ରାଜ୍ୟରେ ଜଙ୍ଗଲ ଜମିର ଜିଓ-ରେଫରେନ୍ସିଂ ପ୍ରକଳ୍ପ ନେଇ ସମୀକ୍ଷା ବୈଠକ

ଜିଓ-ରେଫରେନ୍ସିଂ କାର୍ଯ୍ୟ ଅଗ୍ରଗତି ନେଇ ରାଜ୍ୟ ସରକାରଙ୍କୁ ମାନ୍ୟବର ସୁପ୍ରିମ କୋର୍ଟ କମିଟିଙ୍କ ଭୂୟସୀ ପ୍ରଶଂସା

ଭୁବନେଶ୍ୱର,୧୯/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟରେ ଜଙ୍ଗଲ ଜମିର ଜିଓ-ରେଫରେନ୍ସିଂ ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଜିଓ-ରେଫରେନ୍ସିଂ କାର୍ଯ୍ୟ ଦ୍ୱାରା ଜଙ୍ଗଲ ଜମିର ସଂରକ୍ଷଣ, ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ୱିତ, ଜଙ୍ଗଲ ଜମି ଉପରେ ଆଦିବାସୀଙ୍କ ଅଧିକାରର ସୁରକ୍ଷା, ଜଙ୍ଗଲ ଉପକଣ୍ଠରେ ରହୁଥିବା ଲୋକମାନଙ୍କର ଅଣଜଙ୍ଗଲଜାତ ଉତ୍ପାଦ ସଂଗ୍ରହ ଏବଂ ଜଙ୍ଗଲ ଜମିକୁ ନେଇ ବିଭିନ୍ନ ସମୟରେ ସୃଷ୍ଟି ହେଉଥିବା ବିବାଦର ଅବସାନ କରିବା ଲକ୍ଷ୍ୟରେ ଏହି ଜିଓ-ରେଫରେନ୍ସିଂ ସହାୟତା କରିବ ।

ବିଭିନ୍ନ ମାମଲାକୁ ବିଚାରକୁ ନେଇ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଗଠିତ କେନ୍ଦ୍ରୀୟ କ୍ଷମତାସଂପନ୍ନ କମିଟି ନିର୍ଦ୍ଦେଶରେ ଏହି କାର୍ଯ୍ୟ ଜାରି ରହିଛି । କମିଟିର ଅଧ୍ୟକ୍ଷ ଶ୍ରୀ ସିଦ୍ଧାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ସୁରେଶ ପନ୍ଥ, ପ୍ରଧାନ ମୁଖ୍ୟ ବନ୍ୟଜନ୍ତୁ ସଂରକ୍ଷକ ଶ୍ରୀ ପ୍ରେମ କୁମାର ଝା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଶ୍ରୀମତୀ ଉମା ନନ୍ଦୁରୀ, ବନ ସଂରକ୍ଷଣ ଆଇନ ନୋଡାଲ ଅଧିକାରୀ ଡଃ କେ. ମୁର୍ଗେସନ, ଓଏସଡ଼ି ଶ୍ରୀ ଲିଙ୍ଗରାଜ ଓତା ଏବଂ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଜି. ରାଜେଶଙ୍କ ସମେତ ବିଭିନ୍ନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ୬୦ ହଜାର ବର୍ଗ କିଲୋମଟିର ଜଙ୍ଗଲ ଜମିର ଜିଓ-ରେଫରେନ୍ସିଂ କାର୍ଯ୍ୟ ଜାରି ରହିଥିବାବେଳେ ଏଥି ମଧ୍ୟରୁ ପ୍ରାୟ ୯୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ଏହି ପ୍ରକ୍ରିୟାକୁ ଐତିହାସିକ ଭାବେ ଅଭିହିତ କରି କମିଟିର ଅଧ୍ୟକ୍ଷ ଶ୍ରୀ ଦାସ କହିଛନ୍ତି ଯେ ଏହା ଦ୍ୱାରା ରାଜ୍ୟର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । ସମଗ୍ର ଦେଶରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ସହ ସର୍ବାଗ୍ରେ ଥିବାରୁ ଏହାକୁ ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ କରାଯିବ । ଏହି ପ୍ରକଳ୍ପର ସଠିକ କାର୍ଯ୍ୟକାରିତା ଓ ସହଯୋଗ ପାଇଁ ସେ ରାଜ୍ୟ ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ।

ସୂଚନାଯୋଗ୍ୟ ଯେ ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ ଅନୁଯାୟୀ ଯେକୌଣସି ଜଙ୍ଗଲ ଜମିରେ ଅଣଜଙ୍ଗଲ ବିକାଶ କାର୍ଯ୍ୟ କରିବା ପାଇଁ କେନ୍ଦ୍ରର ଅନୁମତି ଆବଶ୍ୟକ  । ପୂର୍ବରୁ ସଠିକ୍‌ ରେକର୍ଡ ଉପଲବ୍ଧ ନଥିବାରୁ ବିଭିନ୍ନ ସମୟରେ ଉନ୍ନୟନ କାର୍ଯ୍ୟକୁ ନେଇ ବିଳମ୍ବ ହେଉଥିଲା । ଏହି ଜିଓ-ରେଫରେନ୍ସିଂ ମାଧ୍ୟମରେ ଜଙ୍ଗଲ ଜମିର ସଠିକ୍‌ ସୀମା ନିର୍ଦ୍ଧାରଣ ହୋଇପାରିବ ଏବଂ ଜଙ୍ଗଲ ଜମିକୁ ନେଇ ଅନେକ ସମସ୍ୟା ସମାଧାନ ହୋଇପାରିବା ନେଇ ବୈଠକରେ ମତ ପ୍ରକାଶ ପାଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଥିବା ବୈଷୟିକ ସଂସ୍ଥା ସ୍ପାଟିଆଲ୍‌ ପ୍ଲାନିଂ ଆଣ୍ଡ ଆନାଲିସିସ୍‌ ରିସର୍ଚ୍ଚ ସେଣ୍ଟର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭଦର୍ଶୀ ମିଶ୍ର ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ପକ୍ଷରୁ ବିଭିନ୍ନ ଉପାଦେୟ ତଥ୍ୟ ଉପସ୍ଥାପନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *