୩ ମୋବାଇଲ, ୬୮ହଜାର ଟଙ୍କା ସହ ପୋଷ୍ଟର ଜବତ
କଟକ, ୦୨/୦୯/୨୦୨୫(ଓଡ଼ିଶା ସମାଚାର)- ହୁ୍ୟଜ ଆପରେ ଟଙ୍କା ରୋଜଗାର କରିବା ଲୋଭ ଦେଖାଇ ଶହ ଶହ ବ୍ୟକ୍ତିଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେବା ଘଟଣାରେ କଟକ ସାଇବର ଥାନା ପୋଲିସ ଆପର ଓଡ଼ିଶା ମୁଖ୍ୟକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ଦାସି ଗ୍ରାମର ପାର୍ଥସାରଥୀ ଦାସ (୬୪) । ପୋଲିସ ଅଭିଯୁକ୍ତ ଠାରୁ ୩ଟି ମୋବାଇଲ, ନଗଦ ୬୮ହଜାର ଟଙ୍କା, ହୁ୍ୟଜ ମାର୍କେଟିଙ୍ଗ ଲିମିଟେଡ଼ର ପ୍ରାଧୀକରଣ ପ୍ରମାଣପତ୍ର ଓ ପୋଷ୍ଟର ଜବତ କରିଛି । ଏହାଛଡ଼ା ପୋଲିସ ଅଭିଯୁକ୍ତ ପାର୍ଥସାରଥୀର ବ୍ୟାଙ୍କ ଆକାଉନ୍ଟରେ ଥିବା ୨ଲକ୍ଷ ୫୧ହଜାର ଟଙ୍କାକୁ ଫି୍ରଜ କରିଦେଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।
ପୋଲିସ ସୂଚନା ମୁତାବକ, ଗତ ଅଗଷ୍ଟ ୨୮ ତାରିଖରେ ସ୍ଥାନୀୟ ଦରଘା ବଜାର ଥାନା ଅନ୍ତର୍ଗତ କଦମରସୁଲ ଅଂଚଳର ମିର୍ଜା ଅଲି ବେଗ ଥାନାରେ ଏକ ଅଭିଯୋଗ ଦାୟର କରିଥିଲେ । ଶ୍ରୀ ବେଗ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ ଯେ, ୨ ମାସ ଧରି ହୁ୍ୟଜ ଆପ ନାମକ ଏକ ମୋବାଇଲ ଆପ୍ଲିକେଶନ ଆପ୍ ବଜାରରେ କାର୍ଯ୍ୟ କରୁଛି । ତାଙ୍କ ଅଂଚଳର ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ବ୍ୟକ୍ତି ପ୍ରତ୍ୟେକ ୧୬୫୦୦ଟଙ୍କା ଲେଖାଏଁ ପଞ୍ଜୀକରଣ ରାଶି ଏହି ଆପ୍ ରେ ଜମା କରି ନିଜକୁ ପଞ୍ଜୀକୃତ କରିଥିଲେ । ଏହି ଯୋଜନାରେ କିଛି ବ୍ୟକ୍ତି ପ୍ରାରମ୍ଭରେ ରିଟର୍ଣ୍ଣ ପାଇଥିଲେ । ସେମାନଙ୍କ ପ୍ରରୋଚନାରେ ଅନ୍ୟମାନେ ଏହି ଆପ୍ ରେ ଯୋଗ ଦେଇଥିଲେ । ହୁ୍ୟଜ ଆପ୍ ର କାର୍ଯ୍ୟାଳୟ ସ୍ଥାନୀୟ ବାଦାମବାଡ଼ି ଏଲଆଇସି କଲୋନୀ ନିକଟସ୍ଥ ଏକ ସ୍କୁଲ ସମ୍ମୁଖରେ ଅବସ୍ଥିତ ଥିଲା । ଏହି ଆପ୍ ର ଓଡ଼ିଶା ମୁଖ୍ୟ ଭାବେ ପାର୍ଥ ସାରଥୀ ଦାସ ଚିହ୍ନଟ ହୋଇଥିଲେ ।
ଗତ ଜୁଲାଇ ୧୫ ତାରିଖରେ ପଞ୍ଜିକୃତ ସଦସ୍ୟମାନେ ସେମାନଙ୍କ ଟଙ୍କା ଫେରି ପାଇବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଆପ୍ ରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତିମାନଙ୍କୁ ଜଣାଇ ଦିଆଯାଇଥିଲା ଯେ, ସେମାନଙ୍କୁ ବାର୍ଷିକ ରକ୍ଷଣାବେକ୍ଷଣ ଦେୟ ବାବଦକୁ ଅତିରିକ୍ତ ୪ ହଜାର ୯୫୦ଟଙ୍କା ଜମା କରିବାକୁ ପଡ଼ିବ । ଅନେକ ଲୋକ ଆପ୍ ମାଧ୍ୟମରେ ଏହି ରାଶି ଜମା କରିଥିଲେ । କିନ୍ତୁ ଗତ ଅଗଷ୍ଟ ୧୯ ତାରିଖରେ ଆପ୍ ହଠାତ କାମ କରିବା ବନ୍ଦ କରିଦେଇଥିଲା । ବାରମ୍ବାର ପ୍ରୟାସ ସତ୍ୱେ କୌଣସି ଫଳାଫଳ ମିଳିନଥିଲା । ଫଳରେ ପଞ୍ଜୀକୃତ ହୋଇଥିବା ବ୍ୟକ୍ତିମାନେ ହୁ୍ୟଜ ଆପ୍ ଦ୍ୱାରା ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ।
ଏହାପରେ ଠକେଇର ଶିକାର ହୋଇଥିବା ଗରିବ ବ୍ୟକ୍ତିଙ୍କ ପକ୍ଷରୁ ଥାନାରେ ଏତଲା ଦାୟର କରାଯାଇଥିଲା । ଏହି ଏତଲାକୁ ଆଧାର କରି କଟକ ସାଇବର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଏହା ପରେ ପୋଲିସ କମିଶନରଙ୍କ ନିର୍ଦେଶରେ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ମାମଲାର ଛାନଭିନକୁ ତ୍ୱରାନ୍ୱିତ କରାଯାଇଥିଲା । ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବାଲେଶ୍ୱର ଚାନ୍ଦିପୁର ପୋଲିସ ସହାୟତାରେ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଗିରଫ ଅଭିଯୁକ୍ତ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଅଭିଯୁକ୍ତ ପାର୍ଥ ସାରଥୀକୁ ରିମାଣ୍ଡରେ ଆଣି କମିଶନରେଟ ପୋଲିସ ଅଧିକ ଖୋଳତାଡ଼ କରିବ ବୋଲି ସୂଚନା ମିଳିଛି ।
