କେନ୍ଦ୍ରାପଡ଼ା,୨୬/୧୧/୨୦୨୪(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ବଜାରର ସମସ୍ତ କାର୍ତିକେଶ୍ୱର ପୂଜା ଓ ଭଷାଣୀ ଉତ୍ସବ ବିନା ବାଣ ଓ ଡିଜେ ରେ ଶେଷ ହୋଇଛି । ଏଥିରେ ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁ ଓ ଶାନ୍ତି କମିଟି ଅଧ୍ୟକ୍ଷ ଦାମୋଦର ତ୍ରିପାଠୀ ଯୋଗଦେଇଥିଲେ । ବୈଠକରେ ସମସ୍ତ ପୂଜା କମିଟିର କର୍ମକର୍ତାଙ୍କ ସମେତ ସଦର ଥାନା ଅଧିକାରୀ ମଧ୍ୟ ଯୋଗଦେଇଥିଲେ । ଯେହେତୁ ଗତ ୨୦୨୨ମସିହାରେ ବାଣ ଫୁଟି ଏକ ଅଘଟଣ ଘଟିଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଚଳିତ କାର୍ତିକେଶ୍ୱର ପୂଜା ଉପରେ ତୀକ୍ଷ୍ଣ ନଜର ରଖିଥିଲେ । ଡା. କାନୁନଗୋଙ୍କ ନିଜ ଗ୍ରାମ ହୋଇଥିବାରୁ ସେ ମଧ୍ୟ ପୂଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ । ଶାନ୍ତି କମିଟିର ସମସ୍ତ ସଦସ୍ୟ ଓ ପୂଜା କମିଟିର କର୍ମକର୍ତାମାନେ ଭଷାଣୀ ଉତ୍ସବ ଦିନ ସଜାଗ ରହି ଉତ୍ସବ ସମ୍ପୂର୍ଣ୍ଣ କରିଥିଲେ । ଠିକ ସମୟରେ ସମସ୍ତ ମେଢ ବିଷର୍ଜ୍ଜନ ଘାଟରେ ପହଂଚିବା ପରେ ଶାନ୍ତି କମିଟିର ଆବାହକ ପ୍ରମୋଦ କୁମାର ସାହୁ ଭୋଗଲାଗି କରିଥିଲେ । ଏଥିସହିତ ସଦର ଥାନା ଅଧିକାରୀ ବିମଳ ମଲ୍ଲିକଙ୍କ ସମେତ ପୋଲିସ ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଶାନ୍ତିଶୃଙ୍ଖଳାର ସହିତ ଭଷାଣୀ ଉତ୍ସବ ସମାପନ ହୋଇଥିବାରୁ ଥାନା ଅଧିକାରୀ ଶ୍ରୀ ମଲ୍ଲିକ ବଜାର କମିଟି ଓ ପୂଜା କମିଟିର ସମସ୍ତ କର୍ମକର୍ତାଙ୍କୁ ପ୍ରଶଂସା କରିଥିଲେ ।