କେନ୍ଦ୍ରାପଡ଼ା,୨୩/୦୮/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କ ପୌରହିତ୍ୟରେ କଜଳାସ୍ଥିତ କଂଗ୍ରେସ ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସଂଗଠନକୁ ଅଧିକ କ୍ରିୟାଶୀଳ ଓ ମଜଭୁତ୍ କରିବା ପାଇଁ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା କରାଯାଇଥିଲା ।
ଜିଲା କଂଗ୍ରେସ୍ ଭବନରେ ଏକ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଖୋଲିବାକୁ ପ୍ରଥମେ ଆଲୋଚନା କରାଯାଇ ସ୍ଥିର କରାଯାଇଥିଲା । ଅଖିଳ ଭାରତ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ‘ଭୋଟ ଚୋରି’ ପ୍ରସଙ୍ଗକୁ ସଧାରଣ ଲୋକଙ୍କ ପାଖରେ ପହଂଚାଇବାକୁ ଉଦ୍ୟମ କରିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ୧୩୦ତମ ସମ୍ବିଧାନ ସଂଶୋଧନକୁ ବିରୋଧ କରାଯିବା ସହ ରାହୁଲ୍ ଗାନ୍ଧୀଙ୍କ ଗଣତନ୍ତ୍ର ସୁରକ୍ଷା କାର୍ଯ୍ୟକ୍ରମକୁ ସ୍ୱାଗତ କରାଯାଇଥିଲା ।
ଏଥିସହିତ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟାକୁ ନେଇ ନିର୍ବାଚନ ମଣ୍ଡଳୀ ସ୍ତରରେ କିପରି ଜନଆନ୍ଦୋଳନକୁ ସକ୍ରିୟ କରାଯିବ ସେ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଥିଲା । ବୈଠକରେ କେନ୍ଦ୍ରାପଡ଼ା ଜିଲା କଂଗ୍ରେସ୍ ସଂଯୋଜକ ପ୍ରଫୁଲ୍ଲ ଦାସ, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ପୂର୍ବତନ ପୌରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ, ପ୍ରଦେଶ କଂଗ୍ରେସ କମିଟି ସଦସ୍ୟା ସସ୍ମିତା ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ବସନ୍ତ ସେଠୀ, ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ଯୁବନେତା ରଶ୍ମିରଞ୍ଜନ ଚୌଧୁରୀ, ବିପ୍ଳବ ମହାନ୍ତି, ନିଲୋ ଖାଁ, ହିମାଂଶୁ ନନ୍ଦ, ସେଖ ଆନସ, ଶେଖ କାଲା, ଶେଖ ଜଲାଲଉଦ୍ଧିନ, ଉମେଶ ପାଢୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
