କେନ୍ଦ୍ରାପଡ଼ା,୨୨/୦୮/୨୦୨୫(ଓଡ଼ିଶା ସମାଚାର)- ଦେଢସୁର ଆକ୍ରମଣରେ ଭାଇବୋହୁ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ମହିଳା ହେଉଛନ୍ତି କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଭଗେଶ୍ୱରପୁର ଗ୍ରାମର ରଶ୍ମୀପ୍ରଭା ସ୍ୱାଇଁ । ଭଗେଶ୍ୱରପୁର ଗ୍ରାମର ଅଜୟ କୁମାର ସ୍ୱାଇଁଙ୍କ ପତ୍ନୀ ରଶ୍ମୀପ୍ରଭା ଅଭିଯୋଗ କରିଛନ୍ତି ଯେ ତାଙ୍କ ଶାଶୁ ବର୍ଷେ ତାଙ୍କ ସ୍ୱାମୀ ଅଜୟଙ୍କ ପାଖରେ ରହିବା ପରେ ତାଙ୍କ ଦେଢସୁର ଅଖିଳ କୁମାର ସ୍ୱାଇଁଙ୍କ ପାଖରେ ଏକବର୍ଷ ରହିବା ପାଇଁ ଯାଇଥିଲେ ।
ନିଷ୍ପତି ଅନୁଯାଇ ଶାଶୁ ଯେଉଁ ପୁଅ ପାଖରେ ରହିବେ ସେହି ପୁଅ ତାଙ୍କର ସମସ୍ତ ଭରଣପୋଷଣ କରିବା ସହିତ ଶାଶୁଙ୍କ ପେନସନ୍ ରୁ ମାତ୍ର ୫ହଜାର ଟଙ୍କା ଉଠାଇପାରିବ ବୋଲି ସ୍ଥିର ହୋଇଥିଲା । କିନ୍ତୁ ଦେଢସୁର ଅଖିଳ ପେନସନ୍ ଥିବା ବ୍ୟାଙ୍କ ପାସବୁକରୁ ୮୧ହଜାର ଟଙ୍କା ଉଠାଇ ନେଇଥିବା ଜାଣିବା ପରେ ଗୁରୁବାର ରାତିରେ ଏସମ୍ପର୍କରେ ରଶ୍ମୀପ୍ରଭା ପଚାରିବାରେ ଦେଢସୁର ଓ ତାଙ୍କ ଦୁଇ ପୁଅ ରଶ୍ମୀପ୍ରଭାଙ୍କୁ ଗାଳିଗୁଲଜ କରିବା ସହ ଟଣାଭିଡା କରି ତଳେ ପକାଇଦେଇ ବିଧା ଗୋଇଠା ମାରିଥିଲେ ।
ଏଥିସହ ଏକ ଲୁହା ପାଇପରେ ତାଙ୍କ ଦେଢସୁରଙ୍କ ପୁଅ ନିଳମଣୀ ଜୀବନରେ ମାରିଦେବା ଉଦେଶ୍ୟରେ ରଶ୍ମୀପ୍ରଭାଙ୍କ ମୁଣ୍ଡକୁ ପିଟି ଦେଇଥିଲା । ଏହାସହ ତାଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଦେଢସୁର ଓ ତାଙ୍କ ପୁଅମାନେ ଧମକ ଦେଇଥିବା ରଶ୍ମୀପ୍ରଭା ଅଭିଯୋଗ କରିଛନ୍ତି । ଆକ୍ରମଣରେ ରଶ୍ମୀପ୍ରଭାଙ୍କ ମୁଣ୍ଡ ଫାଟିଯିବା ସହ ସେ ଗୁରୁତର ଆହତ ହୋଇପଡିଥିଲେ । ଗୁରୁତର ଆହତ ଅବସ୍ଥାରେ ରଶ୍ମୀପ୍ରଭାଙ୍କୁ ପରିବାର ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ରଶ୍ମୀପ୍ରଭା ଚିକିତ୍ସିତ ଥିବା ବେଳେ ତାଙ୍କ ପରିବାର ଏବେ ଭୟଭିତ ଅବସ୍ଥାରେ ଅଛନ୍ତି । ଏସମ୍ପର୍କରେ ଟାଉନ ଥାନାଧିକାରୀ ଦିଲ୍ଲିପ ସାହୁଙ୍କୁ ପଚାରିବାରେ ସେ କହିଲେ ଘଟଣାର ତଦନ୍ତ ଚାଲିଛି । ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
