଭାରତ ବର୍ଷରେ ଗୁରୁଦିବସ ରୂପେ ପାଳନ କରା ଯାଉଥିବା ବେଳେ ଆଜି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୁରୁଦିବସ ପାଳିତ ହୋଇଯାଇଛି।

ଏଥିରେ ସମସ୍ତ ଶିଶୁ ଭାଇ ଭଉଣୀ ମାନେ ଅଥିତି,ଗୁରୁଜୀ ଓ ଗୁରୁମାଙ୍କୁ ପୂଜନ କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାରାୟଣପାଟଣା ବ୍ଲକର ଅବସର ପ୍ରାପ୍ତ ଦୁଇଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ଲିମା ଓ ପି.ସୂର୍ଯ୍ୟନାରାୟଣ ଅତିଥି ଭାବରେ ଯୋଗଦେଇ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ବିଦ୍ୟାଳୟର ପରିଚାଳନା କମିଟି ଉପ ସଭାପତି ମୌତୁସି ପ୍ରଧାନ,ସମ୍ପାଦକ ଏକଲବ୍ୟ ଚୌଧୁରୀ ଓ ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ସାହୁ ଉପସ୍ଥିତ ଥିଲେ।

ଅତିଥି ମାନେ ଗୁରୁ ଦିବସର ତାତ୍ପର୍ଯ୍ୟ ଉପରେ ନିଜ ନିଜ ମନ୍ତବ୍ୟ ପ୍ରକାଶ କରିବା ସହ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବ ପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଦିନକୁ ଆମେ ଗୁରୁଦିବସ ରୂପେ କାହିଁକି ପାଳନ କରୁ ତାହା ଉପରେ ଉପସ୍ଥିତ କୁନି କୁନି ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ।ଗୁରୁଜୀ ଗୋପୀନାଥ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗୁରୁ ମା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *