ଡିଜେ ସାଉଣ୍ଡରେ କମ୍ପିଲା ସହର
କେନ୍ଦ୍ରାପଡ଼ା, ୦୧/୦୯/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସହରରେ ଗଣେଶ ଭସାଣୀ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି । ତେଣୁ ବିଭିନ୍ନ ଗଣେଶ ପୂଜା କମିଟି ପକ୍ଷରୁ ବିଦ୍ୟାଦାତା ଗଣେଶଙ୍କ ମୂର୍ତିକୁ ଭସାଣୀ ଶୋଭାଯାତ୍ରାରେ ବାହାରିବା ପାଇଁ ପ୍ରସ୍ତୁତ କରାଯାଇଥିଲା । ସନ୍ଧ୍ୟାରେ ବିଭିନ୍ନ ଗଣେଶ କମିଟି ପକ୍ଷରୁ ମେଢ ଗୁଡିକ ଶୋଭାଯାତ୍ରାରେ ବାହାରିଥିଲା । ଯୁବକମାନେ ଡିଜେର ତାଳେ ତାଳେ ନୃତ୍ୟଗୀତରେ ମତୁଆଲା ହୋଇଉଠିଥିଲେ । ମୋଟ ୨୯ଟି ମେଢ ମଧ୍ୟରୁ ୧୧ଟି ମେଢ ପୁରୁଣା ବସଷ୍ଟାଣ୍ଡ ଦେଇ ସହର ପରିକ୍ରମା କରି ନୂଆ ବସଷ୍ଟାଣ୍ଡ ବିସର୍ଜ୍ଜନ ଘାଟ ପର୍ଯ୍ୟନ୍ତ ଆସିଥିଲେ ।
ନୂଆ ବସଷ୍ଟାଣ୍ଡ ନିକଟ ଗୋବରୀ ନଦୀରେ ସେହି ମେଢ ଗୁଡିକର ମୂର୍ତିଗୁଡିକୁ ବିସର୍ଜନ କରାଯାଇଥିଲା । ସେହିପରି ଅନ୍ୟ ୧୮ ଟି ମେଢ ସହର ପରିକ୍ରମା କରିବା ପରେ ସାନ୍ତସାହି ପୋଲ ଅଭିମୁଖେ ଯାଇଥିଲା । ସେଠାରେ ଗୋବରୀ କେନାଲରେ ମୂର୍ତିଗୁଡିକୁ ବିସର୍ଜନ କରାଯାଇଥିଲା । ଗଣେଶ ଭସାଣୀ ଉତ୍ସବର ସୁପରିଚାଳନା ପାଇଁ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଦ୍ଧାକର ସାହୁ, ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ଼,ଡିଏସପି (ଡିଆଇବି) ଲକ୍ଷ୍ମୀନାରାୟଣ ତିୱାରୀ, ରିଜର୍ଭ ଇନସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ, ଟାଉନ୍ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ସମେତ ଜିଲାର ବିଭିନ୍ନ ଥାନାଧିକାରୀମାନେ ସହର ପରିକ୍ରମା କରି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।
ଏଥିସହ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ୫୦ଜଣ ପୋଲିସ ଅଧିକାରୀ (ଡିଏସପି,ଇନିସପେକ୍ଟର, ଏସ.ଆଇ. ଓ ଏଏସଆଇ)ଙ୍କ ସମେତ ୨୭ ସେକ୍ସନ ପୋଲିସ ସୁରକ୍ଷା ବଳ ଓ ୪୫ଜଣ ଗୃହରକ୍ଷୀଙ୍କୁ ଭସାଣୀ କାର୍ଯ୍ୟରେ ମୁତୟନ କରାଯାଇଥିଲା । ପ୍ରତି ମେଢରେ ପୋଲିସ ବଳଙ୍କୁ ନିୟୋଜିତ କରାଯାଇଥିଲା । ଯାହା ଫଳରେ କୌଣସି ମେଢ ଶୋଭାଯାତ୍ରାରେ ବିଶୃଙ୍ଖଳା ହୋଇ ନଥିଲା । ମହିପାଳ, ବଡ଼ହାଟ, ଗୋପ, ସାନ ମଙ୍ଗଳା, ସାନ୍ତସାହି, ଖଡ଼ିଅଙ୍ଗ, ମଢିଆଳ ବଜାର, ବାଲା ବାବା, ବଣିଆମାଳ, ମୀରପାଟଣା, ଚାଟରାପାଟଣା, ମାଧପୁର ପ୍ରଭୃତି ପୂଜା କମିଟି ପକ୍ଷରୁ ଶୋଭାଯାତ୍ରାରେ ମେଢକୁ ସହର ପରିକ୍ରମା କରାଯାଇ ବିସର୍ଜନ କରାଯାଇଥିଲା ।
ଡିଜେ ଶବ୍ଦରେ ସହର ପ୍ରକମ୍ପିତ ହୋଇଉଠିଥିଲା । ଡିଜେ ଶବ୍ଦରେ ଯୁବକମାନେ ମତୁଆଲା ହେଉଥିଲେ । ୨୫ ଡେିସବଲ ମଧ୍ୟରେ ଡିଜେ ବାଜିବ ବୋଲି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା । କିନ୍ତୁ ଏହାକୁ ଗଣେଶ ପୂଜା କମିଟି ପକ୍ଷରୁ ପାଳନ କରାଯାଇ ନଥିଲା । ଫଳରେ ବରିଷ୍ଠ ନାଗରିକ ଓ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀମାନେ ବହୁ କଷ୍ଟ ଅନୁଭବ କରିଥିଲେ । ଡିଜେର ଛାତିଥରା ଶବ୍ଦ ଅନେକଙ୍କୁ ଅସ୍ୱାଭାବିକ ପରିସ୍ଥିତିରେ ପକାଇଥିଲା ।
