ରାଜ୍ୟ ଏନ.ଏସ.ଏସ ଶାଖା ପକ୍ଷରୁ “ଓଡ଼ିଶା ଦର୍ଶନ” ପରିଭ୍ରମଣ କାର୍ଯ୍ୟକ୍ରମ ଆୟୋଜିତ

ଓଡ଼ିଶାର ବିଶିଷ୍ଟ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ବୁଲି ଦେଖିବେ ୨୭୦ ଜଣ ଏନ. ଏସ. ଏସ. ସ୍ବେଚ୍ଛାସେବୀ

ଭୁବନେଶ୍ୱର,୦୫/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟ ଏନ. ଏସ. ଏସ ଶାଖା (ଜାତୀୟ ସେବା ଯୋଜନା ଶାଖା) ପକ୍ଷରୁ ଓଡ଼ିଶା ଦର୍ଶନ କାର୍ଯ୍ୟକ୍ରମ-୨୦୨୫ ଆରମ୍ଭ ହୋଇଛି। ଏହି ଓଡ଼ିଶା ଦର୍ଶନ କାର୍ଯ୍ୟକ୍ରମରେ ଫେବୃଆରୀ ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୨୭୦ ଜଣ ଏନ. ଏସ.ଏସ ସ୍ବେଚ୍ଛାସେବୀମାନେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ମନ୍ଦିର, ବେଳାଭୂମି, ଐତିହାସିକ ସ୍ଥାନ ବୁଲି ଦେଖିବା ସହିତ ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଆଦି ମଧ୍ୟ ପରିଭ୍ରମଣ କରିବେ। ଏଥିପାଇଁ ସ୍ବେଚ୍ଛାସେବୀମାନେ ଆଜି ନିଜର ଯାତ୍ରା ଆରମ୍ଭ କରିଛନ୍ତି।

ଆଜି ରେଡ଼କ୍ରସ ଭବନ, ଭୁବନେଶ୍ୱର ଠାରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର, ଉପଶାସନ ସଚିବ ଶ୍ରୀ ରମେଶ ଚନ୍ଦ୍ର ବେହେରା ଓ ଏନ. ଏସ. ଏସ ଆଞ୍ଚଳିକ ନିର୍ଦ୍ଦେଶାଳୟର ଆଞ୍ଚଳିକ ନିର୍ଦ୍ଦେଶକ ସୁଶ୍ରୀ ସରିତା ପଟେଲ ପରିଭ୍ରମଣରେ ଯାଉଥିବା ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମାଜର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ସମାଜସେବା କାର୍ଯ୍ୟରେ ସର୍ବଦା ନିଜର ଯୋଗଦାନ ଜାରି ରଖିବା ପାଇଁ ସ୍ବେଚ୍ଛାସେବୀମାନଙ୍କୁ ପ୍ରେରିତ କରିଥିଲେ।

ଏଥିସହ ଓଡ଼ିଶା ଦର୍ଶନ କାର୍ଯ୍ୟକ୍ରମ ମାଧ୍ୟମରେ ଆମ ରାଜ୍ୟର ଯୁବପିଢ଼ିମାନେ ଓଡ଼ିଶାର ଗୌରବମ୍ୟ ଇତିହାସ, କଳା, ଭାସ୍କର୍ଯ୍ୟ,ଐତିହ୍ୟ ଓ ସଂସ୍କୃତି ସମ୍ବନ୍ଧରେ ଅଗବତ ହେବା ସହ ଭାବ ବିନିମୟ ମାଧ୍ୟମରେ ବିଭିନ୍ନ ଅଞ୍ଚଳର ସାମାଜିକ ଓ ସାଂସ୍କୃତିକ ପରିବେଶ ସମ୍ବନ୍ଧରେ ଅବଗତ ହୋଇପାରିବେ ଯାହା ଦ୍ୱାରା ଆଗାମୀ ଦିନରେ ସ୍ବେଚ୍ଛାସେବୀମାନେ ନିଜର କାର୍ଯ୍ୟକୁ ଆହୁରି ସୁଗମ ଏବଂ ସୂଚାରୁ ରୂପେ ସମ୍ପାଦନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ଓ ଏନ. ଏସ. ଏସ ଆଞ୍ଚଳିକ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ମତପ୍ରକାଶ କରିଥିଲେ।

-0-

ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *