କଟକ ସଦରରେ ବିଜେଡ଼ି ଓ ବିଜେପି ପ୍ରାର୍ଥୀଙ୍କ ଗୋଟିଏ ଦିନରେ ଶକ୍ତି ପ୍ରଦର୍ଶନ 

କଟକ ସଦର,୨୯/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ରବିବାର ସଂଧ୍ୟାରେ ଦୁଇଟି ଯାଗାରେ ବିଜେଡ଼ିର ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥି ବେହେରା, କଟକ ଲୋକସଭା ସାଂସଦ ପ୍ରାର୍ଥୀ ଡ଼ଃ ସନ୍ତୃପ୍ତ ମିଶ୍ର ଓ ବିଜେପି ଵିଧାୟକ ପ୍ରାର୍ଥୀ ଇଂ ପ୍ରକାଶ ଚନ୍ଦ୍ର ସେଠୀ ସାଂସଦ ପ୍ରାର୍ଥୀ ଭର୍ତୃହରି ମହତାବଙ୍କର ଶକ୍ତି ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି।କିଶନନଗର ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଵିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥି ଓ ସାଂସଦ ପ୍ରାର୍ଥୀ ସନ୍ତୃପ୍ତ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୂଖ୍ୟମନ୍ତ୍ରୀ କରିବା ପାଇଁ ଡବଲ ଶଂଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାର୍ଥୀ ଦ୍ୱୟଙ୍କୁ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରାରେ କନ୍ଦରପୁର ଠାରୁ କିଶନ ନଗର ପର୍ଯ୍ୟନ୍ତ କର୍ମୀ ମାନେ ନେଇଥିଲେ।

ସେହିପରି ବିଜେପି ର ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ଓ ସାଂସଦ ପ୍ରାର୍ଥୀ ଭର୍ତୃହରି ଉତ୍ତରକୁଳ ସୁଦାମଵତୀ ଠାରେ ଆୟୋଜିତ କାର୍ଯ୍ୟକର୍ତ୍ତା ସମାବେଶରେ ଯୋଗ ଦେଇ ବିକଶିତ ଓଡ଼ିଶା ଗଠନ ପାଇଁ ଯୋଡ଼ି ପଦ୍ମ ଚିହ୍ନରେ‌ ଭୋଟ ଦେଇ ମୋଦୀଙ୍କ ଡବଲ ଇଞ୍ଜିନ ସରକାର ଗଠନରେ ସହାୟତା କରିବାକୁ ନିବେଦନ କରିଥିଲେ। ପ୍ରାର୍ଥୀ ଦ୍ୱୟଙ୍କୁ ତାରପୁର ବାଇପାସ୍ ଠାରୁ ଏକ ବିରାଟ ମଟରସାଇକେଲ ଶୋଭାଯାତ୍ରାରେ ସୁଦାମଵତୀକୁ କର୍ମୀ ମାନେ ନେଇଥିଲେ।

Leave a Reply

Your email address will not be published. Required fields are marked *