“ଏକ ପେଡ଼ ମା’ କେ ନାମ” ଅଭିଯାନ

ଏକ କାଳୀନ ୭୫ ଲକ୍ଷ ବୃକ୍ଷଚାରା ରୋପଣ ପାଇଁ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ସମୀକ୍ଷା
ଭୁବନେଶ୍ୱର,୦୪/୦୯/୨୦୨୫(ଓଡ଼ିଶା ସମାଚାର)- “ଏକ ପେଡ଼ ମା’ କେ ନାମ”- ଅଭିଯାନ ମାଧ୍ୟମରେ ଏକ କାଳୀନ ୭୫ ଲକ୍ଷ ବୃକ୍ଷଚାରା ରୋପଣ ପାଇଁ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୃହ, ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂହ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ ଏନ୍ ଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଜିଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ ।

ଆଗାମୀ ସେପ୍ଟେମ୍ୱର ୧୭ ତାରିଖରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରେ ‘ଏକ ପେଡ୍ ମା’ କେ ନାମ’ -୨.୦ ଅଭିଯାନ ରେ ଗୋଟିଏ ଦିନରେ ଓଡ଼ିଶାରେ ୭୫ ଲକ୍ଷ ବୃକ୍ଷ ଚାରା ରୋପଣ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆହ୍ୱାନ ଦେଇଛନ୍ତି । ଏର୍ପାଇଁ ପୂର୍ବ ନିର୍ଦେଶିତ ଅନୁସାରେ ପ୍ରସ୍ତୁତି ସଂପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ କିପରି ଚାରାରୋପଣ କରାଯିବ , ସେଥିପାଇଁ ଦିଆଯାଇଥିବା ନିର୍ଦ୍ଧେଶନାମା କିପରି କାର୍ଯ୍ୟକାରୀ ହୋଇଛି, ସେ ସଂପର୍କରେ ସମୀକ୍ଷା କରାଯାଇଥିଲା ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଏକକାଳୀନ ୭୫ ଲକ୍ଷ ବୃକ୍ଷ ଚାରା ଲଗାଯିବା ଏକ ବୃହତ୍ ଅଭିଯାନ ହେବ । ବୃକ୍ଷ ଚାରା ରୋପଣ ସହିତ ଏହାକୁ ବଂଚାଇ ରଖିବା ପାଇଁ ତଦାରଖ ବ୍ୟବସ୍ଥାକୁ ସୁବ୍ୟସ୍ଥିତ କରାଯିବାକୁ ସଂପୃ୍କ୍ତ ବିଭାଗ ଓ ସଂସ୍ଥାମାନଙ୍କୁ ନିର୍ଦେଶ ଦିଆଯାଇଛି । ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍ୱଚ୍ଛାସେବୀ ସଂଗଠନ ସମସ୍ତଙ୍କୁ ସାମିଲ କରିବାକୁ ପ୍ରସ୍ତୁତି ଜାରି ରହିଛି । ସେପ୍ଟେମ୍ୱର ୧୭ ତାରିଖ ଅଭିଯାନକୁ ସଫଳ କରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ସମସ୍ତଙ୍କୁ ଅନୁରୋଧ କରିବା ସହିତ ସୁବିଧା ଥିବା ସବୁ ସରକାରୀ କାର୍ଯ୍ୟାଳୟରେ ଚାରା ରୋପଣ ପାଇଁ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *