ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ କରି ହାବିଲଦାର ନିଲମ୍ବିତ

କେନ୍ଦ୍ରାପଡ଼ା, ୩୦/୦୮/୨୦୨୫ (ଓଡ଼ିଶା ସମାଚାର)-  ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରିବା ସହ ଅନୈତିକ ସମ୍ପର୍କ ରଖିବାକୁ ପ୍ରବର୍ତାଇବା ଓ ଧମକାଇବା ଅଭିଯୋଗରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି କୁଦାନଗରୀ ଥାନାରେ କାର୍ଯ୍ୟରତ ହାବିଲଦାର ଅଜୟ ସାହୁ  । ତାଙ୍କୁ ନିଲମ୍ବନ କରାଯିବା ସହ ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିବା କେନ୍ଦ୍ରାପଡ଼ା ଜିଲା ଏସପି ସିଦ୍ଧାର୍ଥ କଟ୍ଟାରିଆ ସୂଚନା ଦେଇଛନ୍ତି  ।

ଅଜୟ ଜଣେ ମହିଳାଙ୍କ ଅସହାୟତାର ସୁଯୋଗ ନେଇ ତାଙ୍କୁ ପ୍ରେମ ନିବେଦନ କରିବା ସହ ଏକୁଟିଆ ଦେଖି ଅଶ୍ଳୀଳ ଇଙ୍ଗିତ କରି ଟଣାଓଟରା କରିଥିଲେ । ପ୍ରତିବାଦ କରିବାରୁ ଅଜୟ ତାଙ୍କୁ ମାଡ଼ ମାରି ତନ୍ଟି ଚିପି ଦେବାକୁ ମଧ  ଉଦ୍ୟମ କରିଥିବା ପୀଡ଼ିତା ଅଗଷ୍ଟ ୨୩ ତାରିଖରେ ଏସପିଙ୍କୁ ଭେଟି ଅଭିଯୋଗ କରିଥିଲେ । ଏସପିଙ୍କ ନିର୍ଦ୍ଧେଶ କ୍ରମେ ମାର୍ଶାଘାଇ ପୁଲିସ ମାମଲା ରୁଜୁ କରିଥିଲା  ।

ଅଜୟ ସଂପୃକ୍ତ ମହିଳାଙ୍କ ମୋବାଇଲ୍ ନମ୍ବର ରଖି ତାଙ୍କୁ ବାରମ୍ବାର ଫୋନ୍ କରି ପ୍ରେମ ନିବେଦନ କରିବା ସହ ବାହାରକୁ ବୁଲିବା ପାଇଁ ଡାକୁଥିଲେ, ପ୍ରଲୋଭିତ କରୁଥିଲେ, ଧମକାଉଥିଲେ  । ସଂପୃକ୍ତ ମହିଳାଙ୍କ ସହ ଅଜୟଙ୍କର ଏସଂକ୍ରାନ୍ତ ବାର୍ତାଳାପର ଅଡିଓ ଭାଇରାଲ୍ ହେବା ପରେ ଅଜୟ ଆଉ ଥାନାକୁ ଯାଇନାହାନ୍ତି । ସେ ଡ୍ୟୁଟିରେ ଅନୁପସ୍ଥିତ ରହିବା ନେଇ ଥାନାଧିକାରୀ ଏସପିଙ୍କୁ ରିପୋର୍ଟ କରିଥିଲେ  । ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ମାମଲାର ତଦନ୍ତ ଚାଲୁ ରହିଛି  ।

Leave a Reply

Your email address will not be published. Required fields are marked *