ରାମଚଣ୍ଡୀ ଠାରେ ହେବ ବିଶ୍ୱସ୍ତରୀୟ ସ୍କୁବା ଡାଇଭିଂ ପ୍ରଶିକ୍ଷଣ କେନ୍ଦ୍ର

ଡିସେମ୍ବର ସୁଦ୍ଧା ୩୦୦ ପଦବୀ ପୂରଣ
ଭୁବନେଶ୍ୱର,୨୪/୦୮/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଅଗ୍ନିଶମ ବିଭାଗର ଖାଲିଥିବା ୯୧୧ ପଦବୀ ଏକ ବର୍ଷ ମଧ୍ୟରେ ପୂରଣ ହୋଇଛି । ସେମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଉ ପ୍ରାୟ ୩୦୦ ପଦବୀ ଖାଲି ରହିଛି । ଡିସେମ୍ୱର ସୁଦ୍ଧା ପୂରଣ କରାଯିବ । କୋଣାର୍କର ରାମଚଣ୍ଡୀ ଠାରେ ୧୨ କୋଟି ଟଙ୍କା ବ୍ୟୟରେ ଏକ ଜାତୀୟ ସ୍ତରୀୟ ଜଳଦକ୍ଷତା ଓ ଜୀବନ ରକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ୧୦ କୋଟି ଟଙ୍କା ବିନିମୟରେ ସେଠାରେ ଏକ ବିଶ୍ୱସ୍ତରୀୟ ସ୍କୁବା ଡାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ କରାଯିବ । ଉଦ୍ଧାର କାର୍ଯ୍ୟରେ ଲିପ୍ତ ପୁଲିସ, ଅଗ୍ନିଶମ ଓ ଗୃହରକ୍ଷୀ କର୍ମଚାରୀମାନଙ୍କୁ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବ । ଓଡ଼ିଶା ଅଗ୍ନିଶମ ବିଭାଗକୁ ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱସ୍ତରୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ।


ଶନିବାର ଭୁବନେଶ୍ୱର ବରମୁଣ୍ଡା ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ୬୧ତମ ଅଗ୍ନିଯୋଦ୍ଧା ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିପଦରେ ପଡ଼ିଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଦେବା ପାଇଁ ପ୍ରଥମେ ପହଂଚିଥାନ୍ତି ଆମ ଅଗ୍ନିଯୋଦ୍ଧାମାନେ । ସେମାନେ ହେଉଛନ୍ତି ପ୍ରଥମ ରେସ୍୍ପଣ୍ଡର୍ । ବିପନ୍ନ ଲୋକଙ୍କ ପାଖରେ ସେମାନେ ହିଁ ସରକାରଙ୍କ ଚେହେରା । ସମୁଦାୟ ୯୧୧ ଅଗ୍ନିଯୋଦ୍ଧା ପାସିଂ ଆଉଟ୍ ପରେଡ୍ ରେ ଯୋଗଦେଇ ଅଗ୍ନିଶମ ବାହିନୀରେ କାର୍ଯ୍ୟାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଶିକ୍ଷାର୍ଥୀମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଗ୍ନିଯୋଦ୍ଧାମାନେ କାର୍ଯ୍ୟକ୍ଷେତ୍ରରେ ବହୁ କଠିନ ପରିଶ୍ରମ କରିଥାନ୍ତି ।

ସେଥିପାଇଁ ସବୁବେଳେ ଓ ସବୁ ସମୟରେ ଶାରୀରିକ ଫିଟ୍ ରହିବା ଆବଶ୍ୟକ । ଏ ଦିଗରେ ଆଜି ନୂଆକରି ଦାୟିତ୍ୱ ନେଉଥିବା ଓ ବିଭାଗରେ ପୂର୍ବରୁ କାର୍ଯ୍ୟ କରୁଥିବା ସମସ୍ତ ଅଗ୍ନିଯୋଦ୍ଧାମାନେ ସଚେତନ ରହିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଅଗ୍ନିଶମ ବିଭାଗ ସାରା ଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କାର୍ଯ୍ୟଦକ୍ଷତା ଭିତିରେ ଦେଶର ସର୍ବଶ୍ରେଷ୍ଠ ତିନି ଗୋଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି । ଓଡ଼ିଶା ଅଗ୍ନିଶମ ବିଭାଗ ଏବଂ ଅଗ୍ନିଯୋଦ୍ଧାମାନେ ଦେଶରେ ଶ୍ରେଷ୍ଠତା ଅର୍ଜନ କରିଛନ୍ତି ବୋଲି ସେ କହିଥିଲେ । ବିଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ଥିବା ୩୪୬ଟି ଦମକଳ କେନ୍ଦ୍ର ପାଖାପାଖି ୫୦ ହଜାର କଲ୍ ଆଟେଣ୍ଡ୍ କରିଛନ୍ତି । ୭୫୯୯ ମୂଲ୍ୟବାନ ଜୀବନ ବଂଚାଇଛନ୍ତି, ୧୭ ହଜାର ପ୍ରାଣୀଙ୍କୁ ଉଦ୍ଧାର କରିଛନ୍ତି । ଏ ସମସ୍ତ କାମ ସରକାରଙ୍କ ପାଇଁ ସୁନାମ ଆଣିଛି । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ବର୍ତମାନର ପରିବର୍ତନଶୀଳ ପରିବେଶକୁ ନେଇ ଆମକୁ ଆହୁରି ସୁଦୃଢ଼ ହେବାକୁ ପଡ଼ିବ । ନୂଆ ନୂଆ ଜ୍ଞାନକୌଶଳ ପ୍ରୟୋଗ ବିଷୟରେ ଆମକୁ ସଜାଗ ହେବାକୁ ପଡିବ । ଏଥିପାଇଁ ଆମ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

ଅଗ୍ନିଯୋଦ୍ଧାମାନଙ୍କ ପ୍ରଶିକ୍ଷଣର ମାନବୃଦ୍ଧି ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚରେ ଆମେ ଏକ ବିଶ୍ୱସ୍ତରୀୟ ସିମୁଲେଟର୍ ପ୍ରତିଷ୍ଠା କରିବାକୁ ଯାଉଛୁ । ଏହି ସିମୁଲେଟର୍ ମାଧ୍ୟମରେ ଆମ ଅଗ୍ନିଯୋଦ୍ଧାମାନେ ଅତ୍ୟାଧୁନିକ ପ୍ରଶିକ୍ଷଣ ଓ କଠିନ ପରିସ୍ଥିତିର ମୁକାବିଲା ପାଇଁ ଅଭ୍ୟାସ କରିପାରିବେ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ପାଣିରେ ବୁଡି ଜୀବନହାନି ଘଟଣା ପ୍ରତି ସମ୍ୱେଦନଶୀଳ ହୋଇ କହିଥିଲେ ଯେ ଜଳସୁରକ୍ଷା ପ୍ରତି ବିଭାଗ ପକ୍ଷରୁ ରାଜ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉ । ବିଶେଷକରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସନ୍ତରଣ ଶିକ୍ଷା ପ୍ରତି ସଚେତନତା ବୃଦ୍ଧି ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ । ପ୍ରତ୍ୟେକ ଅଗ୍ନିଶମ ଗାଡ଼ିରେ ଫାଷ୍ଟଏଡ୍ କିଟ୍ ଓ ଆଧୁନିକ ଷ୍ଟ୍ରେଚର୍ ରଖନ୍ତୁ, ଯାହାଦ୍ୱାରା ଅନେକ ଅମୂଲ୍ୟ ଜୀବନ ଗୋଲଡେନ୍ ଆୱାର୍ ଭିତରେ ବଂଚାଯାଇପାରିବ । ଏଥି ସହିତ ବିଭିନ୍ନ ଅନୁଷ୍ଠାନ ଯେପରିକି ମେଡିକାଲ୍, ସ୍କୁଲ୍ କଲେଜ କ୍ୟାମ୍ପସ୍, ଆପାର୍ଟମେଂଟ, ବାଣିଜ୍ୟ ଅନୁଷ୍ଠାନଗୁଡ଼ିକରେ ସେଠାକାର କର୍ମଚାରୀମାନଙ୍କୁ ନିଆଁକୁ ଆୟତ କରିବା ସମ୍ୱନ୍ଧୀୟ ପ୍ରଶିକ୍ଷଣକୁ ଆହୁରି ବ୍ୟାପକ କରିବାକୁ ପଡ଼ିବ ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଗ୍ନି ନିର୍ବାପନ ଓ ବିପଦ ସମୟରେ ଉଦ୍ଧାର କାର୍ଯ୍ୟର ଜ୍ଞାନ ଆହରଣ ପାଇଁ ଆବଶ୍ୟକ ସ୍ଥଳେ ଅଗ୍ନିଯୋଦ୍ଧା ଓ ଅଧିକାରୀମାନଙ୍କୁ ରାଜ୍ୟ ବାହାରକୁ ପ୍ରଶିକ୍ଷଣ ପାଇଁ ମଧ୍ୟ ପଠାନ୍ତୁ । ଶେଷରେ ମୁଖ୍ୟମନ୍ତ୍ରୀ ପ୍ରଶିକ୍ଷାର୍ଥୀମାନଙ୍କୁ କହିଥିଲେ ଯେ ରାଜ୍ୟବାସୀଙ୍କୁ ନିରାପଦ ଓ ସୁରକ୍ଷିତ ପରବେଶ ପ୍ରଦାନ କରିବା ହେଉଛି ଆପଣମାନଙ୍କ ଦାୟିତ୍ୱ । ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ନିଆଁ, ପାଣି, ପବନ, ଝଡ଼, ବର୍ଷା ସମସ୍ତେ ଆପଣଙ୍କ ନିକଟରେ ହାର ମାନିବେ । ଆପଣମାନେ ହୁଅନ୍ତୁ ଅଜେୟ-ଅଭେଦ୍ୟ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଗ୍ନିଯୋଦ୍ଧା ଶୀର୍ଷକ ଏକ ଥିମ୍ ସଙ୍ଗ ଲୋକାର୍ପିତ କରିବା ସହ ଚାରାରୋପଣ କରିଥିଲେ । ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ, ରାଜସ୍ୱ ଓ ବିର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପ୍ରଶିକ୍ଷାର୍ଥୀଙ୍କ ପରିବାର ସଦସ୍ୟ ଏବଂ ପୁଲିସ ଓ ଅଗ୍ନିଶମ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ ଅବସରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ । ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ମହାନିର୍ଦ୍ଧେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଉପ ମହାନିରୀକ୍ଷକ ଉମାଶଙ୍କର ଦାଶ ଦୀକ୍ଷାନ୍ତ ସମାରୋହରେ ପ୍ରଶିକ୍ଷାର୍ଥୀଙ୍କୁ ଶପଥ ପାଠ କରାଇଥିଲେ ।

Leave a Reply

Your email address will not be published. Required fields are marked *