ଆଇନ ସେବାର ସୁଯୋଗ ଗ୍ରାମାଞ୍ଚଳର ଶେଷ ଧାଡ଼ିର ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଗୁରୁତ୍ୱାରୋପ
ଯାଜପୁର,୧୬/୧୧/୨୦୨୬(ଓଡ଼ିଶା ସମାଚାର) –ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବିରଜାପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଗ୍ରାମ୍ୟ ଆଇନ ସହାୟତା କ୍ଲିନିକ୍ ଉଦ୍ଘାଟିତ ହୋଇଛି। ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଏହି କ୍ଲିନିକ୍କୁ ଉଦ୍ଘାଟନ କରିବା ସହ ଆୟୋଜିତ ଆଇନ ସଚେତନତା ସଭାରେ ଅଧ୍ୟକ୍ଷତା କରିଥିଲେ।
ଏହି ଅବସରରେ ଶ୍ରୀ ନନ୍ଦ କହିଥିଲେ ଯେ, ଗ୍ରାମାଞ୍ଚଳର ଶେଷ ଧାଡ଼ିରେ ଥିବା ଯୋଗ୍ୟ ହିତାଧିକାରୀମାନେ ଯେପରି ସହଜରେ ବିଭିନ୍ନ ଆଇନଗତ ସହାୟତା ପାଇପାରିବେ, ସେଥିପାଇଁ ଏହି କ୍ଲିନିକ୍ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବ। ଏଠାରେ ନିୟୋଜିତ ପ୍ୟାନେଲଭୁକ୍ତ ଓକିଲ ଓ ପାରାଲିଗାଲ୍ ସ୍ୱେଚ୍ଛାସେବୀମାନେ ନିଜ ଦାୟିତ୍ୱକୁ ନିଷ୍ଠା ଓ ଉତ୍ତରଦାୟିତ୍ୱର ସହ ତୁଲାଇବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ସ୍ଥାନୀୟ ସରକାରୀ ଅଧିକାରୀ, ପଞ୍ଚାୟତ ପ୍ରତିନିଧି ଓ ସମାଜସେବୀମାନେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ଆନ୍ତରିକ ସହଯୋଗ କରିବାକୁ ସେ ନିବେଦନ କରିଥିଲେ।
ପ୍ରାଧିକରଣର ସଚିବ ଶ୍ରୀମତୀ ଲିପା ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ ଯେ, ୨୦୧୧ ମସିହାରୁ ଗ୍ରାମ୍ୟ ଆଇନ ସହାୟତା କ୍ଲିନିକ୍ ମାଧ୍ୟମରେ ଲୋକଙ୍କୁ ଆଇନ ସେବା ଯୋଗାଇ ଦିଆଯାଇଆସୁଛି। ଏହି କ୍ଲିନିକ୍ର କାର୍ଯ୍ୟ ପରିସର, କେଉଁମାନେ ଏହାର ସୁବିଧା ପାଇବାକୁ ଯୋଗ୍ୟ ଏବଂ ଏହା ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ୧୩ଟି ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରାଯିବ ବୋଲି ସେ ପ୍ରକାଶ କରିଥିଲେ।
ଅତିଥି ଆଲୋଚକ ଭାବେ ସିଜେଏମ୍ ଶ୍ରୀ ସର୍ବେଶ୍ୱର ଦାସ, ଜେଏମ୍ଏଫ୍ସି ଶ୍ରୀ ଅଂଶୁମାନ ରଥ, ଦଶରଥପୁର ବ୍ଲକ୍ର ବିଡିଓ ଶ୍ରୀ ଆକାଶ ପଟ୍ଟନାୟକ, ଯାଜପୁର ତହସିଲଦାର ଶ୍ରୀ ଶୁଭ୍ରାଂଶୁ ସାହୁ ଏବଂ ପ୍ରାଧିକରଣର ପୂର୍ବତନ ସଦସ୍ୟ ଡ. ରୁଦ୍ରନାରାୟଣ ପୃଷ୍ଟି ଯୋଗଦେଇ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।
ସେମାନେ ଶିକ୍ଷା ଯୋଜନା-୨୦୨୬, ସ୍ରୁହା ଯୋଜନା-୨୦୨୫, ମଣିଷ-ବନ୍ୟଜନ୍ତୁ ସଂଘର୍ଷ ପୀଡ଼ିତଙ୍କ ନ୍ୟାୟ ଯୋଜନା-୨୦୨୫, ବୀର ପରିବାର ସହାୟତା ଯୋଜନା, ‘ଡନ୍’ ବା ‘ନୂଆ ସକାଳ’ ଯୋଜନା, ସଂବାଦ ଯୋଜନା, ଶିଶୁ ସୁଲଭ ଆଇନ ସେବା ଯୋଜନା-୨୦୨୪, ମାନସିକ ରୋଗୀ ଓ ବୌଦ୍ଧିକ ଭିନ୍ନକ୍ଷମଙ୍କ ପାଇଁ ଆଇନ ସେବା ଯୋଜନା, ବୟସ୍କ ନାଗରିକ ଆଇନ ସେବା ଯୋଜନା-୨୦୧୬, ଏସିଡ୍ ଆକ୍ରମଣ ପୀଡ଼ିତଙ୍କ ପାଇଁ ଆଇନ ସେବା ଯୋଜନା-୨୦୧୬, ମାନବ ଚାଲାଣ ଓ ଯୌନ ଶୋଷଣରୁ ଉଦ୍ଧାର ଏବଂ ସହାୟତା ଯୋଜନା-୨୦୧୫ ତଥା ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଆଇନ ସେବା ଯୋଜନା-୨୦୧୫ ଆଦି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀ ନିରାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ସୁଜାତା ପାଣିଗ୍ରାହୀ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
