ଭୁବନେଶ୍ୱର,୨୦/୦୮/୨୦୨୫(ଓଡ଼ିଶା ସମାଚାର)- ଉତରା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ର ଉତରା ଛକରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ଭୁବନେଶ୍ୱରରୁ ପିିପିଲି, ପୁରୀ, କୋଣାର୍କ, କାକଟପୁର ଓ ଅସ୍ତରଙ୍ଗ ଆଦି ଅଂଚଳକୁ ଯାଉଥିବା ଉଭୟ ସରକାରୀ ଓ ଘରୋଇ ବସ ଗୁଡିକ ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଥିବା ବସ ପ୍ରତୀକ୍ଷାସ୍ଥଳରେ ନ ରହି ଅଟୋଷ୍ଟାଣ୍ଡ ନିକଟରେ ରହୁଥିବାରୁ ଦୈନନ୍ଦିନ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି ।
ସେହିପରି ଉକ୍ତ ସ୍ଥାନଟି ତ୍ରିକୋଣୀୟ ଥିବାରୁ ଯାନବାହାନ ଚଳାଚଳ ସମୟରେ ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ଦୀର୍ଘଦିନ ଧରି ଲାଗିରହିଥିଲେ ସୁଧା କେହି ଏଥିପ୍ରତି ଦୃଷ୍ଟି ଦେଇନଥିଲେ । ସୋମବାର ଠାରୁ ଉତରା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ପୂର୍ବାହ୍ନ ୮ ଟାରୁ ମଧ୍ୟାହ୍ନ ୧୨ ଟା ଏବଂ ଅପରାହ୍ନ ସାଢେ ୫ ଟାରୁ ସାଢେ ୮ ଟା ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଏଥିରେ ସ୍ଥାନୀୟ କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ଓ ଅଂଚଳ ସଚେତନ ଯୁବଗୋଷ୍ଠୀ ସହଯୋଗ କରୁଛନ୍ତି ।
ଉକ୍ତ ତ୍ରିକୋଣୀୟ ଛକରେ ଠିଆହୋଇ ଭୁବନେଶ୍ୱରରୁ ଆସୁଥିବା ସମସ୍ତ ବସ ପ୍ରତୀକ୍ଷା ସ୍ଥଳକୁ ଯିବାପାଇଁ କହିଥିଲେ । ବସ ଚାଳକ ମାନେ ମଧ୍ୟ ସେମାନଙ୍କ କଥା ମାନି ସେଠାରେ ବସ ରଖି ଯାତ୍ରୀଙ୍କୁ ଉଠାଇଥିଲେ । ଏପରିକି ଯାତ୍ରୀ ମାନଙ୍କୁ ମଧ୍ୟ ବସ ପ୍ରତୀକ୍ଷା ସ୍ଥଳରେ ଠିଆହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ସମୟରେ ଆମ ବସ କର୍ମଚାରୀ ଆସି ବରିଷ୍ଠ ନାଗରିକଙ୍କ ସହ ଆଲୋଚନା କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଂଚର ସଭାପତି ଡ. ଅମରେନ୍ଦ୍ରନାଥ ମହାନ୍ତି, ବିଶିଷ୍ଟ ସମାଜସେବୀ ସରୋଜ କୁମାର ପାତ୍ର,ସଞ୍ଜୟ ଆଚାର୍ଯ୍ୟ, ଜୟରାମ ବିଶ୍ୱାଳ, ପ୍ରଭାତ ସାହୁ, ବେଣୁଧର ନାୟକ, ଆନନ୍ଦ ମହାପାତ୍ର, ରମେଶ ଚନ୍ଦ୍ର ମହାପାତ୍ର, ମହେନ୍ଦ୍ର ନାୟକ, ରଞ୍ଜନ ତ୍ରିପାଠୀ ପ୍ରମୁଖ ସାମିଲ ଅଛନ୍ତି ।
