ବିଜୁ ପଟ୍ଟନାୟକ କ୍ରୀଡ଼ା ଓ ସାହସିକତା ପୁରସ୍କାର ପ୍ରଦାନ

ଅନିମେଶ କୁଜୁରଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର

୩୦/୦୮/୨୦୨୫ (ଓଡ଼ିଶା ସମାଚାର)-  ଜାତୀୟ କ୍ରୀଡ଼ା ଦିବସ ଅବସରରେ ୨୦୨୪ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟପାଳ ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଛନ୍ତି । ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କର କୀର୍ତିି ଓ କୃତି ଦ୍ୱାରା ଅନୁପ୍ରାଣିତ ହୋଇ ଶୃଙ୍ଖଳା, ଦଳଗତ ଉଦ୍ୟମ, ସାହସ ଓ ନମ୍ରତାର ମୂଲ୍ୟବୋଧକୁ ପାଥେୟ କରି ଓଡ଼ିଶା ଏବଂ ଭାରତକୁ ବିଶ୍ୱ କ୍ରୀଡା ଉତ୍କର୍ଷତାର ଉଜ୍ଜ୍ୱଳ ବତୀଘର କରିବା ନିମନ୍ତେ ପ୍ରୟାସ କରିବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି ।

ଚଳିତ ଅଗଷ୍ଟ ୨୯ ତାରିଖ ଦିନ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୁଲ୍ୟରେ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଏହି ସମାରୋହରେ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ କରି ନିଜ ଉଦବୋଧନରେ ରାଜ୍ୟପାଳ କହିଥିଲେ ଯେ ଯେଉଁ ପିଲାମାନେ କ୍ରୀଡା କ୍ଷେତ୍ରକୁ ଆସୁଛନ୍ତି ସେମାନଙ୍କଠାରେ ଥିବା ଅନ୍ତର୍ନିହିତ ପ୍ରତିଭା ଓ ସମ୍ଭାବନାକୁ ପୋଷଣ କରି ସେମାନଙ୍କୁ ଉତ୍କର୍ଷତା ପ୍ରତିପାଦନ ଦିଗରେ ଉତ୍ସାହିତ କରିବା ଆମର କର୍ତବ୍ୟ ହେବା ଉଚିତ ।

ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନରେ ସମ୍ମାନିତ କୃତୀ କ୍ରୀଡାବିତଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଥିଲେ ଯେ ସେମାନଙ୍କ ସଫଳତା କେବଳ ଏକ ବ୍ୟକ୍ତିଗତ ବିଜୟ ନୁହେଁ ବରଂ ଆମ ରାଜ୍ୟ ଓ ଦେଶ ପାଇଁ ଏକ ସାମୁହିକ ଗର୍ବ । ସେମାନେ ଓଡ଼ିଶାର କ୍ରୀଡା ମନୋଭାବର ମଶାଲ ବାହକ ଏବଂ ଆଗାମୀ ପିଢ଼ି ପାଇଁ ଆଦର୍ଶ  । ସେହିପରି ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କର ସାହସ ଏବଂ ନିଃସ୍ୱାର୍ଥର କାର୍ଯ୍ୟ ଓଡ଼ିଶାର ପ୍ରକୃତ ଆତ୍ମାକୁ ପ୍ରତିଫଳିତ କରେ ଏବଂ ନିର୍ଭୀକତା ଏବଂ ମାନବତାର ସହିତ ସେବା କରିବା ପାଇଁ ଅଗଣିତ ଯୁବ ହୃଦୟକୁ ପ୍ରେରାଣା ଦେଇ ଚାଲିବ ବୋଲି ରାଜ୍ୟପାଳ କହିଥିଲେ ।

୧୦୦ ଓ ୨୦୦ ମିଟରରେ ଜାତୀୟ ରେକର୍ଡଧାରୀ ଧାବକ ଅନିମେଶ କୁଜୁରଙ୍କୁ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପ୍ରଦାନ କରାଯାଇଛି । ୯ ବର୍ଷରୁ କମ ବୟସ ବର୍ଗରେ ଦୁଇ ଥର ବିଶ୍ୱ ପଦକ ବିଜେତା ଚେସ ଖେଳାଳି ସାତ୍ୱିକ ସ୍ୱାଇଁଙ୍କୁ ଶ୍ରେଷ୍ଠ ଉଦୀୟମାନ ଖେଳାଳି, ଶ୍ରେଷ୍ଠ ପାରା ଆଥଲେଟ ଭାବେ ଅନ୍ତର୍ଜାତୀୟ ହ୍ୱିଲଚେୟାର ଫେନସର ରାଖାଲ କୁମାର ସେଠୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ବିଜେତାଙ୍କୁ ଟ୍ରଫି, ମାନପତ୍ର ଏବଂ ଆର୍ଥିକ ରାଶି ପ୍ରଦାନ କରାଯାଇଛି ।

ଜୀବନବ୍ୟାପୀ ସେବା ପୁରସ୍କାର ପାଇଁ ୪ ଲକ୍ଷ, ଶ୍ରେଷ୍ଠ କ୍ରୀଡାବିତଙ୍କୁ ୩ ଲକ୍ଷ, ଶ୍ରେଷ୍ଠ ପାରା କ୍ରୀଡ଼ାବିତ, ଉଦୀୟମାନ ଖେଳାଳି, ଶ୍ରେଷ୍ଠ ପ୍ରଶିକ୍ଷକ ଏବଂ ଶ୍ରେଷ୍ଠ କ୍ରୀଡା ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏଥିସହିତ ଚିତରଞ୍ଜନ ପ୍ରଧାନ ଏବଂ ଜୀବନ କୁମାର ବେହେରାଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି ।

ଏହି ସମାରୋହରେ କ୍ରୀଡା ଓ ଯୁବସେବା, ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ଏକାମ୍ର – ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନକରି ଓଡ଼ିଶାରେ କ୍ରୀଡା ଓ କ୍ରୀଡାବିତଙ୍କ ବିକାଶ ପାଇଁ ସରକାରଙ୍କ ତରଫରୁ ନିଆ ଯାଉଥିବା ବହୁବିଧ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିବା ସହ କ୍ରୀଡା କ୍ଷେତ୍ରରେ ଓଡ଼ିଶାର ସମ୍ଭାବନାକୁ ସଫଳତାରେ ପରିଣତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ଏତଦ୍ ବ୍ୟତୀତ ଓଡ଼ିଶା କିପରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡା ଇଭେଂଟ ଆୟୋଜନ କରି ସୁନାମ ଅର୍ଜନ କରିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ । କ୍ରୀଡା ଓ ଯୁବ ସେବା ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିର୍ଦ୍ଧେଶକ ଏଦୁଲା ବିଜୟ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *