ମାହାଙ୍ଗା ୦୧/୦୯/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- କୁହୁଣ୍ଡା ପଞ୍ଚାୟତ ଧଉଳିଆ ଗ୍ରାମର ଧର୍ମପ୍ରାଣ ବିଷ୍ଣୁ ଚରଣ ଯେନାଙ୍କ ୮୫ ବର୍ଷ ବୟସରେ ରବିବାର ରାତିରେ ଦେହାନ୍ତ ଘଟିଛି । ବୋଧିଆ ରିକ୍ସାବାଲା ନାମରେ ସେ ସବୁଠି ପରିଚିତ ଥିଲେ । ଗ୍ରାମାଞ୍ଚଳରେ ଦୀର୍ଘ ପଚାଶ ବର୍ଷ ତଳୁ ରିକ୍ସା ଟାଣି ନିଜ ପରିବାର ପ୍ରତିପୋଷଣ କରୁଥିବା ବୋଧିଆର ରିକ୍ସା ଧିରେ ଧିରେ ବନ୍ଦ ହୋଇଯିବାରୁ, ପରିବାର ଚଳେଇବା ତା’ଙ୍କ ପାଇଁ କଠିନ ହୋଇପଡିଲା ।
ଆର୍ଥିକ ପରିସ୍ଥିତି ଏବଂ ବାର୍ଦ୍ଧକ୍ୟ ଜନିତ ଅସହାୟତା ଭିତରେ ପେଷି ହୋଇପଡୁଥିବା ବୋଧିଆ ଗତ ସପ୍ତାହ ତଳେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କଟକ ବଡ଼
ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ହସ୍ପିଟାଲରୁ ୨ ଦିନ ତଳେ ଘରକୁ ଫେରିବା ପରେ, ରବିବାର ରାତିରେ ତାଙ୍କର ଦେହାନ୍ତ ଘଟିଛି । ଜଣେ ଶାନ୍ତ ସରଳ ମିଷ୍ଟଭାଷୀ ତଥା ଧର୍ମପ୍ରାଣ ବ୍ୟକ୍ତି ଭାବେ ସେ କେବଳ କୁହୁଣ୍ଡା ପଞ୍ଚାୟତରେ ନୁହଁନ୍ତି, ବରଂ ଆଖପାଖ ଅଂଚଳରେ ସମସ୍ତଙ୍କ ପ୍ରିୟ ଭାଜନ ଥିଲେ ।
ଏହି ବର୍ଷିଆନ ନାଗରିକଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ବିଷ୍ଣୁ ଚରଣ ଯେନାଙ୍କ ଅନ୍ତିମ ଯାତ୍ରାରେ ତାଙ୍କ ପରିବାର, ଆତ୍ମୀୟ ସ୍ୱଜନ ଏବଂ ବହୁ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ପୁତ୍ର ଭିକାରୀ ଚରଣ ଯେନା ମୁଖାଗ୍ନି ଦେଇଥିବା ବେଳେ, ମାନସ, ସନ୍ତୋଷ, ସରୋଜ, ପ୍ରକାଶ, ପ୍ରଦୀପ, ପୁନି ଶବାଧାରରେ ସାମିଲ ହୋଇଥିଲେ ।
ବୋଧିଆ ଙ୍କ ବିୟୋଗରେ ପୂର୍ବତନ ସମିତିସଭ୍ୟ ରାଧାନାଥ ରାଉତ, ସାମାଜିକ କର୍ମୀ ଅଖିଳେଶ ମହାନ୍ତି, ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ, ପୂର୍ବତନ ସରପଞ୍ଚ ସୁବାସ ବେହେରା,ପୂର୍ବତନ ସରପଞ୍ଚ କଳ୍ପନା ଯେନା, ସମିତି ସଭ୍ୟା ସୁପ୍ରଭା ସାମଲ, ସରପଞ୍ଚ ନଳିନୀପ୍ରଭା ପ୍ରଧାନ, ନିରଞ୍ଜନ ମୁଦୁଲି, ସୂର୍ୟ୍ୟମଣି ଧଳ, ବିକ୍ରମ ରାଉତ, ସନ୍ତୋଷ ସ୍ୱାଇଁ, ରଞ୍ଜନ ଦାସ,ପ୍ରଫୁଲ୍ଲ ସାମଲ, ବାଦଲ ସାମଲ, ପ୍ରଶାନ୍ତ ସାମଲ, ଅଜୟ ସାମଲ, ଅଭିମନ୍ୟୁ ସାମଲ, ସୁଦର୍ଶନ ସାମଲ, ପ୍ରଭାତ ଘଡେଇ, ଗୌରୀଶଙ୍କର ମହାପାତ୍ର, ରବୀନ୍ଦ୍ର ପୃଷ୍ଟି,ଜଗନ୍ନାଥ ପଣ୍ଡା, ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।
