ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଜାତୀୟ ପ୍ରେସ୍ ଦିବସ – ୨୦୨୬’ ପାଳିତ

              କାର୍ଯ୍ୟରେ ନୈତିକତା ଏବଂ ନିରପେକ୍ଷତା ବଜାୟ ରଖିବା ହିଁ ସାମ୍ବାଦିକତାର ପ୍ରକୃତ ଭାବନାକୁ ପରିଭାଷିତ କରେ ଜିଲ୍ଲାପାଳଙ୍କ ଆହ୍ୱାନ

                      ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ସମାରୋହ: ବରିଷ୍ଠ ସାମ୍ବାଦିକଙ୍କ ଅଭିଜ୍ଞତା ବିନିମୟ ଓ କୃତୀ ଛାତ୍ରଛାତ୍ରୀ ପୁରସ୍କୃତ

ଯାଜପୁର,୧୬/୧୧/୨୦୨୬(ଓଡ଼ିଶା ସମାଚାର)– ଯାଜପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ‘ଜାତୀୟ ପ୍ରେସ୍ ଦିବସ – ୨୦୨୬’ ମହାସମାରୋହରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ “ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ” ଉପରେ ଆଧାରିତ ଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ବର କୁମାର କର ଯୋଗଦେଇ କହିଥିଲେ ଯେ କାର୍ଯ୍ୟରେ ନୈତିକତା ଏବଂ ନିରପେକ୍ଷତା ବଜାୟ ରଖିବା ହିଁ ସାମ୍ବାଦିକତାର ପ୍ରକୃତ ଭାବନାକୁ ପରିଭାଷିତ କରେ। ଉତ୍ତମ ସାମ୍ବାଦିକତା କିପରି ସମାଜର ଉନ୍ନତି ସାଧନ କରିପାରେ ଏବଂ ନୂତନ ପିଢ଼ିର ସାମ୍ବାଦିକମାନଙ୍କୁ ପ୍ରେରଣା ଯୋଗାଇପାରେ, ସେ ସମ୍ପର୍କରେ ଜିଲ୍ଲାପାଳ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

ସଭାରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶିବାନନ୍ଦ ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ ଯାଜପୁର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ଏବଂ ଯାଜପୁରର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୀତିକଣ୍ଠ କାନୁନଗୋ ଯୋଗଦେଇ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ଗୁରୁତ୍ୱ ଓ ଦାୟିତ୍ୱବୋଧ ଉପରେ ନିଜର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ହରିହର ସ୍ୱାଇଁ, ଆନନ୍ଦ ଚନ୍ଦ୍ର ସାହୁ, ଅଜୟ ରାଉଳ, ରାଜୀବ ମହାନ୍ତି ଏବଂ ଯୁଵ ମହିଳା ସାମ୍ବାଦିକା ଏବଂ ଉପସ୍ଥାପିକା ମନିଷା ରାଉତ ପ୍ରମୁଖ ନିଜର ଦୀର୍ଘ ବର୍ଷର ସାମ୍ବାଦିକତା ଜୀବନର ଅନୁଭୂତି ବାଣ୍ଟିଥିଲେ। ଆଜିର ସମୟରେ ଜଣେ ସାମ୍ବାଦିକ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ, ସାମ୍ବାଦିକମାନଙ୍କ ସୁରକ୍ଷା ତଥା ଜଣେ ଆଦର୍ଶ ଓ ଦକ୍ଷ ସାମ୍ବାଦିକର ଗୁଣାବଳୀ ସମ୍ପର୍କରେ ସେମାନେ ମତବ୍ୟକ୍ତ କରିଥିଲେ।

ସୂଚନାଯୋଗ୍ୟ ଯେ, ଜାତୀୟ ପ୍ରେସ୍ ଦିବସ ଉପଲକ୍ଷେ ଗତ ନଭେମ୍ବର ୧୨ ତାରିଖରେ ଯାଜପୁର ଜିଲ୍ଲାର ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଜିର ଏହି ସମାରୋହରେ

ଜିଲ୍ଲାପାଳ  ଉକ୍ତ ପ୍ରତିଯୋଗିତାର ୩ ଜଣ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ। ଏହି ପ୍ରତିଯୋଗିତାରେ ପ୍ରଥମ ପୁରଷ୍କାର ହାସଲ କରି ଥିଲେ ହରିସାମନ୍ତ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ର ହ୍ରିତେଶ କୁମାର ସାମଲ, ସେହି ପରି ଦ୍ଵିତୀୟ ପୁରଷ୍କାର ହାସଲ କରିଥିଲେ ଯାଜପୁର ଜିଲ୍ଲା ସ୍କୁଲରୁ ଲିସାରଣୀ ସାହୁ ଏବଂ ତୃତୀୟ ପୁରଷ୍କାର ଉପେନ୍ଦ୍ର କୁମାର ଉଚ୍ଚ ବିଦ୍ୟାଳୟର ଛାତ୍ର ସ୍ବର୍ଣ୍ଣଲକ୍ଷ୍ମୀ ବେହେରା ହାସଲ କରି ଆଜି ସମ୍ମାନିତ ହୋଇଥିଲେ।

ଏହି କାର୍ଯ୍ୟକ୍ରମକୁ ପ୍ରାରମ୍ଭରେ ଯାଜପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  କାମିନୀ ରଞ୍ଜନ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ଅଭିନାଶ ସାଗର ସଭା ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ଗଣମାଧ୍ୟମ ପ୍ରତିନିଧି, ହାଇସ୍କୁଲ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକମାନେ ଯୋଗଦେଇ  ସମାରୋହକୁ ସଫଳ କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

()

Leave a Reply

Your email address will not be published. Required fields are marked *