ଭୁବନେଶ୍ୱର, ୦୨/୦୯/୨୦୨୫(ଓଡ଼ିଶା ସମାଚାର)- ନାବାଳିକାଙ୍କୁ ମନ୍ଦିର ବୁଲିବାକୁ ଡାକି ଅସଦାଚରଣ ଏବଂ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ପୂଜାରୀକୁ ୭ ବର୍ଷ ସଜ୍ଜା ଶୁଣାଇଛନ୍ତି କୋର୍ଟ । ଉଲ୍ଲେଖଯୋଗ୍ୟଯେ, କପିଳେଶ୍ୱର ଗ୍ରାମରେ ପ୍ରଭୁ କପିଳେଶ୍ୱରଙ୍କ ମନ୍ଦିର ଅଛି ଯେଉଁଠାରେ ପ୍ରଭୁ କପିଳେଶ୍ୱରଙ୍କ ମନ୍ଦିର ପରିସରରେ ଅନେକ ଦେବୀଦେବୀଙ୍କ ମନ୍ଦିର ଅବସ୍ଥିତ । ସେଠାରେ ଦେବୀ ମା ଦକ୍ଷିଣକାଳୀ ଏବଂ ଦେବତା ଶନିଙ୍କ ମନ୍ଦିର ମଧ୍ୟ ପରିସର ଭିତରେ ଅବସ୍ଥିତ । ମନ୍ଦିରର ଦ୍ୱାର ପ୍ରତିଦିନ ସକାଳରୁ ବିଳମ୍ବିତ ରାତି ପ୍ରାୟ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହେ । ପୀଡିତା ନାବାଳିକା ଝିଅ (୧୩ ବର୍ଷ) କପିଳେଶ୍ୱର, ଚୌରାସାହିର ଏବଂ ଅଭିଯୁକ୍ତ ବିନ୍ଦୁ ମାଲିଆ କପିଳେଶ୍ୱର କଂଚାସାହିର ବାସିନ୍ଦା । ଆସାମୀ ବିନ୍ଦୁ ମାଲିଆ କପିଳେଶ୍ୱର ମନ୍ଦିରରେ ପୂଜକ ଭାବରେ କାର୍ଯ୍ୟ କରନ୍ତି ।
ପ୍ରତିଦିନ ମନ୍ଦିରକୁ ଦର୍ଶନ ପାଇଁ ଅନେକ ଭକ୍ତ ଆସନ୍ତି । ଜୁନ ୩ ତାରିଖ ସନ୍ଧ୍ୟା ସମୟରେ, ନାବାଳିକା ପୀଡିତା ଝିଅ ତାଙ୍କ ଭଉଣୀ (୧୩ ବର୍ଷ) ସହିତ ମା ଦକ୍ଷିଣକାଳୀ ମନ୍ଦିର ର୍ଦଶନ ପାଇଁ ଯାଇଥିଲେ । କିଛି ସମୟ ପରେ ଉଭୟ ଭଉଣୀ କପିଳେଶ୍ୱର ମନ୍ଦିର ପରିସରରେ ଅଲଗା ହୋଇଯାଇଥିଲେ । ରାତି ପ୍ରାୟ ୮ଟା ସମୟରେ ନାବାଳିକା ପୀଡିତା ତାଙ୍କ ଭଉଣୀଙ୍କୁ ମନ୍ଦିର ଭିତରୁ ନପାଇବାରୁ ସେ ମନ୍ଦିର ବାହାରକୁ ଫେରୁଥିଲେ ।
ସେହି ସମୟରେ, ଆସାମୀ ବିନ୍ଦୁ ମାଲିଆ ତାଙ୍କୁ ଶନି ମନ୍ଦିରରେ ପୂଜା ଦେଖିବାକୁ ଡାକିଥିଲେ । ଆସାମୀ ବିନ୍ଦୁ ପୁରୋହିତ ବେଶରେ ଥିବାରୁ ନାବାଳିକା ପୀଡିତ ଜଣକ ବିରୋଧ କରିନଥିଲେ ଏବଂ ତାଙ୍କ ସହିତ ଶନି ମନ୍ଦିରକୁ ଯାଇଥିଲେ । ସେହି ସମୟରେ ଆସାମୀ ବିନ୍ଦୁ ନାବାଳିକା ପୀଡିତାଙ୍କୁ ଶନି ମନ୍ଦିର ନିକଟ ଏକ ଅନ୍ଧାର ସ୍ଥାନକୁ ନେଇଯାଇଥିଲେ । ସେଠାରେ କେହି ଉପସ୍ଥିତ ନଥିବାରୁ ଅଭିଯୁକ୍ତ ବିନ୍ଦୁ ପୀଡିତା ନାବାଳିକାରଭଦ୍ରତାକୁ ଆଘାତ କରିବା ଉଦ୍ଦେଶ୍ୟରେ ତାଙ୍କ ସହିତ ଅନୁପଯୁକ୍ତ କାର୍ଯ୍ୟ କରିଥିଲେ । ଅଭିଯୁକ୍ତଙ୍କ ଏହି କାର୍ଯ୍ୟକଳାପ କୁ ବିରୋଧ କରି ପୀଡିତା ନାବାଳିକା ଝିଅଟି ଜୋରରେ ଚିତ୍କାର କରି ପ୍ରତିବାଦ କରିବାରୁ ଅଭିଯୁକ୍ତ ତାକୁ ହତ୍ୟା କରିବାକୁ ଧମକ ଦେଇଥିଲେ ।
ଏନେଇ ନାବାଳିକା ପୀଡିତା ଜଣକ ଘଟଣା ବିଷୟରେ ତାଙ୍କ ପିତାମାତାଙ୍କୁ ଜଣାଇଦେବାକୁ କହିବାରୁ ଅଭିଯୁକ୍ତ ତାକୁ ଏବଂ ତାଙ୍କ ପିତାମାତାଙ୍କୁ ଜୀବନରେ ମଧ୍ୟ ହତ୍ୟା କରିବାକୁ ଏବଂ ସମାଜରେ ମଧ୍ୟ ଦୋଷ ଦେବାକୁ ଧମକ ଦେଇ ନାବାଳିକା ପୀଡିତାଙ୍କୁ ଛାଡି ଦେଇଥିଲେ । ନାବାଳିକା ପୀଡିତ ଝିଅ ତୁରନ୍ତ ସେହି ସ୍ଥାନ ଛାଡି ମନ୍ଦିର ପରିସରରୁ ବାହାରି ଆସି ଫାଟକରେ ତାଙ୍କ ସଂର୍ପକୀୟ ଭଉଣୀଙ୍କୁ ପାଇଥିଲେ ଏବଂ କାନ୍ଦି କାନ୍ଦି ତାଙ୍କୁ ସମସ୍ତ ଘଟଣା ଜଣାଇଥିଲେ । ପରେ ସେମାନେ ଘରକୁ ଯାଇ ତାଙ୍କ ମା’ଙ୍କୁ ଜଣାଇଥିଲେ । ଏନେଇ ନାବାଳିକା ପୀଡିତାଙ୍କ ମା, ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ଲିଙ୍ଗରାଜ ଥାନାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ।
ଅଭିଯୋଗକାରିଣୀଙ୍କର ଅଭିଯୋଗ ଆଧାରରେ ଶ୍ରୀ ଲିଙ୍ଗରାଜ ଥାନାରେ ଉପରୋକ୍ତ ମାମଲା ରୁଜୁ ହୋଇଥିଲା ଏବଂ ଏହାର ତଦନ୍ତ ଦାଇତ୍ୱ ଥାନାଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ନେଇଥିଲେ । ଶ୍ରୀ ପ୍ରଧାନ ଏହି ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତ ପ୍ରଦ୍ୟୁମ୍ନ କୁମାର ମାଲିଆ ଓରଫ ବିନ୍ଦୁଙ୍କୁ ତୁରନ୍ତ ଗିରଫ କରିଥିଲେ । ଉପରୋକ୍ତ ମାମଲାର ବିଚାର କରି, ମାନ୍ୟବର ଅଦାଲତ ଘଟଣା ସହିତ ସଂପୃକ୍ତ ବିଭିନ୍ନ ସାକ୍ଷ୍ୟ ଓ ଦଲିଲ ଆଧାରରେ ତିନି ମାସ ମଧ୍ୟରେ ବିଚାର ଶେଷ କରିଛନ୍ତି ଏବଂ ଆସାମୀ ପ୍ରଦ୍ୟୁମ୍ନ କୁମାର ମାଲିଆ ଓରଫ ବିନ୍ଦୁଙ୍କୁ ୭ ର୍ବଷର ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି ।
ଏତତବ୍ୟତୀତ ମାନ୍ୟବର ଅଦାଲତ, ନାବାଳିକା ପୀଡିତାଙ୍କ ସହିତ ହୋଇଥିବା ଶାରୀରିକ ଏବଂ ମାନସିକ ଆଘାତକୁ ବିଚାର କରି, ସିଆରପିସି ର ଧାରା ୩୭୫- ଏ ଆଧାରରେ ତଥା ଓଡ଼ିଶା ପୀଡିତା କ୍ଷତି ପୂରଣ ଯୋଜନା ଅନୁଯାୟୀ କ୍ଷତି ପୂରଣ ବାବଦକୁ ୧ଲକ୍ଷ ଟଙ୍କା ରାଶି ଯୋଗାଇ ଦେବାପାଇଁ ଖୋର୍ଦ୍ଧାସ୍ଥିତ ଜିଲା ଆଇନଗତ ସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି ।
