ଭୁବନେଶ୍ୱର,୨୭/୦୮/୨୦୨୫ (ଓଡ଼ିଶା ସମାଚାର)-ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ମାଲକାନଗିରି ଦିଦାୟୀ ସମ୍ପ୍ରଦାୟର କୁମାରୀ ଚମ୍ପା ରାସପେଦାଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ୱର୍ଦ୍ଧିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ତାଙ୍କୁ ଏକ ଲାପଟପ୍ ଉପହାର ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଚମ୍ପାଙ୍କୁ ଆଶୀର୍ବାଦ କରି ଆଗକୁ ଆହୁରି ଭଲ ପାଠ ପଢ଼ିବାକୁ କହିଥିଲେ । ଭଲ ପାଠପଢ଼ି, ଭଲ ଡାକ୍ତର ହୋଇ, ଲୋକଙ୍କ ସେବା କରିପାରିଲେ ତାହା ଜୀବନର ସାର୍ଥକତା ହେବ ବୋଲି ମୁଖ୍ୟମନ୍ତ୍ରୀ ଚମ୍ପାଙ୍କୁ ଉପଦେଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ତାଙ୍କର ସାରା ଜୀବନ ପାଇଁ ପ୍ରେରଣା ସୃଷ୍ଟି କରିବ ବୋଲି କୃତଜ୍ଞତା ପ୍ରକାଶ କରି ଚମ୍ପା କହିଛନ୍ତି । କୁମାରୀ ଚମ୍ପା ହେଉଛନ୍ତି ପିଭିଟିଜି ଦିଦାୟୀ ବର୍ଗର ତଥା ମାଲକାନଗିରି ଜିଲା ଅନୁସୂଚିତ ଜନଜାତି ସମ୍ପ୍ରଦାୟର ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଥିବା ପ୍ରଥମ ଛାତ୍ରୀ । ୨୦୨୫-ନିଟ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା କୁମାରୀ ଚମ୍ପା ଚିତ୍ରକୋଣ୍ଡା ଏସ୍.ଏସ୍.ଡି ସ୍କୁଲରୁ ଦଶମ ଶ୍ରେଣୀ ଓ ଗୋବିନ୍ଦପାଲି ହାୟର ସେକେଣ୍ଡାରୀ ଏସ୍.ଏସ୍.ଡି ସ୍କୁଲରୁ ଯୁକ୍ତ ଦୁଇ ପାସ୍ କରିଛନ୍ତି । ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇ କୁମାରୀ ଚମ୍ପା ବର୍ତମାନ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜରେ ପାଠ ପଢ଼ିବେ ।
