ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ଙ୍କ ଯାଜପୁର ବନ୍ୟାଞ୍ଚଳ ଗସ୍ତ ଓ ସମୀକ୍ଷା ବୈଠକ

ଯାଜପୁର,୨୬/୦୮/୨୦୨୫ (ଓଡ଼ିଶା ସମାଚାର)-ଆଜି ସଂଧ୍ୟାରେ ସ୍ଥାନୀୟ ସର୍କିଟ ହାଉସ ଠାରେ ମାନ୍ୟବର ରାଜ୍ୟସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ପ୍ରଭାବିତ ଅଞ୍ଚଳଗୁଡିକରେ ବନ୍ୟାର ପରିସ୍ଥିତି ଓ ଏହାର ମୁକାବିଲା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ନିଆଯାଇଥିବା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆଦି ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା ହୋଇଥିଲା। ଶ୍ରୀ ପୂଜାରୀ ଅଧ୍ୟକ୍ଷତା କରି କହିଲେ ବନ୍ୟା ପରିସ୍ଥିତିରେ ପ୍ରଭାବିତ ଲୋକମାନଙ୍କ ପାଇଁ ସ୍ଥାୟୀ ସମାଧାନ କରାଯିବ। ଜିଲ୍ଲା ପ୍ରଶାସନ  ତରଫରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ହୋଇଥିବା କ୍ଷୟ କ୍ଷତିର ଆକଳନ କରାଯାଇ ଏହାର ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ପ୍ରଭାବିତ ଲୋକମାନଙ୍କୁ କ୍ଷତିପୂରଣ ଦିଆଯିବ। କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ଆଧାର କାର୍ଡ କପି, ମୋବାଇଲ ନମ୍ବର, ବ୍ୟାଙ୍କ ଖାତା ନମ୍ବର କୁ ନେଇ ଏକ ଡାଟା ବେସ ପ୍ରସ୍ତୁତି କଲେ ସିଧା ସଳଖ ଅନଲାଇନ୍ ମାଧ୍ୟମରେ ହିତାଧିକାରୀ କ୍ଷତିପୂରଣ ପାଇପାରିବେ। କୌଣସି ପ୍ରଭାବିତ ବ୍ୟକ୍ତି ଯେପରି ବାଦ୍ ନପଡନ୍ତି ସେଥିପ୍ରତି ଜିଲ୍ଲା ପ୍ରଶାସନ ସଚେତନ ରହିବେ। ଯେ ପର୍ଯ୍ୟନ୍ତ ପ୍ରଭାବିତ ଲୋକମାନେ ଘରକୁ ଫେରିନାହାନ୍ତି ଏବଂ ଘରେ ରୋଷେଇ କରିବା ପର୍ଯ୍ୟନ୍ତ ଖାଦ୍ୟପେୟ ର ବ୍ୟବସ୍ଥା କରାଯିବା ସହିତ ଶୁଖିଲା ରାସନ ପ୍ରଦାନ କରାଯିବ। ଗୋରୁ ଗାଈ ଙ୍କ ପାଇଁ ଗୋଖାଦ୍ୟ ମଧ୍ୟ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।

ବନ୍ୟାଜଳ ନିଷ୍କାସିତ ପରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଗୋଖାଦ୍ୟ, ପାନୀୟ ଜଳ ଉତ୍ସଗୁଡ଼ିକର ବିଶୁଦ୍ଧୀକରଣ, ସ୍ଵାସ୍ଥ୍ୟ ଜନିତ ସମସ୍ୟା ଆଦି ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲା ପ୍ରଦକ୍ଷଣ ଗୃହର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ବଡ଼ଚଣା, କୋରେଇ, ଧର୍ମଶାଳା, ଯାଜପୁର, ବିଂଝାରପୁର ନିର୍ବାଚନମଣ୍ଡଳୀର ବିଧାୟକ ଓ ବିଧାୟିକା, ଜିଲ୍ଲାପାଳ, ଅତିରିକ୍ତ ସ୍ଵତନ୍ତ୍ର ରିଲିଫ୍ କମିଶନର, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଆଜି ଅପରାହ୍ନ ୫.୦୦ ଘଟିକା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଦଶରଥପୁର ଓ ଯାଜପୁର ବ୍ଲକର

 ୨୧ ଟି ପଞ୍ଚାୟତର ୧୮୪୩୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୯୬୪୬ ଜଣ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ୨୬ ଟି ରିଲିଫ ସେଣ୍ଟର୍ ଖୋଲାଯାଇ ପ୍ରଭାବିତ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ଆଜି ଅପରାହ୍ନ ୫.୦୦ ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବନ୍ୟା ଅଞ୍ଚଳରେ ୧୫୦ କ୍ୱିଣ୍ଟାଲ୍ ଚୁଡ଼ା ଓ ୧୫ କ୍ୱିଣ୍ଟାଲ୍ ଗୁଡ଼ ବଣ୍ଟନ କରାଯାଇଛି। ଆମ୍ବୁଲାନ୍ସ ସହିତ ୦୪ ଟି ମେଡିକାଲ ଟିମ୍ ଓ ୦୯ ଟି ଭେଟେରୀନାରୀ ଟିମ୍ ନିୟୋଜିତ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ସାପ କାମୁଡା ଔଷଧ ସମସ୍ତ ଚିକିତ୍ସା ଳୟ ରେ ଉପଲବ୍ଧ ରହିଛି।

ରବି ଋତୁ ପାଇଁ ପନିପରିବା,, ଡାଲିଜାତୀୟ, ରବି ଧାନ ବିହନ କୃଷି ବିଭାଗ ପକ୍ଷରୁ ଚାଷୀ ମାନଙ୍କୁ ଯୋଗାଇଦିଆଯିବ। ଯାଜପୁର ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳ ପାଇଁ ସ୍ଥାୟୀ ରୋଡ଼ ମ୍ୟାପ ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ। ଆଜି ଅପରାହ୍ନରେ ମନ୍ତ୍ରୀ ଅହିୟାସ ଘାଇ ଅଞ୍ଚଳ, ବ୍ରହ୍ମଚାରିପଟଣା, କାଟିଆ, ଜୟନ୍ତରା, କୟାଁ ଅଂଚଳ ଗସ୍ତ କରି ପ୍ରଭାବିତ ଲୋକମାନଙ୍କୁ ଭେଟିଥିଲେ। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ମନ୍ତ୍ରୀଙ୍କୁ କ୍ଷୟ କ୍ଷତି ଓ ରିଲିଫ ଯୋଗାଣ ସମ୍ପର୍କରେ ଅବଗତ କରାଇଥିଲେ।ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଓ ପ୍ରଶାସନ, ଉପଜିଲ୍ଲାପାଳ, ଜଳସମ୍ପଦ ମୁଖ୍ୟ ଯନ୍ତ୍ରୀ, ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *