ନିଖିଳୋତ୍କଳ ପ୍ରବକ୍ତା ପରିଷଦର ରାଜ୍ୟସ୍ତରୀୟ ଅମୃତ ବର୍ଷଣ ମହୋତ୍ସବ ଉଦଯାପିତ

ଭୁବନେଶ୍ୱର ୨୩/୦୮/୨୦୨୫ ( ଓଡିଶା ସମାଚାର)- ନିଖିଳୋତ୍କଳ ପ୍ରବକ୍ତା ପରିଷଦ ର ରାଜ୍ୟ ସ୍ତରୀୟ ପ୍ରବକ୍ତା ସମାରୋହ ” ଅମୃତବର୍ଷଣ ମହୋତ୍ସବ -୨୦୨୫” ଖଣ୍ଡଗିରି ସ୍ଥିତ ଠାକୁର ଅଭିରାମ ପରମହଂସ ଶାନ୍ତି ଆଶ୍ରମରେ ଦୁଇଦିନଧରି ଏକ ବିରାଟ ଆଧ୍ୟାତ୍ମିକ ପରିବେଶରେ ସମାପିତ ହୋଇଯାଇଛି । ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ଶତାଧିକ ପ୍ରବକ୍ତା ଯୋଗଦେଇ ରାମଚରିତ ମାନସ, ଗୀତା, ଭାଗବତ ଆଦି ବିଭିନ୍ନ ଶାସ୍ତ୍ର ଉପରେ ସାରଗର୍ଭକ ତତ୍ତ୍ୱମୂଳକ ପ୍ରବଚନ ପ୍ରଦାନ କରିଥିଲେ ।

ଉଦଯାପନୀ ସଭାରେ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯେତେ କଷ୍ଟ ହେଲେ ଵି ଧର୍ମ ପ୍ରଚାରରେ ବ୍ରତୀ ହେବାକୁ ଉପସ୍ଥିତ ପ୍ରବକ୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ପରିଷଦ ର ଅଧ୍ୟକ୍ଷ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଶ୍ବହିନ୍ଦୁ ପରିଷଦ ଓଡିଶା ଶାଖାର ସଂପାଦକ ପଣ୍ଡିତ ମହେଶ ସାହୁ, ବରେଣ୍ୟ ଅତିଥି ଭାବେ ବାବାଜୀ ସତ୍ୟାନନ୍ଦ ଦାସ, ପଣ୍ଡିତ ରବିନାରାୟଣ ପଣ୍ଡା, ପଣ୍ଡିତ ବିଶ୍ୱନାଥ ଶତପଥି, ପଣ୍ଡିତ ବିଜୟ ଦେବତା, ପଣ୍ଡିତ ପ୍ରଶାନ୍ତ ବେହେରା ଏବଂ ସମ୍ମାନିତ ଅତିଥି ଭାବେ ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା ” ଦିବ୍ୟାଲୋକ ସନ୍ଧକ୍ଷନେ’ ର ସମ୍ପାଦକ ଶ୍ରୀସନ୍ନ୍ୟାସୀ ଜୀ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ ।

ପଣ୍ଡିତ ଶୁକଦେବ ପଣ୍ଡା ସ୍ୱାଗତ ଭାଷଣ, ଖୋର୍ଦ୍ଧା ଜିଲ୍ଲା ସଂପାଦକ କମଳେଶ ମହାରଣା ମଞ୍ଚ ପରିଚାଳନା ଓ କୋଷାଧ୍ୟକ୍ଷ ଅର୍ଜୁନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପରିଷଦ ର ରାଜ୍ୟ ସମ୍ପାଦକ ପଣ୍ଡିତ ପ୍ରମୋଦ ପଣ୍ଡା ସଂସ୍କୃତି ମନ୍ତ୍ରୀ ଙ୍କୁ ପ୍ରବକ୍ତାମାନଙ୍କୁ ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରିବା, ନିତ୍ୟ ପ୍ରବଚନ ନିମନ୍ତେ ଶ୍ରୀମନ୍ଦିର ଆଖପାଖରେ ଏକ ଭବନ ପ୍ରଦାନ କରିବା ଆଦି ୧୦ ଦଫା ଦାବି ପ୍ରଦାନ କରିଥିଲେ । ଏହି ଅବସରରେ ପରିଷଦ ତରଫରୁ ମାନ୍ୟବର ମନ୍ତ୍ରୀଙ୍କୁ “ସଂସ୍କ୍ରୁତି ସେବାରତ୍ନ ସମ୍ମାନ ୨୦୨୫ ” ରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଆଧ୍ୟାତ୍ମିକ ବ୍ୟକ୍ତିତ୍ବ ଡ କିଶନଲାଲ ଭରତିଆଙ୍କ ସମେତ କିଛି ବିଶିଷ୍ଟ ପ୍ରତିଭା ଙ୍କୁ ‘ସତସଂଗ ସେବାରତ୍ନ ସମ୍ମାନ ‘ ରେ ସମ୍ମାନିତ କରାଯାଇଥିଲା ।

ଏତଦ ବ୍ୟତୀତ ଓଡ଼ିଶାର ବହୁ ପ୍ରବଚନ ମଞ୍ଚ ଏବଂ ଆଧ୍ୟାତ୍ମିକ ୟୁ ଟ୍ୟୁବ ଚାନେଲ ଙ୍କୁ ‘ବ୍ୟାସପୀଠ ସମ୍ମାନ ‘ ରେ ସମ୍ମାନିତ କରାଯାଇଥିଲା । ରାଜ୍ୟସ୍ତରୀୟ ଏହି ଆଧ୍ୟାତ୍ମିକ ସମାରୋହ ରେ ପରିଷଦର ସମସ୍ତ କର୍ମକର୍ତ୍ତା, ବାଦ୍ୟ କଳାକାର, ବ୍ୟାସ, ଧାରକ ଆଦି ଉପସ୍ଥିତ ରହି କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ । କାର୍ୟ୍ୟକ୍ରମ ଚାଲୁଥିବା ସମୟରେ ଅଚାନକ ଏକ ବାନର ପ୍ରବଚନ ସ୍ଥଳକୁ ଆସି ପ୍ରବଚନ ଶୁଣିବା ଏବଂ ପ୍ରସାଦ ପାଇବା ଘଟଣା ସମାରୋହର ଅନନ୍ୟ ଆକର୍ଷଣର ବିଷୟ ପାଲଟିଥିଲା ।

Leave a Reply

Your email address will not be published. Required fields are marked *