କ୍ରୀଡା ଶିକ୍ଷକ ଅଟକ, ତଦନ୍ତ ଆରମ୍ଭ
ଦଶରଥପୁର, ୨୦/୦୩/୨୦୨୪ (ଓଡ଼ିଶା ସମାଚାର)- ଜ୍ୟୋତି ରଞ୍ଜନ ସାମଲ ପେଶାରେ ଜଣେ କ୍ରୀଡା ଶିକ୍ଷକ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକସ୍ଥିତ କାଟିଆ କୃଷ୍ଣ ପ୍ରଧାନ ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ରୀଡା ଶିକ୍ଷକ ଭାବେ ଚାକିରି କରିଛନ୍ତି । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଖେଳ ପଡିଆରେ ଖେଳ ଶିଖାଇବା ଏବଂ ଖେଳେଇବା ହେଉଛି ତାଙ୍କର କାମ । କିନ୍ତୁ ଏହି କ୍ରୀଡା ଶିକ୍ଷକ ଜଣଙ୍କ ଏବେ ଏମିତି ଖେଳ କରିଛନ୍ତି ଯାହା ଏବେ ଦଶରଥପୁର ବ୍ଲକ ସମେତ ଯାଜପୁର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କ୍ରୀଡା ଶିକ୍ଷକଙ୍କ ନାମରେ ଏବେ ୫୧ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ସଂଗୀନ ଅଭିଯୋଗ ଆସିଛି । କ୍ରୀଡା ଶିକ୍ଷକଙ୍କ ନାମରେ ଦଶରଥପୁର ଥାନାରେ ଅଭିଯୋଗ ହେବାପରେ କ୍ରୀଡା ଶିକ୍ଷକ ଜଣଙ୍କୁ ଦଶରଥପୁର ଥାନାରେ ମଙ୍ଗଳବାର ଠାରୁ ଅଟକ ରଖିବା ସହ ତଦନ୍ତ ଜାରି ରହିଥିବା ଜଣା ପଡିଛି । ଅଭିଯୋଗ ଅନୁଯାଇ ଭୁବନେଶ୍ୱରସ୍ତ ନନ୍ଦନକାନନ ଥାନା ଅଧିନ କଳାଝରି ପଟିଆ ଗ୍ରାମର ରମେଶ ଚନ୍ଦ୍ର ମହାନ୍ତି ଏବଂ ତାଙ୍କ ପତ୍ନୀ ଏକ କାର୍ଯ୍ୟରେ ଭୁବନେଶ୍ୱର ସ୍ଥିତ ଡିପିଆଇ କଲୋନୀକୁ ଆସିଥିବା ବେଳେ ସେଠାରେ କ୍ରୀଡା ଶିକ୍ଷକ ଜ୍ୟୋତିରଞ୍ଜନ ସାମଲ ଦେଖା ହୋଇଥିଲେ । କଥା ବାର୍ତ୍ତା ସମୟରେ କ୍ରୀଡା ଶିକ୍ଷକ ଜଣକ ମୋର ଭିଣେଇ ରେଳ ବିଭାଗରେ ଚାକିରି କରିଛନ୍ତି ବୋଲି କହିବା ସହ ଆପଣଙ୍କର ଯଦି କେହି ରେଳ ବିଭାଗରେ ଚାକିରି କରିବାକୁ ଚାହୁଁ ଥାନ୍ତି ତାହେଲେ ମୋସହ ଯୋଗାଯୋଗ କରିବାକୁ କହିଥିଲେ । ଏହା ଶୁଣି ରମେଶ କୁମାର ମହାନ୍ତି ତାଙ୍କର ଜଣେ ଦାଦା ପୁଅକୁ ଚାକିରି କରେଇ ଦେବାକୁ ଜ୍ୟୋତିରଞ୍ଜନ ସାମଲଙ୍କୁ କହିଥିଲେ । ଏହାପରେ ଜ୍ୟୋତିରଞ୍ଜନ ରମେଶଙ୍କୁ ଯେତେ ଅଧିକ ପିଲା ଯୋଗାଡ଼ କରିପାରିବେ ଆପଣଙ୍କୁ କମ ଟଙ୍କା ଦେବାକୁ ପଡିବ ବୋଲି କହିଥିଲେ । ଏହାପରେ ରମେଶ ୪ଜଣ ପିଲା ଯୋଗାଡ଼ କରିବା ସହ ୪ ଜଣଙ୍କୁ ରେଳ ବିଭାଗରେ ଚାକିରି କରେଇଦେବା ପାଇଁ ରମେଶ ମହାନ୍ତି ନିଜ ଫୋନ ପେ, ନିଜ ବ୍ୟାଙ୍କ ଏକାଉଣ୍ଟ ଓ ନିଜ ସ୍ତ୍ରୀ ଏକାଉଣ୍ଟରୁ ଟଙ୍କା ଦେବା ସହ ନଗଦ ଅର୍ଥକୁ ମିଶାଇ ମୋଟ ୫୧ ଲକ୍ଷ ଟଙ୍କା କ୍ରୀଡା ଶିକ୍ଷକ ଜଣଙ୍କୁ ଦେଇଥିବା ନେଇ ରମେଶ କୁମାର ମହାନ୍ତି ଦଶରଥପୁର ଥାନାରେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଆଜି ଅପରାହ୍ନରେ ଯାଜପୁର ଏସଡିପିଓ ଦଶରଥପୁର ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତ ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଜଣା ପଡ଼ିଥିବା ବେଳେ ଏ ସମ୍ପର୍କରେ ଦଶରଥପୁର ଥାନା ଅଧିକାରୀଙ୍କୁ ପଚାରିବାରୁ ବର୍ତ୍ତମାନ ତଦନ୍ତ ଚାଲିଛି ତଦନ୍ତ ଶେଷ ହେବା ପରେ ସବୁ ସତ ଜଣା ପଡିବ ବୋଲି ଥାନା ଅଧିକାରୀ କହିଥିଲେ ।