୩ଜଣିଆ କମିଟି ତଦନ୍ତ କରିବ, ମୃତକଙ୍କ ପରିବାରଙ୍କ ପ୍ରତି ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା ସହିତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ
ଭୁବନେଶ୍ୱର,୦୪/୦୫/୨୦୨୫ (ଓଡ଼ିଶା ସମାଚାର)- କଟକ ଖାନନଗର ନିକଟରେ ୬ ଲେନ ରାସ୍ତା ସମ୍ପ୍ରସାରଣ କାର୍ୟ୍ୟ ଚାଲୁଥୁବା ବେଳେ ବ୍ରିଜ ସ୍ଲାବ ଭୁଶୁଡ଼ି ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହେବା ସହିତ ୨ ଜଣଙ୍କର ଚିକିତ୍ସା ଚାଲିଛି । ମୃତ ଶ୍ରମିକ ମାନେ ହେଉଛନ୍ତି ସୌମ୍ୟ ରଂଜନ ବେହେରା, ଶିବ ଶଙ୍କର ପଟ୍ଟନାୟକ ଓ ସୁବାସ ଭକ୍ତ । ଚିକିତ୍ସାଧିନ ଆହତ ମାନେ ହେଉଛନ୍ତି ଅରୁଣ ବାରିକ ଓ ବିକଳ ଜେନା ।
କଟକ ଖାନନଗର ରେ ବ୍ରିଜ ସ୍ଲାବ ଭୁଶୁଡ଼ିବା ଘଟଣାର ୩ଜଣିଆ କମିଟି ତଦନ୍ତ କରିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଇଞ୍ଜିନିୟର ଇନ୍ ଚିଫ୍ ଲକ୍ଷ୍ମୀକାନ୍ତ ପାଢ଼ୀ କମିଟି ମୁଖ୍ୟ ଥିବାବେଳେ ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦିଆଯିବ। ଏହାପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି।
କଟକ ରିଙ୍ଗରୋଡ଼ ସଂପ୍ରସାରଣ କାର୍ୟ୍ୟ ଚାଲୁଥିବା ବେଳେ ଘଟିଥିବା ଦୁର୍ଘଟଣା ନେଇ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ତେବେ ଏହା ପଛର କାରଣ କ’ଣ ତାହା ଖୁବ ଶୀଘ୍ର ଉନ୍ମୋଚିତ ହେବ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଘଟଣାକୁ ରାଜ୍ୟସରକାର ଖୁବ୍ ଗୁରୁତର ସହ ଗ୍ରହଣ କରିଛନ୍ତି । ଏଥିସହିତ ବିଭାଗ ପକ୍ଷରୁ ୩ ଜଣିଆ ବୈଷୟିକ କମିଟି ଗଠନ କରାଯାଇଛି । କମିଟିରେ ଅଧ୍ୟକ୍ଷ ଭାବେ ପୂର୍ତ୍ତ ବିଭାଗ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଏବଂ ସଦସ୍ୟ ଭାବେ ରାସ୍ତା-୨ର ମୁଖ୍ୟ ଯନ୍ତ୍ରୀ ଏବଂ କଟକର ଅତିରିକ୍ତ ଜିଲ୍ଲାପାଳ ରହିଛନ୍ତି।
କଟକ ଖାନନଗର ନିକଟରେ ୬ ଲେନ ରାସ୍ତା ସମ୍ପ୍ରସାରଣ କାର୍ୟ୍ୟ ଚାଲୁଥୁବା ବେଳେ ଏପରି ଘଟଣା କାହିଁକି ଏବଂ କେଉଁ ପରିସ୍ଥିତିରେ ଘଟିଲା ସେ ସମ୍ପର୍କରେ ଗଠିତ ବୈଷୟିକ କମିଟି ସବୁ ଦିଗକୁ ଅନୁଧ୍ୟାନ ସହ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ । ଯଦି ଏଥିରେ କାହାରି ସମୃକ୍ତି ଜଣା ପଡେ ପରବର୍ତ୍ତୀ ସମୟରେ ଆଇନ ଅନୁସାରେ ଦୃଢ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ।
କଟକରେ ବ୍ରିଜ ସ୍ଲାବ ଭୁଶୁଡ଼ି ୩ ମୃତ୍ୟୁ ଘଟଣାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଦନ୍ତ ନିର୍ଦେଶ ଦେଇଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରଙ୍କ ପ୍ରତି ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା ସହିତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
