ସମ୍ବଲପୁର,୨୪/୦୮/୨୦୨୫ (ଓଡ଼ିଶା ସମାଚାର)- ଉପରମୁଣ୍ଡରେ ବର୍ଷା ଲାଗି ରହିବା ଫଳରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ିବାରେ ଲାଗିଛି। ଶନିବାର ଦୁଇଟି ପର୍ୟ୍ୟାୟରେ ୮ଟି ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସିତ ହେଉଥିଲା।
ରବିବାର ଡ୍ୟାମର ଆଉ ୪ଟି ଫାଟକକୁ ଖୋଲି ଦିଆଯାଇଛି। ଫଳରେ ମୋଟ ୧୨ଟି ଫାଟକ ଦେଇ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ହେଉଛି। ଶନିବାର ରାତି ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୧.୩୩ ଫୁଟରେ ପହଞ୍ଚିଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି। ଲଘୁଚାପ ନେଇ ପାଣିପାଗ ବିଭାଗର ସତର୍କ ସୂଚନା ପରିପ୍ରେକ୍ଷୀରେ ଆଉ ଅଧିକ ଫାଟକ ଖୋଲା ଯିବାର ସମ୍ଭାବନା ରହିଛି ।
