ଓୟୁଏଟି ର ୬୪ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୫/୦୮/୨୦୨୫ (ଓଡ଼ିଶା ସମାଚାର)-ଛାତ୍ରଛାତ୍ରୀ, କୃଷକମାନଙ୍କ ମଧ୍ୟରେ ତଥା ସମାଜରେ କୃଷି ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ପାଇଁ ଓୟୁଏଟି ଅଗ୍ରଣୀ ଭୂମିକା ନିଭାଇବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ରବିବାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ୬୪ ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ବିଭିନ୍ନ ପ୍ରକାର କୃଷି ଉଦ୍ୟୋଗ ନିମନ୍ତେ ବ୍ୟୟ ଆକଳନ, ଜମି ଓ ବିଦ୍ୟୁତର ଆବଶ୍ୟକତା, ଆୟ ଆକଳନ ଏବଂ ବିଭିନ୍ନ ସବସିଡି ଯୋଜନା ସମ୍ପର୍କରେ ତଥ୍ୟ ରଖି ପ୍ରକଳ୍ପ ପ୍ରୋଫାଇଲ୍ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ଓୟୁଏଟି କର୍ତୃପକ୍ଷଙ୍କୁ କହିଥିଲେ ।

ଏପରି ପ୍ରକଳ୍ପ ପ୍ରୋଫାଇଲ୍ ଛାତ୍ରଛାତ୍ରୀ ଏବଂ କୃଷକମାନଙ୍କୁ କୃଷି ଭିତିକ ଉଦ୍ୟୋଗ ଗୁଡ଼ିକର ଆର୍ଥିକ ସମ୍ଭାବନା ବୁଝିବାରେ ସହାୟକ ହେବ ଏବଂ ସେମାନଙ୍କୁ ଏପରି ଉଦ୍ୟୋଗ ଗୁଡିକୁ ଆପଣାଇବା ନିମନ୍ତେ ଉତ୍ସାହିତ କରିବ ବୋଲି କହିଥିଲେ । ବିଭିନ୍ନ ଜିଲାଗସ୍ତ ସମୟରେ ପରିଦର୍ଶନ କରିଥିବା କୃଷି ବିଜ୍ଞାନ କେନ୍ଦ୍ର ସମ୍ପର୍କରେ ରାଜ୍ୟପାଳ ନିଜର ଉପଲବ୍ଧି ଅବତାରଣା କରି ଚାଷୀମାନଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ପ୍ରଦାନ କରାଯାଉଥିବା ତାଲିମକୁ ପ୍ରଶଂସା କରିଥିଲେ । ତାଲିମ ନେବା ପରେ ଅଳ୍ପ କେତେଜଣ ଚାଷୀ ଔଦ୍ୟୋଗିକ କାର୍ଯ୍ୟକଳାପ କରୁଥିବା ପରିଲକ୍ଷିତ ହେଉଛି । ଯଦି ସମସ୍ତଙ୍କୁ ପ୍ରକଳ୍ପ ପ୍ରୋଫାଇଲ୍ ଦିଆଯାଇ ମାର୍ଗଦର୍ଶନ କରାଯାଏ ତାହେଲେ କୃଷି ଉଦ୍ୟୋଗ କାର୍ଯ୍ୟକଳାପରେ ଅଂଶ ଗ୍ରହଣ ବୃଦ୍ଧି ପାଇବ ବୋଲି ରାଜ୍ୟପାଳ କହିଥିଲେ । ଓୟୁଏଟି ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟପାଳ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କୃଷିକୁ ଭାରତର ମେରୁଦଣ୍ଡ ଭାବେ ବର୍ଣ୍ଣନା କରିଥିଲେ । ଆମ ଦେଶରେ କୃଷି ଏକ ବୃତି ନୁହେଁ ଏହା ଆମ ସଂସ୍କୃତି ର ଏକ ଅଂଶ ଏବଂ ଏହା ପରିବାର ସହିତ ଅର୍ଥନୀତିକୁ କୁ ପ୍ରତିପାଳନ କରେ ବୋଲି କହିଥିଲେ ।

ଓୟୁଏଟି ଭଳି ପ୍ରତିଷ୍ଠାନ ଗୁଡିକ ଦକ୍ଷ ମାନବ ସମ୍ବଳ ଏବଂ ଅଭିନବ ସମାଧାନ କୌଶଳର ବିକାଶ କରିବା ସହିତ ଜଳବାୟୁ ପରିବର୍ତନ, ବଜାରର ହ୍ରାସ – ବୃଦ୍ଧି ଭଳି ଆହ୍ୱାନକୁ ମୁକାବିଲା କରିବାରେ ସହାୟକ ହେବେ । ପ୍ରକ୍ରିୟାକରଣ , ଭାଲ୍ୟୁ ଆଡିସନ, ମାର୍କେଟିଂ ଏବଂ ରପ୍ତାନୀରେ କୃଷିର ବର୍ଦ୍ଧିତ ପରିସର ଉପରେ ଆଲୋକପାତ କରି ସଠିକ୍ କୃଷି, ଜୈବ ପ୍ରଯୁକ୍ତି ବିଦ୍ୟା, କ୍ରୁତ୍ରିମ ବୁଦ୍ଧିମତା ଏବଂ ସ୍ଥାୟୀ ସମ୍ବଳ ପରିଚାଳନା ଉପରେ ଅଧିକ ଧ୍ୟାନ ଦେବାକୁ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ । ଏମଏସଏମଇ ବିଭାଗ ଦ୍ୱାରା କୃଷି ଷ୍ଟାଟ ଅପ୍ ପାଇଁ ଅଗ୍ରଣୀ ନୋଡାଲ କେନ୍ଦ୍ର ଭାବରେ ଓୟୁଏଟି ମାନ୍ୟତା ପାଇବା ଏବଂ ୨୪ ଟି ଷ୍ଟାଟ ଅପକୁ ପରାମର୍ଶ ଦେବା କ୍ଷେତ୍ରରେ ଏହାର ସଫଳତାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ଏହି ପଦକ୍ଷେପ ଗୁଡ଼ିକ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ସହିତ ସମନ୍ୱିତ ।

ଯୁବ କୃଷି ଉଦ୍ୟୋଗୀଙ୍କୁ ସଶକ୍ତ କରି ଓୟୁଏଟି ଗ୍ରାମୀଣ ଉଦ୍ୟୋଗ ଗୁଡିକୁ ପ୍ରୋତ୍ସାହିତ କରିପାରିବ, ନିଯୁକ୍ତି ସୃଷ୍ଟି କରିବା ସହିତ ବିଶ୍ୱ ବଜାରରେ ଓଡ଼ିଶାର ଉପସ୍ଥିତିକୁ ବୃଦ୍ଧି କରିପାରିବ ବୋଲି ରାଜ୍ୟପାଳ କହିଥିଲେ । ଏହି ସମାରୋହରେ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ସମାବେଶକୁ ସମ୍ବୋଧିତ କରିଥିଲେ ଏବଂ ଜୈବିକ କୃଷିର ଗୁରୁତ୍ୱ ଉପରେ ଆଲୋକପାତ କରି ଭାରତ କିରି ଏକ ଆମଦାନୀକାରୀ ରାଷ୍ଟ୍ରରୁ ଏକ ରପ୍ତାନୀକାରୀ ରାଷ୍ଟ୍ରରେ ପରିଣତ ହୋଇଛି ତାହା ଅବତାରଣା କରିଥିଲେ । ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିଜ ବକ୍ତବ୍ୟରେ ଚାଷ ଓ ଚାଷୀର ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପ ଏବଂ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ସ୍ମାର୍ଟ ଚାଷୀ, ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ, ଅଧିକାରୀ, କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ପୁସ୍ତିକା ଉନ୍ମୋଚିତ ହୋଇଥିଲା ଓ ୱାଇଫାଇ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା ।

Leave a Reply

Your email address will not be published. Required fields are marked *